।। ଈଶ୍ବରୀ ଦେବୀ ମୋର ।।
ଡ. ଦେବାନନ୍ଦ ଦାସ
ମୁଁ ଯେତେବଳେ ଆଉ ନଥିବି
ଖବର ତମକୁ ମିଳିଲାବେଳକୁ
ହେଇ ସାରିଥିବ ବହୁ ଉଛୁର
ପଞ୍ଚ ଭୂତରେ ମିଶି ସାରିଥିବ
ଏ ନଶ୍ବର ଶରୀର , ଜ୍ଞାତି ବନ୍ଧୁଙ୍କ
ଆଖିରେ ଆଉ ନଥିବ ଲୁହ
ଅଜଣାତରେ ତମ ଭିତରେ ଅଙ୍କୁରିତ
ହୋଇସାରିଥିବ ମେଞ୍ଚାଏ କୋହ ।।
ଈଶ୍ବରୀ ! ଦେବୀ ମୋର
ଆଗରୁ କେତେଯେ କୋହ ଭରା ବେଳ ବିତିଛି
ଶ୍ରାବଣର ରାତି ଆଉ ବୈଶାଖର ତାତି
ଏକ ହେଇଛି,ମାନ ଅଭିମାନ କଥା କଟାକଟି
ଆସିଛି ପୁଣି ଫେରିଛି, ସମୁଦ୍ରର ଢେଉ ପରି
ଆଉ ଥରେ ଆସିବାର ପ୍ରସ୍ତୁତିକୁ ଆପଣାର କରି
ମାଈ ସଞ୍ଜର ଗୋଧୂଳି ଅବା ପାହାନ୍ତି କୁହୁଡି ପରି
ଏବେ କିନ୍ତୁ କଥା ଅଲଗା,କୋହ ସବୁ ତମ
ନିଗାଡି ପାରୁନି ଲୁହ,ଲହୁ ତମ ବରଫ ସମ
ଛାତିକୁ ଋନ୍ଧି ଦୋଉଛି ବାରଂବାର, ମନରେ
ଅକୁହା ବ୍ଯଥା ବହୁ, ନଷ୍ଟ ଉର୍ବଶୀ ଅବା
ଶାପଗ୍ରସ୍ତ ଶକୁନ୍ତଳା, ଅନେକ ଅନେକେ
ମନ୍ବନ୍ତର କାଳାନ୍ତରର ବିଚିତ୍ର କଥା ।।
ଈଶ୍ବରୀ ! ଦେବୀ ମୋର
କେବେ ଥିଲି ତମ ପାଇଁ ମୁଁ ବିଶ୍ବାସର
ଗୋଟେ ପୃଥିବୀ , ଆଶ୍ବସ୍ତିର ଆକାଶଟେ
ଏବେ କିନ୍ତୁ ରାହୁଗ୍ରସ୍ତ , କଳଙ୍କିତ ନାୟକ
ନିନ୍ଦିତ ସହରର ରାଜ ପଥରେ ଅଙ୍କିତ
କ୍ରୁଶବିଦ୍ଧ ଅଲୋଡା ଅଜଣା ଚିତ୍ରଟିଏ ।।
( ନିକଟରେ ପ୍ରକାଶ ପାଇବାକୁ ଯାଉଥିବା ଦୀର୍ଘ କବିତା ପୁସ୍ତକର କିଛି ଅଂଶ…… )
**
ସମ୍ପାଦକ, ପ୍ରଜନ୍ମ
ଭୁବନେଶ୍ୱର
Mob : 7978733002




1 Comments
ଧନ୍ୟବାଦ ସମ୍ପାଦକ ମହାଶୟଙ୍କୁ , କବିତାଟିକୁ ସ୍ଥାନିତ କରିଥିବାରୁ
ReplyDelete