ବୃନ୍ଦାବନ ଚନ୍ଦ୍ର
-----------------
ବୃନ୍ଦାବନ କେଳି କୁଞ୍ଜ ଦିଶୁନି ସୁନ୍ଦର
ରାଧା ଚାହିଁ ଅଛି କେଣେ ଗଲେ ବଂଶୀଧର
ଯେଣୁ ହୋଇଛି ଅନ୍ତର
ଚାହିଁ ଚାହିଁ ଦିନ ଗଲା ହେଲା ପ୍ରେମ ଜ୍ବର॥
ତ୍ରିଭଙ୍ଗୀ ଭଙ୍ଗି ଚାହାଁଣୀ ରୂପରେ କାଳିଆ
ମୟୂର ଚୂଳିଆ କାହ୍ନା ବଡ ଦଗାଦିଆ
ଛପି ହୋଇଯିବ ଠିଆ
ଶୁଖିଲାରେ ଗଣ୍ଡ ଜଳେ ପିଟିବ ବାଳିଆ ॥
ଜୀବନ ଯମୁନା ଦଣ୍ଡେ ଉଠିଲା ଜୁଆର
ଭସାଇ ନେଲା ସ୍ରୋତ ରେ ନବ କଳେବର
ଦେଖି ହୋଇଲା ଆତୁର
କେଣେ ଗଲେ ମନଚୋର ରସିକ ସାଗର॥
କେଣେ ଗଲେ ପ୍ରାଣ ଧନ ଜୀବନ ଶଙ୍ଖାଳି
କୃଷ୍ଣ ମୋର ଜପ ତପ ହୃଦ ଜପା ମାଳି
ମନ ଦେଇ ଅଛି ଢାଳି
ଘୃତ ବିନା ସଳିତା କି ଦୀପ ଯିବ ଜଳି॥
ତାଙ୍କ ପ୍ରେମେ ଅନ୍ଧ ହେଲି ମନ ଦେଲି ଢାଳି
ନିମିିଷ ମାତ୍ର ନଦେଖି ହେଉଅଛି ଭାଳି
ଦେଲେ ଅନ୍ତରକୁ ଜାଳି
ଦିଶୁ ନାହିଁ ବାଟ ଘାଟ ହେଉଛି ଅଣ୍ଡାଳି॥
ମେଘବର୍ଣ୍ଣ ଶରୀରଟା ଚମକି ଚାହିଁଲି
ଚପଳା ଚମକି ଗଲା ଜିଭ କାମୁଡିଲି
ନିର୍ଦୋଷରେ ଦୋଷ ଦେଲି
ଆସିଗଲେ ଶ୍ୟାମ ଘନ ଭାବରେ ମଜିଲି॥
ବସନ୍ତ କୁମାର ସାହୁ
ଦେଉଳି
ଖୋର୍ଦ୍ଧା




0 Comments