ପିଛିଳ ପଥ ( ଚିତ୍ରାରାଣୀ ପାତ୍ର)

 




।।ପିଛିଳ ପଥ।।


ପିଚ୍ଛିଳ ପଥେ ବଢ଼ାଇଛି ପାଦ 

ଜାଣେ ନାହିଁ ରାସ୍ତା ତାର,

କେଉଁଠି ସରିବ ଅବା ରହିଯିବି 

ଅଧା ରାସ୍ତାଯାଇ ମୋର।।


ଦୁନିଆଟା ପରା ସ୍ୱାର୍ଥରେ ଭରା 

ସହଯୋଗ ମିଳେ ନାହିଁ ,

 ଟାହି ଟାପରାରେ ପଥ ରୋଧ ହୁଏ 

ଆଗକୁ ବଢିବା କାହିଁ?।।


ଲଲାଟ ଲେଖିଛି ସେ କେଉଁ ନିୟତି 

ରୁପ ତାର ଦେଖି ନାହିଁ,

ଗୋପନରେ ଆସି ଆଙ୍କିଛି ତାହାର 

ନିଷ୍ଠୁର କଥାକୁ ଯହିଁ।।


ବୈଧବ୍ୟ ଯନ୍ତ୍ରଣା ଏତେ କଷ୍ଟକର 

ଆଗରୁ  ନଥିଲି ଜାଣି,

ଅନ୍ୟପାଇଁ କେତେ ସମବେଦନାର 

ହାତ ବଢ଼ାଇଛି ପୁଣି।।


ନିଜର କପାଳ ଆର୍ତ୍ତନାଦ କରେ 

ରୁଧିର ବହେ ବ୍ୟଥାରେ,

ଆନ ପାଇଁ କିନ୍ତୁ ଲୁହ ଝରିଯାଏ 

ଦୁଃଖ ସହି ନପାରେ।।


କୁହୁକ ପେଡିରୁ କୁହୁକ ପରାୟେ 

ଗଜ ବାଜି ଉଠି ଆସେ ,

ଶୋଭାଯାତ୍ରା କରି ଉନ୍ମାଦେ ଚାଲେ 

କହୁଥାଏ ଅଟ୍ଟହାସ୍ୟେ।।


ଯାହା ଲେଖାଥାଏ ବିଧାତା ହାତରେ 

ସେ କି ଭୁଲ୍ ହୋଇପାରେ?,

ଚିରନ୍ତନ ସତ୍ୟ ମାନିନେଲେ ଖରେ 

ବଞ୍ଚିବାର ରାହା ଧରେ।।


      ।। ଚିତ୍ରା ରାଣୀ ପାତ୍ର।।

       ।। ବାଲେଶ୍ଵର।।

Post a Comment

0 Comments