ଶବାଖାଇ (ଚିତ୍ରାରାଣୀ ପାତ୍ର)

 



    ।। ଶବା ଖାଇ।। ( କ୍ଷୁଦ୍ରଗଳ୍ପ।)


                        ଏଇ  ଗାଉଁଲି  ଶବ୍ଦଟିକୁ  ହୁଏତ  ଆମ  ମଧ୍ୟରୁ  ଅନେକ ଜାଣି ନ ଥିବେ। ମାତ୍ର ଗାଆଁ ଗହଳରେ ଏଇ ଶଦ୍ଦ ବହୁଳ ଭାବରେ ବ୍ୟବହୃତ ହୁଏ। ଏହାର ଆକ୍ଷରିକ ଅର୍ଥ ହେଲା, ଯିଏ ଜନ୍ମ ହେବା ସମୟରେ ମାଆକୁ ବା ବାପାଙ୍କୁ ହରାଏ , ଏଇ ଉପାଧିରେ ଭୂଷିତ ହୁଏ। ବିଡମ୍ବନା ଯେ ଛୋଟ ପିଲାଟିର  କୌଣସି ଦୋଷ ନ ଥାଇ ଏପରି କଥା ବା ଶବ୍ଦର ବୋଝକୁ ବହନ କରି ଜୀଵନ ତମାମ ଚାଲିଥାଏ।

                      ଅଞ୍ଜଳି, ସେଇ ଭଳି ଗାଆଁର ଝିଅଟିଏ। ଯାହାକୁ ଜନ୍ମ ଦବା ସମୟରେ ମାଆଟିର ମୃତ୍ୟୁ ହୋଇଥିଲା। ଏକେତ ମାଆ ଛେଉଣ୍ଡ ପିଲା, ନାହି ନ ଥିବା ଦୁଃଖ, ଉପରେ ଲୋକଙ୍କ ଅବିବେକୀ ତାନା। ବାପାଟି ବିଚରା କେତେ କଷ୍ଟରେ ପିଲାକୁ ବଢାଏ ମାଆ ହୋଇ ପୁଣି ବାପା ହୋଇ ସେହିଁ ଜାଣିଥାଏ । ଆମ ସମାଜରେ ଏଇ ସବୁ ସ୍ଥିତି କିଛି ନୂଆ ନୁହେଁ।

ତେଣୁ କିଏ କାହିଁକି ପ୍ରତିବାଦର ସ୍ବର ଉଠାଇବାକୁ ଯିବ?।

                     ଅଞ୍ଜଳି କେତେ ଶୀଘ୍ର ଚନ୍ଦ୍ରକଳା ଭଳି ବଢ଼ିଗଲା ଜାଣି ହେଲାନି ସମୟ ସ୍ରୋତରେ। ଚନ୍ଦ୍ର ଉଦିଆ ରୂପ ଧରି ଗାଆଁ  ଦାଣ୍ଡ ଦେଇ ଚାଲିଗଲା ବେଳେ କେତେ ନଜର ଅଟକି ଯାଏ ହିସାବ ନାହିଁ। କେଉଁ ଦକ୍ଷ ବିନ୍ଧାଣୀ ଅତି ସୁନ୍ଦର ଭାବରେ ଗଢି ଦେଇଛି ତାକୁ, ଦେଖି ଆଖି ଲାଖି ଯାଏ। କ୍ରମେ ବିବାହ ବୟସ ପାଖେଇ ଆସିଲା। ଯେମିତି ହେଉ ମ୍ୟାଟ୍ରିକ ସେକେଣ୍ଡ କ୍ଲାସ ପାଇ ପାସ୍ କଲା। ବାପାର ଅଣ୍ଟା  ସେତିକିରେ ଭାଙ୍ଗି ପଡ଼ିଲା, ଆଗକୁ ବୋଝ କିଏ ଉଠାଇବ, ରାତିରେ ନିଦ ହଜିଯାଏ କାଶିଆର । ଭଗବାନଙ୍କୁ ଯାହା ଭରସା।

                     ଗାଆଁର ପିଲା ସୁଧାଂଶୁ ଶେଖର ପଣ୍ଡା, ସହରରୁ ପାଠ ପଢି ସାରି ଗାଆଁ ଆଡେ ଆସିଥାଏ। ଧନୀ ଘରର ପିଲା। ଡାକ୍ତରୀ ପରୀକ୍ଷା ସଦ୍ୟ ସରିଥାଏ। ଉଜ୍ଜ୍ବଳ ଭବିଷ୍ୟତ। ତାର ଗାଆଁ ଆସି ଆଗ ନଜର ପଡିଗଲା , ଅଞ୍ଜଳି ଉପରେ।

କେତେ ବାହାନା କରି ତାର ଘର ଆଗ ଦେଇ ଯାଏ, ଟିକିଏ ଦେଖା ପାଇଲେ କଥା ହୁଅନ୍ତା। ଦିନେ ଯୋଗକୁ ଅଞ୍ଜଳି ସଞ୍ଜ ବେଳେ ନଈ ତୁଠରୁ ଫେରୁ ଥିଲା ଏକୁଟିଆ। ହାବୁଡ଼ି ଗଲା  ସୁଧାଂଶୁ। ବହୁତ୍ ବର୍ଷ ଆଗରୁ ସାନ ଥିଲା ବେଳେ କଥା ହୋଇଥିଲା ଯଦିଓ, ଏବେର କଥା ଅଲଗା। ସହରୀ ପିଲା ଅନ୍ଧ ବିଶ୍ବାସ କରେନି। ଅଧିକନ୍ତୁ ତାକୁ କିଏ ସେଇ ଶବା ଖାଇ କହିଲେ, ଘୋର ପ୍ରତିବାଦ କରେ। କିଛି ଦିନ ପରେ ପୁଣି ଫେରିଯିବ ସହର। ଅଞ୍ଜଳିକୁ କଣ ବା ପଚାରିବ ଭାବି ଭାବି, ମ୍ୟାଟ୍ରିକ ପରୀକ୍ଷାରେ କିପରି ହେଲା, ଏମିତି ଲାଜ ଲାଜ ହୋଇ ପଚାରି ଦେଲା। କଲେଜ ପଢ଼ା ହେବନିକି?, ଉତ୍ତର ଶୁଣିଲା ଅଳ୍ପ ଦୁଇ ନମ୍ବର ପାଇଁ ପ୍ରଥମ ଶ୍ରେଣୀରେ ପାସ୍ କରି ପାରିଲାନି। ଏମିତି ଦୁଇ ଚାରିଟା କଥା ହୋଇଛି କି ନାହିଁ ଟୋକା ଦଳେ ପହଞ୍ଚି ସୁଧାଂଶୁକୁ ଟାହି  ଟାପରା ଆରମ୍ଭ କରିଦେଲେ। ପାଠ ଶାଠ ନାହିଁ ଛତରା ଟୋକାଏ ଆଉ କଣ ବା କରିବେ?, ଏମାନଙ୍କୁ ମୁହଁ ନ ଲଗାଇ ତା ବାଟରେ ଚାଲିଗଲା।

                ଅଞ୍ଜଳିକୁ କହିଥିଲା ଖାଲି ,ଏଇ ଭିତରେ ଏତେ ସୁନ୍ଦରୀ ଯୁବତୀ କେମିତି ହୋଇ ଗଲୁ?। କି ଔଷଧ ଖାଉଛୁ କି?, ଅଞ୍ଜଳି ଧେତ୍ କହି ଦଉଡ଼ି ଚାଲିଗଲା । ତାପରେ ଆଉ ଦେଖା ହୋଇନି। ଗୋଟିଏ ବର୍ଷ ପରେ ଅଞ୍ଜଳି ବାହାଘର କଥା ପ୍ରାୟ ଠିକ୍ ହୋଇଗଲା, ଗୋଟାଏ ପ୍ରାଇମେରୀ ସ୍କୁଲ ଶିକ୍ଷକ ସହିତ। ଏଇ କଥା ସୁଧାଂଶୁ କାନରେ କିଏ  ପକାଇଲା  ଜଣା ନାହିଁ। ସେ ତୁରନ୍ତ ଗାଆଁକୁ ଆସି  ଘରେ ଏକାନ୍ତ ଜିଦ୍ଦି କଲା

ଅଞ୍ଜଳିକୁ ବିବାହ କରିବ, ନହେଲେ ବାହା ହେବନି ରହିଯିବ ସେମିତି। ଗୋଟିଏ ବୋଲି ଗେହ୍ଲା ପୁଅ। ତା କଥା ବୋଉ ଭାଙ୍ଗି ପାରିଲାନି। କାଶିଆକୁ ଡକାଇ ଝିଅର ହାତ ମାଗିଲା  ଅତି ବିନୟ ହୋଇ। ସତେକି  ସ୍ଵର୍ଗର ଚନ୍ଦ୍ରମା ହାତରେ ଖସି ପଡ଼ିଲା। ଖୁସିରେ ଅଧୀର ହୋଇ କାନ୍ଦି ପକାଇଲା। କହିଲା ମାଆ ମୋ ଝିଅର ଏଡ଼େ ଭାଗ୍ୟ କେମିତି ହେବ, ଜନମ ପରେ ମାଆକୁ ହରାଇ ଏଡ଼େ ବୋଝ ବୋହି ଚାଲିଛି।

               ତୁମେ ସେସବୁ ଭାବନି। ପୁଅଟି ମୋର ମନ ବଳାଇଛି । ବିବାହ ସଂଯୋଗ ବଳେ ହୁଏ। ତମେ ଖାଲି ହଁ କର, ବାକି କଥା ଆମେ ବୁଝିବୁ। ସେ ପାଟି ଖନି ମାରି ଯାଉଛି କହିବ କଣ?। ଜଗା ଡାକ ଶୁଣିଛନ୍ତି। ଖୁସିରେ ଘର ମୁହାଁ ଦଉଡ଼ି ଗଲା। ଶୁଭ ଖବରଟା ଆଗ ଝିଅ ଶୁଣିବ ଅଞ୍ଜୁ  ଅଞ୍ଜ୍ଜୁ ଡାକି ପଶିଗଲା ସିଧା ସଳଖ ରୋଷେଇ ଘର ଆଡ଼କୁ। ସେ ତରକାରୀ ବସାଇ ଥିଲା। ରାତିରେ ଭାତ ହୁଏ। ଚାଷୀ ପରିବାର। ଭାତ ମୁଢ଼ି ଚୂଡା ତାଙ୍କର ଖାଦ୍ୟର। ଭଲ ଦରବ ସାତ ସପନ। ଚୁନା ମାଛ ବେସର, ଶାଗ ପଖାଳରେ ଦିନ କଟେ। ବାଡ଼ିରେ ସଜନା ଭଣ୍ଡା ଗଛ। ଲଙ୍କା, ବାଇଗଣ, ଲେମ୍ବୁ ଏମିତି କିଛି ଗଛ। ପିଜୁଳି ଗଛଟିରେ ପ୍ରଥମ କରି ଫଳିଛି। ଅଂଜୁ ଭଲ ପାଏ ପିଜୁଳି।

               ପନ୍ଦର ଦିନରେ  ବାହାଘର କଥା ଠିକ୍ ହେଇଗଲା। ଏଡେ ବଡ ଘରର ବୋହୂ ହୋଇ ଯିବ, ସାଇ ମାଇପେ  ଆଖି ତରାଟି ଚାହୁଁ ଥିଲେ। ମୁହଁ ସବୁରି ଚୁପ୍ ରହି ଗଲା। ବିଧିର ବିଧାନ। ସବୁଦିନ ସମାନ  ଯାଏ ନାହିଁ। ଶଙ୍ଖ ମହୁରୀ ବାଜା ରୋଷଣୀରେ ଧୁମ୍ ଧାମରେ ବାହାଘର ସରିଗଲା। ଭୋଜି ଭାତ ବଡ଼ ଧରଣର ହେଲା। ସଭିଏଁ ଖାଇ ଖୁସି। ନିନ୍ଦୁକ କେତୋଟି ପଛରେ କହିବାକୁ ଛାଡ଼ୁ ନ ଥାଆନ୍ତି। ସୁଧାଂଶୁ ପି ଜି କରିବ ମେଡିସିନ ବିଭାଗରେ। ଖୁସି ଘରେ ବାହାରେ, ଆତ୍ମୀୟ ସ୍ଵଜନ ସମସ୍ତେ।  ଅ ଞ୍ଜୁ ବୋଉ ପାଖରେ ରହିବ କିଛି ଦିନ। ପଢ଼ା ସରିଲେ ପାଖକୁ ଯିବ। ଗାଆଁ ଆସି ବୁଲିଯିବ ମଝିରେ ମଝିରେ।

                  ବିଦାୟ ନେଇ ପଢିବାକୁ ଚାଲିଗଲା। ଲୁହ ଛଳ ଛଳ ଆଖିରେ  ଅ ଞ୍ଜୁ  ବିଦାୟ ଦେଲା। ନୂଆ ନୂଆ ବାହାଘର କଣ ବୁଝିବା ପୂର୍ବରୁ ଅଲଗା ଅଲଗା ରହିବି। ତଥାପି ନୂଆ ମା ଟିଏ ପାଇ ବେଶ୍ ଖୁସି। ମାଆର ସ୍ନେହ ଆଦର ଜାଣିନି। ବୋଉ  ନିଜ ଝିଅ  ଭଳି ଆଦର କରିବାକୁ ଲାଗିଲେ। ସବୁ ଦୁଃଖ ଜୀଵନର ଭୁଲିଗଲା। ବାପା ଆସନ୍ତି ଝିଅକୁ ଦେଖିବାକୁ ମଝିରେ ମଝିରେ।

                 ବର୍ଷେ ପରେ, ଅଞ୍ଜଳି ମାଆ ହେବାର ଲକ୍ଷଣ ଜଣା ଗଲା। ବୋଉ ଖୁସିରେ କେତେ ଦିଅଁ ଦେବତାଙ୍କୁ ମନାସି ପକାଇଲେ। ଅଞ୍ଜଳି ବାନ୍ତି କରି କରି ଅସୁସ୍ଥ ହୋଇ ଯାଇଛି। ସୁଧା ଗାଁ ଆସି ବୁଲିଗଲା। କେତେ କଣ ସବୁ ଦେହର ଯତ୍ନ ନେବା କଥା ବୁଝାଇ ଚାଲିଗଲା। ଅଞ୍ଜଳି ଦିନକୁ ଦିନ ଦୂର୍ବଳ ହୋଇ ପଡୁଥାଏ। ଘରେ ଚିନ୍ତିତ। ଦିନ ପାଖେଇ ଆସୁଛି। ଦରକାର ହେଲେ କଟକ ବଡ଼ ଡ଼ାକ୍ତରଖାନାକୁ ଯିବ। ବଡ଼ ବଡ଼ ଡାକ୍ତର ଦେଖାଇବେ। ଆଜିକାଲି କେତେ ସୁବିଧା ହୋଇ ଗଲାଣି। ଆଗରୁ ପିଲାର ଅବସ୍ଥା ପରୀକ୍ଷା କରି ଜାଣି ହେଉଛି। ସବୁ ପରୀକ୍ଷା ନିରୀକ୍ଷା ସରିଲା। ସବୁ ଠିକ୍ ଅଛି।

                       ବଡ଼ ପେଟ। ଦିନ ପାଖେଇ ଆସିବାରୁ ସୁଧାଂଶୁ ଆସି ତାକୁ ଓ ବୋଉକୁ ନର୍ସିଂ ହୋମକୁ ନେଇ ଗଲା। ଚାରି ଦିନ ଗଡି ଗଲାଣି। ନିର୍ଦ୍ଧାରିତ ସମୟ ଠାରୁ। ବ୍ୟସ୍ତ ହୋଇ ଆଉ ଥରେ ଦେଖିନେଲେ।ପିଲାର ବେକରେ ଗୁଡ଼େଇ ଗୁଡ଼େଇ ନାଡ ରହିଛି ହାର୍ଟ ବିଟ ବଢି ଗଲାଣି। ଅପରେସନ ଜରୁରୀ। ଏବେ ସାଧାରଣ କଥା ଏଇ ଗୁଡ଼ା। ଅ ଞ୍ଜୁ  ଡରି ଡରି କାନ୍ଦି ପକାଉଛି। ଭଗବାନଙ୍କୁ ସୁମରଣା  ଛଡା ଗତି ନାହିଁ। ପିଲାଟି ବହୁ କଷ୍ଟ କରି କଢ଼ାଗଲା। ଦିକି ଦିକି ଜୀଵନ ପିଲାର ହେଉଛି। କେଉଁ ମୁହୂର୍ତ୍ତରେ କିଛିବି ହୋଇ ପାରେ। ହେଲେ ମାଆର ଜୀବନ ଉପରେ ଆଞ୍ଚ ନ ଆସୁ। ସପ୍ତାହେ ଭିତରେ ପିଲାଟି କ୍ଷୀଣରୁ  କ୍ଷୀଣତର ହେବାରେ ଲାଗିଲା। ଓଃ  କି କଷ୍ଟ or ଦୁଃଖରେ ଦିନ ବିତୁଛି।

                  ଶେଷରେ ସେଇ କରୁଣ ପରିଣତି ଅପେକ୍ଷା କରିଥିଲା। ପିଲାଟି ସବୁଦିନ ପାଇଁ ଆଖି ବୁଜି ଦେଲା। ଏଇଥର ଓଲୋଟି ଗଲା କଥା। ସୁଧାଂଶୁ ବୋଉ ଵୁଝାଉ ଥିଲେ ଗଛର ପ୍ରଥମ ଫଳ ରହେନି। ବ୍ୟସ୍ତ ହୁଅନି। ଆଗକୁ ପୁଣି ହେବ । ନିଜେ ଖାଇ ପିଇ ସୁସ୍ଥ  ରହ। ବୋକୀ ଭଳି ଚାହୁଁଛି ବଲ ବଲ କରି।

                  ତାର ବୋଉ ଲୁଚାଇ ଲୁଚାଇ ପଣତରେ ଆଖି ପୋଛିବା ଦେଖି ଦେଇଛି ଅଞ୍ଜଳି।

                          । ସମାପ୍ତ।।


          ।।ଚିତ୍ରା ରାଣୀ ପାତ୍ର।।

        ।।ବାଲେଶ୍ଵର।।

Post a Comment

0 Comments