କରୁଣାମୟୀ ମାଆ ଗୋ ( ଚିତ୍ରାରାଣୀ ପାତ୍ର)

 


।।କରୁଣାମୟୀ ମାଆ ଗୋ।।


ମାଆ ଗୋ କରୁଣାମୟୀ ଆସ ଅବତରି

ତବ କୃପା ଢ଼ାଳି ଦିଅ ଉପରେ ଆମରି,

ସିଂହ ବାହାନରେ ଆସି ପାପ ଦିଅ ନାଶି

ଜଗତ ଉଶ୍ୱାସ ହୁଏ ସବୁ ହ୍ଵନ୍ତି ଖୁସି।।


ଶରତ, ତୁମରି ପାଇଁ ବାଟଥାଏ ଚାହିଁ

ପଥକୁ ବିଛାଇ ଥାଏ ବାସ ଫୁଲ ଦେଇ,

ଛୁରିଅନା ଶେଫାଳୀର  ଭୁରୁ  ଭୁରୁ ବାସେ

ନଈ ପଠା କାଶତଣ୍ଡି ଖିଲି ଖିଲି ହସେ।।


ତୁମେ ବିରାଙ୍ଗାନା ସାଜି ଆସୁଥାଅ ଯେବେ

ଆକାଶରୁ ପୁଷ୍ପ ବୃଷ୍ଟି ହେଉଥାଏ ତେବେ,

ମାଆଗୋ ଭବାନୀ ତୁମେ ଅଟ ଜଗଦମ୍ବେ

ଲୀଳା ରଚିବାକୁ ଆସ ମରତକୁ ତୁମ୍ଭେ।।


ଥର ହର ହୁଏ ପାପୀ ତାପୀ ଛନ୍ତି ଯେତେ

ବିଶ୍ବ କଲ୍ୟାଣର ପାଇଁ ଆସିଥାଅ ମର୍ତ୍ତ୍ୟେ ,

ମହିଷା ମର୍ଦ୍ଦନ ପାଇଁ ଦେବଗଣ ଶକ୍ତି

ଉପଯୋଗ କଲ ତୁମେ ଖଟାଇଣ ବୁଦ୍ଧି।।


ବଶୀଭୂତ କରିବାକୁ ହେଲ ବିବସନା

କାମାନ୍ଧ ଅସୁର ମଲା ଶକ୍ତି ନାଶ କିନା,

ହାତେ ଧରିଥିଲ ତୁମେ ଖର୍ପର ତ୍ରିଶୂଳ

ଅନ୍ତେ କରି  ଧରାଶାୟୀ ଦେଖାଇଲ ଖେଳ।।


କି ଶୁଭ ଲଗନ ଥିଲା ଦେଖି ସ୍ତବ୍ଧ ସର୍ବେ 

କି ଯକ୍ଷ ଅବା କିନ୍ନର ଆଉ  ସ୍ୱର୍ଗେ ଦେବେ,

ପୁଷ୍ପ ବୃଷ୍ଟି ସାଥେ ହେଲା ଶୁଭ ଶଙ୍ଖ ଧ୍ଵନୀ

ଘୁଞ୍ଚିଲା ବିପତ୍ତି ସବୁ ଶୁଣିଲ ଦୟିନୀ।।


ଯୁଗ ଯୁଗ ରହିଥିବ ତୁମ ନାମ ମାତ

ଯେତେ ନାମେ ପୂଜା ପାଅ ଉଡାଇବ ନେତ,

ସମଗ୍ର ଧରଣୀ ବାସୀ ହୋଇ ପୁଲକିତ

ଚଣ୍ଡୀ ପାଠ ସ୍ତବ ବୋଲି କରନ୍ତି ସ୍ବାଗତ।।


              ।। ଚିତ୍ରା ରାଣୀ ପାତ୍ର।।

               ।।ବାଲେଶ୍ଵର।।

Post a Comment

0 Comments