।। ଦେଖୁଛି ବସି ମୁଁ ପ୍ରକୃତି ସୌନ୍ଦର୍ଯ୍ୟ।।
ପ୍ରାଚୀ ଗଗନରେ ଉଦିତ ସୁରୂଜ
ପ୍ରାତଃ ଲାଲିମାରେ ଭିଜି,
ଦେଖୁଛି ତାହାର ଅଙ୍ଗ ସୌଷ୍ଠବକୁ
ବିଭୋର ମନରେ ହଜି।।
କିଏ ରୂପକାର ଛପି ଛପି ଆସି
ଆଙ୍କିଦିଏ ଏତେ ଛବି,
ସବୁଜ ବନାନୀ ସାଗର ନିଳୀମା
ସବୁ ରଙ୍ଗ ଭାବି ଭାବି।।
ଇନ୍ଦ୍ରଧନୁରସେ ସପତ ରଙ୍ଗକୁ
ଛଟକେ ଚୋରାଇ ଆଣି,
ଜାତି ଜାତି ଫୁଲ ଦେହରେ ବୋଳିଛି
ସତେକି ସଜାଇ ରାଣୀ।।
ଯହିଁ ଆଖି ଦେଖେ ଗିରି ପରବତ
ଝରଣାର ନାଦ ଶୁଭେ,
କୁଳୁ କୁଳୁ ତାନେ ନଦୀ ବହିଯାଏ
ଅନୁଢ଼ା କିଶୋରୀ ଭାବେ।।
ପକ୍ଷୀର କୂଜନ ଶୁଣି ତନୁ ମନ
ହେଉଥାଏ ପୁଲକିତ,
ବସନ୍ତ ଆଗମେ ଆମ୍ର ଶାଖାରେ
ବକୁଳ କେତେ ଶୋଭିତ।।
ହଳଦୀ ବସନ୍ତ ଉଡ଼ି ବୁଲୁଥାଏ
ଅହରହ ସାଥୀ ଖୋଜି,
କୋଇଲି ତାହାର ପଞ୍ଚମ ତାନରେ
ସପନ ଦିଏମୋ' ଭାଜି।।
ଦେଖି ପ୍ରକୃତିର ଶୋଭାର ଭଣ୍ଡାର
ଚକିତ ମନରେ ଭାବେ,
ଥରେ ଯଦି ନେତ୍ରେ ଦେଖନ୍ତି ତାହାଙ୍କୁ
ହେଉପଛେ କ୍ଷଣ ଲବେ।।
ବାନ୍ଧି ରଖନ୍ତି ମୁଁ ମାନସ ପଟରେ
ଚିତ୍ରକାର ଚିତ୍ର ପଟ୍ଟ ,
ନୟନ ପୁରାଇ ଦେଖୁଥାନ୍ତି ନିତି
ସେ ଛବିର ଦୃଶ୍ୟପଟ।।
ସର୍ଜ୍ଜନା ତାଙ୍କର ଏତେ ଚମତ୍କାର
ଓଠେ ଭାଷା ସ୍ଫୁରେ ନାହିଁ,
ବିଚିତ୍ର ବିନ୍ଧାଣୀ ସୃଷ୍ଟିର ରହସ୍ୟ
ସହଜେକି ଦେବେ କହି?।।
ଆକାଶ ପୃଥିବୀ ହୁଏ ଏକାକାର
ତାଙ୍କରି ନିର୍ଦ୍ଦେଶ ମତେ,
,ଋତୁ ପରେ ଋତୁ ଆସେ ଏ ଧରାକୁ
ସମୟର ସାଥେ ସାଥେ।।
।। ଚିତ୍ରା ରାଣୀ ପାତ୍ର।।
।। ବାଲେଶ୍ବର।।




0 Comments