।। କାବ୍ୟଲେଖା ଲେଖୁଛି।।
।। କ୍ଷୁଦ୍ର ଗଳ୍ପ।।
ଏହା ଭିତରେ ପନ୍ଦର ବର୍ଷ ବିତିଗଲାଣି ଶୁଭ, ଆମର ଶେଷ ଦେଖା ହୋଇଥିଲା ବାଣୀବିହାର ପରିସରରେ। ତୁମର ଦୃଢ଼ ପ୍ରତିଶ୍ରୁତି ବିବାହର କୁଆଡେ ପାଣିର ଫୋଟକା ଭଳି ମିଳାଇ ଗଲାଣି। ଖୁବ୍ ବେଶି ମନେ ପଡ଼ୁଛ କାହିଁକି କେଜାଣି, ଚିଠି ଲେଖୁଛି ତୁମର ଗାଆଁ ଠିକଣାରେ। ପାଇବ କି ନାହିଁ ତାହାବି ଜାଣେନି। ମନର ଆବେଗ ଅଟକାଇ ହୁଏନି। ତୁମେବି ଜଣେ ସାହିତ୍ୟିକ ଓ ମୁଁ ବି ଲେଖିକା।
ବୋଧ ହୁଏ ସଂଯୋଗ ହୋଇଥିଲା ସେଥିପାଇଁ। ବନ୍ଧୁତା ନିବିଡ଼ କରିଥିଲା ଲେଖା ଲେଖି ଯୋଗୁ। ଆଜି ଏବେ କେଉଁଠି ଅଛ, ମୋ ପାଖରେ ଖବର ନାହିଁ। ତୁମେ ଶେଷ ଦେଖାରେ କହୁଥିଲ, ଆଗାମୀ ଫଗୁଣ ମାସରେ ଦେଖା ହେବ। ତାପରେ ଫଗୁଣ ରଙ୍ଗରେ ଆସି, ପସରା ମେଲାଇ ଫୁଲର ଚାଲି ଗଲାଣି। ଗ୍ରୀଷ୍ମ, ବର୍ଷା, ଶୀତ ସବୁ ଋତୁ ଅନୁସାରେ ଆସି ଗୋଟିକ ପରେ ଗୋଟିଏ ବିଦାୟ ନେଲେଣି । ଶେଷ ଦେଖା ବେଳେ ମୋତେ ତେଇଶି ବର୍ଷ ହୋଇଥିଲା। ଏବେ ଅଠତିରିଶ ବୟସର ଦରବୁଢ଼ୀ କହିଲେ ଠିକ୍ ହେବ। ଅଧ୍ୟାପିକା ମନସ୍ତତ୍ତ୍ୱ ବିଭାଗର। ଅଛି ଭୁବନେଶ୍ୱର ରମାଦେବୀ ମହିଳା ମହାବିଦ୍ୟାଳୟରେ। ମୋ ବିଷୟରେ ଏତିକି ଜାଣି ଥାଅ। ଅପେକ୍ଷା କରି ରହିଲି ତୁମକୁ ଶେଷରେ ଅଭିଆଡ଼ି ରହିଗଲି। ବେଳେ ବେଳେ' ଲେଖା ' ଡାକ ଶୁଭିଯାଏ ତରଙ୍ଗ ଭିତରୁ, କ୍ଷଣେ ଚମକି ପଡେ। ମାତ୍ର, ସେଇଟା ଭ୍ରମ ଭାବି ନୀରବି ଯାଏ।
ତୁମର ନିଶ୍ଚୟ ସୁନ୍ଦର ଛୋଟ ସଂସାର ଥିବ ସ୍ତ୍ରୀ ଓ ପିଲାଙ୍କୁ ନେଇ। ଏତେ କୋମଳ ହୃଦୟର ଥିଲ ବୋଲି ବେଶି ଭଲ ଲାଗୁଥିଲା। କଣ ହେଲା ଏପରି ଯେ,କିଛି ଖବର ନ ଦେଇ ଅଚାନକ ଦୂରେଇ ଗଲ ନିର୍ଦ୍ଦୟ ପାଲଟିଗଲ ସମ୍ପୂର୍ଣ୍ଣ ଭାବରେ। ଜାଣିବାର ଅଧିକାର ନଥିଲା ବୋଧେ?।
ଅଭିମାନ କାହା ଉପରେ କରିବି କୁହ? ଯାହା ପାଖରେ କରିଥାନ୍ତି ସେ ଅନେକ ଦିନରୁ ଦୂରରେ। ଏ ଚିଠି ପାଇଲେ ସିନା ଜାଣିବ କିଛି। ହେଉ ଯେଉଁଠି ଥାଅ ଭଲରେ ରୁହ। କେଉଁ ସହରରେ ରହିଛ?, ଚିଠି ପାଇଲେ ଜଣାଇବ। ଭୟ କରିବନି, କାରଣ ତମର ସଂସାର ଭିତରେ ପଶି ଗୋଳମାଳ ବା ଅଡ଼ୁଆ ସୃଷ୍ଟି କରିବାର ନାହିଁ। କେବଳ ଟିକିଏ ଦେଖିବାକୁ ଇଚ୍ଛା ହେଉଛି ଏତେ ବର୍ଷ ପରେ କିପରି ଦିଶୁଛ। ଏମିତିରେ ଖୁବ୍ ଗୋରା ତକତକ ଓ ଡେଙ୍ଗା ହୋଇ ବ୍ୟକ୍ତିତ୍ଵ ଥିଲାପରି ଆକର୍ଷଣୀୟ ଚେହେରା ଥିଲା। ଅନେକ ସାଙ୍ଗ ସାଥୀ ମୋତେ ଈର୍ଷା କରୁଥିଲେ ତମର ପ୍ରେମିକା ବୋଲି। ସବୁ କିଛି ଓଲଟି ଗଲା ଜୀବନ ମୋର। କିଛି ମଧୁର ସ୍ମୃତି ନେଇ ବଞ୍ଚି ପାରିବ କାବ୍ୟଲେଖା।
ଚିଠିର ଉତ୍ତରକୁ ଅପେକ୍ଷା କରୁନି। ତଥାପି କ୍ଷୀଣ ଆଶାଟିଏ ରହିଛି ହୁଏତ ପାଇବି ଖବର। ଦଶ ଦିନ ପରେ ଚିଠି ବାଲା ବାହାରେ ଡାକୁଛି। ମୋ କାନକୁ ବିଶ୍ଵାସ ନ କରିବି ଦଉଡ଼ି ଗଲି। ହାତରେ ଧରି ଚିଠି ପଢ଼ିବାକୁ ସାହାସ ହେଉନି ଅଜଣା ଶଙ୍କାରେ ଏବେତ ମୋବାଇଲ ଯୁଗ। ହାତ ଲେଖା ଚିଠି କାହା ପାଖରୁ ଆସେନି। ଚିଠି ଗାଆଁରୁ ଆସିଛି। ହାତ ଥରୁଛି। ବିଶ୍ୱାସ କର।
ଖୋଲି ଦେଲି, ଚିଠିର ଧାଡି ଗୁଡା ମୋତେ ରକ୍ତାତ କରି ଦେଉଛି। ଏ ତୁମେ କଣ କଲ ଶୁଭ? ଏତେବଡ଼ ଖବର ଛପାଇ ରଖି ପାରିଲ ମୋତେ?। ଦୁର୍ଘଟଣା କାହାର ହୁଏନି କହିଲ? ଏହା ଅପରାଧ ନୁହେଁ। ଲୁଚାଇ ଏତେବଡ଼ ଖବର କି ଲାଭ ପାଇଲ? ଦୁଇଟା ଜୀବନ ନଷ୍ଟ ହେଲା। ଗୋଡ଼ ଦୁଇଟି ହରାଇ ନକଲି ଗୋଡ଼ରେ ଚାଲୁଛ, ଏ କଥା ଏବେ ସାଧାରଣ ଘଟଣା। କେମିତି ଭାବିନେଲ କାବ୍ୟଲେଖା ତୁମକୁ ଗ୍ରହଣ କରିବନି ପଙ୍ଗୁ ଭାବି। କାହିକିଁ କୁହ???
ଆଖିରୁ ଝର ଝର ଲୁହ ବହି ଶାଢ଼ୀ ତିନ୍ତି ଗଲାଣି। ଆଜି କଲେଜ ଛୁଟି। ମୁଁ ଖୁବ୍ ଶୀଘ୍ର ପହଞ୍ଚୁଛି ତମ ପାଖରେ, ଲେଖା ଡାକି ସ୍ଵାଗତ କରିବନି?
ଶୁଭ କେତୋଟି ଘଣ୍ଟାର ବ୍ୟବଧାନ ମାତ୍ର, ପନ୍ଦର ବର୍ଷ ଅପେକ୍ଷା କରି ସାରିବା ପରେ କିଛିଟା ଘଣ୍ଟାର ଅପେକ୍ଷା ମାତ୍ର। ଓଃ, ଶୁଭ ରାସ୍ତା ଦୂର ଲାଗୁଛି କାହିଁକି? ମୁଁ ବସ ଭିତରେ, ପ୍ରଥମ ଥର ଯାଉଛି ତୁମର ଗାଆଁ କୁ। ଯାହା ମୋର ଇପ୍ସିତ ଶାଶୂଘର । ତୁମେ ତୁମର ପ୍ରତିଶ୍ରୁତିରୁ ଓହରି ଯାଇନ। ଭୁଲ୍ ବୁଝିଥିଲି। କ୍ଷମା କରିଦିଅ।
ଲେଖା.... ପବନରେ ଭାସି ଯାଉଛି ଯେପରି ହାଲୁକା ହୋଇ।
।। ସମାପ୍ତ।।
।। ଚିତ୍ରା ରାଣୀ ପାତ୍ର।।
।। ବାଲେଶ୍ବର।।




0 Comments