।।ମନ ଥିଲା ମୋର।।
ମନ ଥିଲା ମୋର ସାଦା କାଗଜର
ଲେଖିଦେଲି ଯେବେ ତୁମରି ନାମ,
ତୂଳୀରେ ଭରି ମୁଁ ଇନ୍ଦ୍ରଧନୁ ରଙ୍ଗ,
ଆଙ୍କିଦେଲି ତହିଁ ଆମରି ପ୍ରେମ।।
ମନ ଥିଲା ମୋର ଶୁଷ୍କ ତରୁଟିଏ
ପଲ୍ଲବୀ ଉଠିଲା ପତର ଫୁଲ,
ଅଜଣା ରାଇଜୁୁ ଆସି ତୁମେ ଦେଲ
ପ୍ରେମର ପରଶ ପାଇଲ ଭଲ।।
ମନ ମୋର ଥିଲା ଶୁଖିଲା ତଟିନୀ
ସ୍ରୋତସ୍ଵିନୀତିଏ କରି ପାରିଲ,
ଭଲ ପାଇବାର ପରିଭାଷା ଟିକୁ
ସୁନ୍ଦର ଭାବରେ ବୁଝାଇ ଦେଲ।।
ମନ ଥିଲା ମୋର ନିଦାରୁଣ ଗ୍ରୀଷ୍ମ
ପ୍ରଚଣ୍ଡ ପ୍ରଦାହେ ଜାଳୁ ସେ ଥିଲା,
ଭସା ବାଦଲ ରେ ବରଷା ରୂପରେ
ଆସି ମନ ମୋର ଶୀତଳ କଲା।।
କି କିମିଆଁ କଲ ବୁଝି ମୁଁ ପାରେନା
ଏବେବି ଖୋଜୁଛି ଉତ୍ତର ତାର,
ରହିଲ ଯଦି ମୋ ମନ ମନ୍ଦିରରେ
ଛାଡ଼ି ଯିବ ନାହଁ ମୋହରି କର।।
****
।ଚିତ୍ରା ରାଣୀ ପାତ୍ର। ବାଲେଶ୍ଵର।




0 Comments