ବୃଦ୍ଧ କାଳେ ବୃଦ୍ଧାଶ୍ରମ(ଶ୍ରୀମତୀ ପ୍ରଭାତୀ ପଣ୍ଡା, ନରସିଂହପୁର, କଟକ)

 


                    


ଶୀର୍ଷକ -- ବୃଦ୍ଧ କାଳେ ବୃଦ୍ଧାଶ୍ରମ 

        ସନ୍ତାନଙ୍କ ପ୍ରତିଦାନ 

             *******

ଭଲରେ ଥାଆ ତୁ   ମୋ ଜୀବନ ଧନ

        ଅଛି ମୁଁ ଭଲରେ ଏଠି

ଶହେ ହାତ ଆସି       ଆଉଁସି ଦିଅନ୍ତି

       ନିତି କଟା ଦାଗ  ପିଠି ।।୧।

ଦଶମାସ ତୋତେ    ଗର୍ଭେ ଧରି ଥିଲି

       ଦିନ ରାତି କଷ୍ଟ ବୋହି,

ତୋ ପାଇଁ ରେ ଧନ  ଖାଇନି ଶୋଇନି 

        କାହାକୁ କହିନି ଯାଇ ।।୨।

ତୋ ଓଜନ ଯେବେ ବଢେ ଧୀରେ ଧୀରେ 

     କେତେ ଦୁଃଖେ ଚାଲେ ବାଟ,

ତୋ ଭାରି ମୋତେ ତ ଫୁଲ ଲାଗୁ ଥିଲା

         ମୋ ଭାରି ପାଇଁକି ଛାଟ ।।୩।

ବାପା ତୋର ଖଟି   ପାଳୁ ଥିଲା ତୋତେ

        ବୁଢା କାଳେ ହେବୁ ସାହା,

ଏତେ ଯାତନା ତୁ   ଦେଲୁ ତୋ ବାପାକୁ

               ଜୁଇରେ ନିଆଁ ।।୪।

ଏକ ଅଙ୍ଗ ବଡ଼           ନାରଖାର ଧନ

          ତୁହି ଥିଲୁ ଆଶାବାଡି ,

କେତେ ଅଝଟ ତୋ    ସହିଛି ରେ ଧନ

      ମୋ ପିଠିରେ ଦେଲୁ ବାଡି ।।୫।

ଅଫିସର ପୁଅ       ବୋଲି ଗର୍ବ ଥିଲା

       ବୋହୂ ଯେ ସହରବାଲି 

ବଡ଼ ଘରେ ବନ୍ଧୁ    କରି ଯା ଭୋଗିଲି

      ବୃଦ୍ଧାଶ୍ରମେ ଦେଲୁ ଠେଲି ।।୬।

କୋଳେ ଧରି ଜହ୍ନ   ଦେଖାଇ ଖୁଆଏ

           ସବୁ ପାଇଟି ପକାଇ ,

ଆଜି ମୁଠେ ତୁହି     ଖାଇବା ନଦେଇ

         ନେଲୁ ତୁ କର ଛଡେଇ ।।୭।

କେତେ କୌଶଳରେ ବୁଝେଇ ଆଣିଲୁ

         ତୁ ସାଙ୍ଗ ଘରେ ରହିବୁ,

ଆଠ ଦିନ ପରେ    ଆସି ନେଇ ଯିବି

     ଦିନେ ମୋତେ ନଖୋଜିବୁ ।।୮।

ଆଠ ଦିନ ଗଲା     ଆଠ ମାସ ଗଲା

       ଗଲାରେ ଆଠ ବରଷ,

ତୋ ବାଟ ଚାହିଁରେ  ଦିନ ସରି ଗଲା

      ସରିଲା ଯେତେ ଆୟୁଷ ।।୯।

ମୋତେ ସିନା ଜରା କଷ୍ଟ ଦେଲୁ ଧନ

       ତୋତେ ନମିଳୁ ଏ ଦୁଃଖ 

ଈଶ୍ଵର ତୋହର       ମଙ୍ଗଳ କରନ୍ତୁ 

      ତୋ ମୁଖରେ ଥାଉ ହସ ।।୧୦।

                ********

         ଶ୍ରୀମତୀ ପ୍ରଭାତୀ ପଣ୍ଡା 

           ନରସିଂହପୁର କଟକ

Post a Comment

0 Comments