।।ଶିଶିର _।।
ଶିଶିର ସ୍ନାତା ଗୋଲାପ କଳିଟି
ସ୍ମିତ ହସି କହୁଥିଲା,
କିଏ ଚିତ୍ରକର ନିସ୍ତବ୍ଧ ପ୍ରହରେ
ଆସି ମୋତି ମାଳା ଦେଲା।।୧।।
ସୃଜନୀ ଶକ୍ତିର ନାହିଁ ପଟାନ୍ତର
ସୁମନେ ମହକ ଭରି,
ସକାଳର ଚାରୁଚିତ୍ର ଦେଖିଦେଲେ
ଦୁଃଖ ମନୁ ଯାଏ ହରି.,।।୨।।
ଉଜ୍ଜ୍ୱଳ ଆଲୋକ ବିଚ୍ଛୁରିତ ହୋଇ
ହସିଉଠେ ଚତୁର୍ଦ୍ଦିଗ,
ପକ୍ଷୀର କୂଜନ ଦୂରୁ ଭାସି ଆସେ
ପୁଲକି ଦିଗ ବିଦିଗ।।୩।।
ସାଗରର ନୀଳ ବୀଚିମାଳା ପରେ
ସୂରୁଜ ରଶ୍ମିର ଖେଳ,
ଦେଖି ଦେଖି ମନ ଆନନ୍ଦେ ବିହ୍ୱଳ
ବିତିଯାଏ କେତେ ବେଳ।।୪।।
ପାହାଡ଼ି ଝରଣା କୁଳୁ କୁଳୁ ନାଦେ
ଆସେ ଛନ୍ଦମୟୀ ହୋଇ,
ମୋ କଲମମୁନ ଲେଖିଦିଏ କେତେ
ଆନନ୍ଦ ବିଭୋର ହୋଇ।।୫।।
ଆଙ୍କିପାରେନିମୁଁ ଅସଂଖ୍ୟ ଛବିକୁ
ବାଟବଣା ହୋଇଯାଏ,
ପ୍ରକୃତି ବର୍ଣ୍ଣନା ଅଟେ ସାଧ୍ୟାତୀତ
କଳପନା ହାରିଯାଏ।।୬।।
***
।। ଚିତ୍ରା ରାଣୀ ପାତ୍ର।।
।।ବାଲେଶ୍ଵର।।




0 Comments