ମୟୂର ଚୂଳିଆ ( ଚିତ୍ରା ରାଣୀ ପାତ୍ର)


               



     ।। ମୟୂର ଚୂଳିଆ ।।


ମୟୂର ଚୂଳିଆ କଦମ୍ବ ମୂଳିଆ

ସେ ହଟ ନାଗରପାଇଁ,

ରାଧାରାଣୀ ଧାଏଁ ଅଧୀରା ପାଦରେ

ତାହାକୁ ଭେଟିବାପାଇଁ।।


କେଉଁ ସମ୍ମୋହନ ଶକତିର ବଳେ

ଟାଣିନିଏ ପାଶେ ତାର,

ଅଡ଼ୁଆ ଖିଅର ସୂତା ପରି ଲାଗେ

ଗଣ୍ଠିଟା ଜବର ଯାର।।


ତା'ର ବଂଶୀ ସ୍ୱନ କୁହୁକ ସମାନ

ସୁନ୍ଦର ତାନରେ ବାଜେ,

ରାଧାରାଣୀ ମନ ହୁଏ ଛନ ଛନ

ତାଳ ଦେଇ ଖାଲି ନାଚେ।।


ବାୟାଣୀ ଭଳିଆ ହୁଏ ଦିନ ରାତି

କାହ୍ନପାଇଁ ହୁଏ ବାଇ,

ଦାଣ୍ଡରେ ହାଟରେ ନାଗରା ବାଜଇ

ସେଥିକୁ ଖାତର ନାହିଁ।।


ଶ୍ୟାମପ୍ରୀତି କିବା ମିଠାର ଜହର

ପିଇ ଯାଏ ଢକ ଢକ,

ସବୁଲାଗେ ପିତା ସୁଆଦ ଲୁଣିଆ

ତା'ପାଇଁକି ମନ ସକ।।


ଜୀବନ ମରଣ ସବୁ ଏକାକାର

ଏକା କାହ୍ନା ପ୍ରୀତି ଟାଣ,

ଖଣ୍ଡାଧାରେ ସିଏ ଚାଲି ପାରୁଥାଏ

ଜୀବନକୁ କରି ପଣ।।

            ***

  ।। ଚିତ୍ରା ରାଣୀ ପାତ୍ର।।

       ।।ବାଲେଶ୍ଵର।।

Post a Comment

0 Comments