ସାବିତ୍ରୀ ବ୍ରତ - ସ୍ନେହ ମିଶ୍ର

 ସଭ୍ୟତା ସଂସ୍କୃତି ପରମ୍ପରା ରୀତି 

           ଉପବାସ ଆଉ ବ୍ରତ |

ପର୍ବପର୍ବାଣୀର ମହତ୍ୱର ଦାନ 

         ହିନ୍ଦୁ ଧର୍ମ ଶାସ୍ତ୍ରେ ବର୍ଣିତ ||୧||

ସାବିତ୍ରୀ ବ୍ରତ ଟି ଦର୍ଶନ କରାଏ 

         ନାରୀ ଶକ୍ତିର ପ୍ରତୀକ   | 

ସେ କୁଳ ଧର୍ମିଣୀ ପତିବ୍ରତା ସେହି 

            ଧର୍ମ ରକ୍ଷାର ମାନକ ||୨||

ଅନ୍ଧ ଶାଲ୍ୱ ରାଜା ଦ୍ୟୁମତ୍‍ ସେନ ସେତ 

       ରାଜ୍ୟୁ ହେଲେ ବିତାଡ଼ିତ |

ବନବାସୀ ବ୍ରତେ ପୁତ୍ର ସତ୍ୟବାନ 

          ମାତାପିତା ସେବାରତ ||୩||

ଦୈବ ସଂଯୋଗେ  ଅଲୌକିକ ପ୍ରେମ

        ହେଲା ପ୍ରଥମ ଦର୍ଶନେ |

ସତ୍ୟବାନଙ୍କୁ   ପତି ରୂପେ ସତୀ

      ବରିନେଲେ ନିଜ ମନେ ||୪||

ସତ୍ୟବାନଙ୍କର ଆୟୁ ଏକବର୍ଷ 

          ନାରଦ ମୁନିଙ୍କ ବାଣୀ   |

ପତିବ୍ରତା ନାରୀ ଧର୍ମର ପାଳନେ 

   ସାବିତ୍ରୀ ସତ୍ୟବାନ କାହାଣୀ ||୫||

ଶାଶୁ ଶଶୁରଙ୍କ  ସେବାରେ ନିରତ 

        ସୁଖରେ କଟାନ୍ତି ଜୀବନ  |

ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ପଡିଲା 

            ପତି ଆୟୁ କ୍ଷୟ ଦିନ  ||୬||

ଶାଶୁ ଶଶୁରଙ୍କ ଆଶୀର୍ବାଦ ଘେନି 

      ପତିସଙ୍ଗେ ଗଲେ ବନେ |

ନିର୍ଜନ କାନ୍ତାରେ ମୂର୍ଚ୍ଛା ହୁଅନ୍ତେ 

         ରହିଥାନ୍ତି ପ୍ରତିକ୍ଷଣେ  ||୭||

କାଳରୂପଯମ ଅନୁସରଣରେ 

          ଚର୍ଚ୍ଚା ଆଧ୍ୟାତ୍ମଜ୍ଞାନର  |

ବୁଦ୍ଧିମତାର ପରିଚୟ ଦେଇ 

    ଘେନିଲେ ତିନୋଟି ବର ||୮||

ଅନ୍ଧଶ୍ଵଶୁର ଙ୍କ ଚକ୍ଷୁ ପ୍ରଦାନ 

        ରାଜ୍ୟପ୍ରାପ୍ତ ବରଦାନ |

ଦ୍ୱିତୀୟ ବରରେ ପିତାମାତାଙ୍କର

         ପୁତ୍ରପ୍ରାପ୍ତି ଫଳଦାନ ||୯||

ପତିଙ୍କ ଔରସୁ ଶତପୁତ୍ରପ୍ରାପ୍ତି

   ବରିନେଲେ ସାଧ୍ୱୀ ସାବିତ୍ରୀ |

ନ୍ୟାୟଧର୍ମମୂର୍ତ୍ତି ସୂର୍ଯ୍ୟପୁତ୍ର ଦେଲେ 

           ପତିବ୍ରତା ଯଶ କୀର୍ତ୍ତି ||୧୦||

କାଳଜୟୀ ଏହି ସାବିତ୍ରୀ ଚରିତ 

          ପବିତ୍ର ବ୍ରତ କୁ ଆଚରି |

ପତିଙ୍କର ଦୀର୍ଘ ଆୟୁ କାମନାରେ 

         ରହେ ପତିବ୍ରତାନାରୀ  ||୧୧||

ନାରୀ ଯେ ପବିତ୍ର ପ୍ରକୃତି ସ୍ୱରୂପା 

      ପୁରୁଷ ଯେ ଧ୍ରୁବ ସତ୍ୟ  |

ଆବାହମାନରୁ ନିର୍ଝରିତ ପ୍ରେମ 

        ମୃତ୍ୟୁ କୁ କରିଚି ଜୟ     ||୧୨||

ଶାଶ୍ୱତ ପ୍ରେମ ହି ଚିରନ୍ତନ ଅଟେ 

     ସତ୍ୟ ହି ତାହାର ଆଧାର  |

ମୃତ୍ୟୁ ହିଁ ତ ଏକ କ୍ଷଣିକ ଛଳନା 

      ବିଜୟ ସର୍ବଦା ପ୍ରେମର    ||୧୩||


 ଶ୍ରୀମତୀ ସ୍ନେହ ମିଶ୍ର 

ମହାରାଷ୍ଟ୍ର






Post a Comment

0 Comments