ମୋ ମାତୃଭୂମି
ବୀର ପ୍ରସବିନୀ ତଟିନୀ ମାଳିନୀ
ମାତୃଭୂମି ମୋ ଓଡିଶା
ନାମ ମୋ ଓଡ଼ିଆ ଭାଷା ମୋ ଓଡ଼ିଆ
ଧନ୍ୟ ମଣେ ମୁହିଁ ଆହା.
କି ଗାରିମାମୟ ଅତୀତ ତାହାର
ଇତିହାସେ ସ୍ୱର୍ଣ୍ଣ।କ୍ଷରେ
ହୋଇଛି ବର୍ଣ୍ଣିତ ଗୋପବନ୍ଧୁ ମଧୂ
ଗର୍ଭୁ ତାର ଜାତ ହେଲେ.
ବକ୍ସି ଜଗବନ୍ଧୁ ସୁରେନ୍ଦ୍ର ଓ ଜୟୀ
ରଙ୍ଗଧର ବରପୁତ୍ର
କବି ରାଧାନାଥ ଉପଇନ୍ଦ୍ର ଭଞ୍ଜ
ସାରା ଜଗତେ ବିଖ୍ୟାତ.
କଳା ଭାସ୍କର୍ଯ୍ୟରେ ଅନୁପମ ସଦା
ଏଇ ମୋ ଓଡିଶା ଭୂଇଁ
କୋଣାର୍କ ମନ୍ଦିର ସପ୍ତାଶ୍ଚର୍ଯ୍ୟେ ଗଣା
ଆଶ୍ଚର୍ଯ୍ୟ ତ କିଛି ନାହିଁ.
ଉତ୍କଳ ଆରାଧ୍ୟ ପ୍ରଭୂ ଜଗନ୍ନାଥ
ଜଗତର ନାଥ ସେଇ
ସଭିଙ୍କର ଡାକ ଶୁଣିଥାନ୍ତି ଆହା
ଭକତ ଦୁଃଖକୁ ଫେଇ.
ଓଡ଼ିଶା ର ନାରୀ ଜଗତର ଶିରୀ
ରମା ନନ୍ଦିନୀ ଜୟନ୍ତୀ
ପ୍ରତିଭା ଜନଜ କାବ୍ୟ ଉପନ୍ୟାସେ
ଜଗେ ଲଭିଛନ୍ତି ଖ୍ୟାତି.
ଶାରଳା ଦାସଙ୍କ ରାମାୟଣ ଗ୍ରନ୍ଥ
ବତାଏ ଓଡ଼ିଆ ପ୍ରଜ୍ଞା
ମହାଭାରତ ଓ ଗ୍ରନ୍ଥ ଭାଗବତ
ଘରେ ଘରେ ହୁଏ କୁହା.
ଖଣ୍ଡଗିରି ଓ ଉଦୟଗିରିର
ଗୁମ୍ଫା କେତେ ଗାଥା ଗାଏ
ମରାଳ ମାଳିନୀ ନୀଳାମ୍ବୁ ଚିଲିକା
ଆଜି ବି ତ କଥା କହେ.
ଶାସ୍ତ୍ରୀୟ ମାନ୍ୟତା ଲଭିଛି ଓଡ଼ିଆ
ଭାଷା ଆଜି କାଳଜୟୀ
ଜେତେ କବି ଆଉ କବୟତ୍ରୀ ଗଣ
ଖ୍ୟାତି ପାଇଲେଣି ଆଜି,
ବନ୍ଦଇ ଉତ୍କଳ ଜନନୀ ପୟରେ
ମସ୍ତକକୁ ମୋର ନଇଁ
ଯେତେ ହେଲେ ବଡ଼ ମାତ୍ର
ଭୂମି ସେ ମୋ କେବେ କି ଭୁଲିବି ମୁହିଁ ।
***
କବୟତ୍ରୀ ସରସ୍ଵତୀ ମିଶ୍ର
ମାର୍ଫତ୍-ଶ୍ରୀ କୃଷ୍ଣ ଚନ୍ଦ୍ର ମିଶ୍ର
ରାଧାକୃଷ୍ଣ ନିବାସ,ଆନନ୍ଦନଗର.
ବଲାଙ୍ଗିର,ପିନ୍-767002
ଫୋନ-8895558976.



0 Comments