ରାମ ରସାୟନ (ଶ୍ରୀମତୀ ସୁଚିତ୍ରା ନାୟକ, ଭୁବନେଶ୍ୱର


ଦଶରଥ ନନ୍ଦନ ଶ୍ରୀରଘୁବୀର

    ମର୍ଯ୍ୟାଦା ପୁରୁଷୋତ୍ତମ

ଅଯୋଧ୍ୟା ନରେଶ ରସାସୁତା ଈଶ

    ଚରଣେ ଘେନ ପ୍ରଣାମ ।।୧।।

ହେ ପ୍ରଜାବତ୍ସଳ ଦୟାର ସାଗର

    ନ୍ୟାୟବନ୍ତ ଶିରୀରାମ

ପିତା ଦଶରଥ ମାତା କୌଶଲ୍ୟାଙ୍କ

    କୋଳରେ ନେଲ ଜନମ ।।୨।।

ପାପୀ ଅଧର୍ମୀଙ୍କୁ ସଂହାରିବା ଲାଗି

     ଅବତରିଲ ଧରାରେ

ପିତୃସତ୍ୟ ପାଳି ଚଉଦ ବରଷ

     କାଟିଲ ବନବାସରେ ।।୩।।

ପତ୍ନୀର ହରଣ ଅନେକ କଷଣ

     ସହ୍ୟ କରି ବନବାସେ 

ପାପିଷ୍ଠ ରାବଣ ବଧିଲେ ଆପଣ

     ଧରାକୁ କରି ଉଶ୍ୱାସେ ।।୪।।

କରୁଣା ସାଗର ତବ କୃପାବଳେ

     ଯାଏ ତରି ଭକ୍ତଜନ

ରାମ ନାମ ଜପି ଦସ୍ୟୁ ରତ୍ନାକର

     ହେଲେ ବାଲ୍ମୀକି ମହାନ ।।୫।।

ହତ୍ୟା ଲୁଣ୍ଠନାଦି ପ୍ରବୃତ୍ତି ଛାଡ଼ିଣ

     ତୁମ୍ଭ ଭକ୍ତିଭାବେ ଲୀନ

ହେବାରୁ ମହର୍ଷି ବାଲ୍ମୀକି ବୋଲାଇ

     ରଚିଥିଲେ ରାମାୟଣ ।।୬।।

ପାଷାଣୀ ଅହଲ୍ୟା ତୁମ୍ଭ ପଥ ଚାହିଁ

     ପଡ଼ିଥିଲା ପଥପରେ

ତୁମ୍ଭ ପଦ ସ୍ପର୍ଶେ ଉଦ୍ଧାର ହୋଇଲା

     ଧ୍ୟାୟୀ ତୁମ୍ଭଙ୍କୁ ଅନ୍ତରେ ।।୭।।

ଜାହ୍ନବୀର କୂଳେ ବସିଲା ଧୀବର 

     ପ୍ରଭୁ ତୁମ୍ଭ ପଥ ଚାହିଁ 

ତା'ର ମନୋରଥ ଜାଣି ରଘୁନାଥ 

     ପୟର ଦେଲ ବଢ଼ାଇ ।।୮।।

ପଦ ପ୍ରକ୍ଷାଳନ କରିଣ ବସନେ 

     ପୋଛିଲା କରି ଯତନ 

ପତିତକୁ ମିତ୍ର ସ୍ୱିକାରି ବହିଲ 

     ନାମ ପତିତପାବନ ।।୯।।

ଶବରୀର ପ୍ରେମେ ବନ୍ଧାହୋଇ ପ୍ରଭୁ

     ତା କୁଟୀରେ ପାଦ ଦେଲ

କଷା ମିଠା ଫଳ ଚାଖିଣ ସେ ଦେଲା

     ତା'ର ଉଚ୍ଛିଷ୍ଟ ଭୁଞ୍ଜିଲ ।।୧୦।।

ତୁମ୍ଭ ନାମ ନେଇ ଅସାଧ୍ୟ ସାଧନ

     କଲେ ବୀର ହନୁମାନ

ଲଙ୍ଘିଣ ସାଗର ଗଲେ ଲଙ୍କାପୁର

    ସୀତା ଠାବ କଲେ ପୁଣ ।।୧୧।।

ଲଙ୍କା ଦହନଠୁ ଗନ୍ଧମାରଦନ

     ମସ୍ତକେ ଆଣିବା ବହି

ତୁମ୍ଭ ମୁକ୍ତି ଲାଗି ମହୀରାବଣକୁ

     ବଧିବା ପାତାଳେ ଯାଇ ।।୧୨।।

ସର୍ବ କାର୍ଯ୍ୟେ ସିଦ୍ଧି ତୁମ୍ଭ ନାମେ ପ୍ରଭୁ

     କରିଥାନ୍ତି ହନୁମାନ

ପ୍ରଭୁ ତୁମ୍ଭ ଭାବ ରସ ତାଙ୍କ ପାଶେ

     ସଦା ରାମ ରସାୟନ ।।୧୩।।

ମର୍ଯ୍ୟାଦା ପୁରୁଷୋତ୍ତମ ହେ ଶ୍ରୀରାମ

     ଭକ୍ତ ବତ୍ସଳ ଈଶ୍ୱର

ସଭକ୍ତି ପ୍ରଣାମ କରୁଅଛି ଘେନ 

     କହଇ ସୁଚିତ୍ରା ଛାର ।।୧୪।।

            ****

  ଶ୍ରୀମତୀ ସୁଚିତ୍ରା ନାୟକ

        ଭୁବନେଶ୍ୱର

Post a Comment

0 Comments