ପୁଣ୍ୟ ତିଥି

 💅💅 ପୁଣ୍ୟ ତିଥି 💅💅

କବିଶ୍ରୀ ସୁରେଶ କୁମାର ପ୍ରଧାନ 

✍️✍️✍️✍️✍️✍️✍️✍️


ବ୍ରହ୍ମାଙ୍କର ସୂତ ଅକ୍ଷୟ କୁମାର

     ଯେଉଁଦିନ ହେଲେ ଜାତ,

ସେହି ପୁଣ୍ୟ ତିଥେ ସରଗ ରାଇଜୁ

      ଓହ୍ଲାଇଲେ ଗଙ୍ଗା ମାତ।।

ପର୍ଶୁରାମ ଦେବ ହେଲେ ଆବିର୍ଭାବ

      ପୁଣି ସେହି ତୃତୀୟାରେ,

ଦେବ ଆଶୀର୍ବାଦେ କୁବେର ଦେବତା

       ଧନର ଚାବି ଧରିଲେ ।।

ସତ୍ୟର ପ୍ରାରମ୍ଭ ତ୍ରେତୟା ଆରମ୍ଭ

      ପୁଣି ଏହି ଦିନେ ହେଲା,

ଦ୍ଵାପର ଯୁଗର ଦ୍ରୌପଦୀ ବସ୍ତ୍ରର

    ଆଜ ଅକ୍ଷୟ ହୋଇଲା।।

ବନ୍ଧୁତାରେ ମନ ଥିଲା ଏହି ଦିନ

       କୃଷ୍ଣ ସୁଦାମା ମିଳନ,

ଅଷ୍ଟାଦଶ ଦିନ ମହା ଭାରତର 

      ଯୁଦ୍ଧ ହେଲା ଅବସାନ।।

ଦେବୀ ଅନ୍ନପୂର୍ଣ୍ଣା ହୋଇଲେ ପ୍ରସନ୍ନା

      ଧରିତ୍ରୀରେ ଆଜ ଦିନେ,

ସେଥିପାଇଁ ଆଜି ସାରା ଚାଷୀ କୁଳ

    ଭୂଲୁ ନାହିଁ କେବେ ମନେ।।

ଅକ୍ଷୟର ବୀଜ ରୋପଣ କରଇ

    ମନରେ ହୋଇ ହରଷ,

ମାତା ଅନ୍ନପୂର୍ଣ୍ଣା ସଦୟ ହୋଇଲେ

      ଖାଇବ ସାରା ବରଷ।।

ଜନକ ରାଜାଙ୍କ କୃଷିର ପ୍ରେରଣା

       ଦେଇଥିଲେ ସେ'କାଳରୁ,

ସତୀ ଦେବୀ ସୀତା ହେଲେ ଆବିର୍ଭୁତା

        ଧରିତ୍ରୀ ମାତା କୋଳରୁ।।

ଗ୍ରୀଷମେ ଅତିଷ୍ଠ ହୋଇ ଦେବା ଦେଵୀ

        ଶରୀର ଶୀତଳ ପାଇଁ,

ଚନ୍ଦନ ଯାତ୍ରାକୁ ଆପଣାନ୍ତି ଆଜୁ

      ଯେଝା ପୁଷ୍କରିଣୀ ଯାଇ।

ଶୁଭ ଦିନ ଆଉ ପୁଣ୍ୟ ତିଥି ବୋଲି

     ପ୍ରଭୁଙ୍କ ଆଦେଶ ହେଲା,

ପ୍ରତି ବରଷରେ ଆଜ ଦିନ ଠାରୁ

      ରଥ କାମ ଆରମ୍ଭିଲା।।


ବଦ୍ରିନାଥ ଧାମେ ଖୋଲଇ ଦୁଆର

      ଏହି ପବିତ୍ର ତିଥିରେ,

ବୃନ୍ଦାବନ ଧାମେ ବାଙ୍କ ବିହାରୀୟେ

      ପଦ ଦର୍ଶାନ୍ତି ବିଧିରେ।।


ହନୁମାନ ପୀଠେ ଆଜ ଦିନ ଠାରୁ

      ରାମ ଚରିତ ମାନସ,

ପାଠ କରୁଥିଲେ ପ୍ରଭୁ ବଜରଙ୍ଗି

       ଶୁଣି ହୁଅନ୍ତି ହରଷ।।


ଅକ୍ଷୟ ତୃତୀୟା ମାହାତ୍ମ୍ୟ ପାଇଁକି

     କିଣିଥା'ନ୍ତି ଲୋକେ ସ୍ୱର୍ଣ୍ଣ,

ଅକ୍ଷୟ ହୁଅଇ ଧନ ଦଉଲତ

       ଲକ୍ଷ୍ମୀ ହୁଅନ୍ତି ପ୍ରସନ୍ନ।।


ଯେକୌଣସି କାମ ଆରମ୍ଭ ପାଇଁ କି

     ଲୋଡ଼ା ପଡ଼େ ନାହିଁ ପାଞ୍ଜି,

ଶୁଭ ଦିନ ବୋଲି ଶାସ୍ତ୍ରରେ ବିଦିତ

        ଅକ୍ଷୟ ତୃତୀୟା ଆଜି।।

             🙏🙏🙏

ସମ୍ପାଦକ - ଅବଳା ସାହିତ୍ୟ ସଂସଦ,

              କୁଜଙ୍ଗ, ଜଗତସିଂହପୁର

Post a Comment

0 Comments