ଜ୍ଞାନର ମହତ୍ତ୍ୱ (ଭାରତୀ ମିଶ୍ର

 ଭାରତୀ ମିଶ୍ର।

          ଜୟପୁର, କୋରାପୁଟ 

ଜ୍ଞାନଦେବୀଙ୍କର କୃପା ହୋଇଥିଲେ

   ଲକ୍ଷ୍ମୀ ଆସେ ବଳେ ବଳେ

ଜ୍ଞାନୀଜନ କେବେ ଭୋକରେ ମରେନା

  ବଞ୍ଚି ଥାଏ କାଳେ କାଳେ ।୧

ବୁଦ୍ଧିମାନ କେବେ ଗର୍ବ କରେ ନାହିଁ

     ଫଳନ୍ତି ବୃକ୍ଷର ପରି

ଜ୍ଞାନ ବାଣ୍ଟିଥାଏ ସବୁ ବେଳେ ସିଏ

  ଶାଶ୍ଵତ ଅମୃତ ଭଳି ।୨)

 ପୁରାଣେ ବର୍ଣ୍ଣିତ ଲକ୍ଷ୍ମୀ, ସରସ୍ବତୀ

    ସପତଣୀ ଯେ ଅଟନ୍ତି

ସରସ୍ଵତୀ କୃପା ଜାହା ଠାରେ ଅଛି

   ଲକ୍ଷ୍ମୀ ଧରା ନଦିଅନ୍ତି ।୩)

ଜ୍ଞାନ ବଳେ ଜନ ଅରଜି ପାରନ୍ତି

  କେତେଯେ ଅମୂଲ୍ୟ ଧନ

ଚୋର ନିଏ ନାହିଁ ସରିଯାଏ ନାହିଁ

    ବଢିଥାଏ ସନମାନ ।୪)

ଜ୍ଞାନଧନ ଜାହା ପାଖରେ ରହିଛି

   ସେ ଅଟେ ପ୍ରକୃତ ଧନୀ

ପ୍ରତିଦିନ ବାଣ୍ଟେ କିଛି କିଛି ଅଂଶ ।

   ସଂସାର ରୀତିକୁ ଜାଣି।୫)

ଧନୀତ ଦିଏନି ନିଜର ଧନକୁ

  ସଂଞ୍ଚି ସଂଞ୍ଚି ରଖି ଥାଏ

ଆଜି ମରିଗଲେ କାଲିକୁ ଦି' ଦିନ

    ଧନ ସାଥିରେ ନଥାଏ ।୬)

ଲଭିଥିବା ଜ୍ଞାନ ହୋଇ ଆତ୍ମଜ୍ଞାନ

    ରହିଥାଏ ଆତ୍ମା ସାଥେ

ଜନମ ଯଦିବା ଲଭଇ ଧରାରେ

    ଜ୍ଞାନ ଆସେ ତା'ର ପାଶେ ।୭)

ଜ୍ଞାନ ନଈ ସଦା ଯାଏ ବହି ବହି

   ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ

କେତେ ଅଙ୍କା ବଙ୍କା ପଥ ଦେଇ ଦେଇ

     ଗତି କରି ଥାଏ ସିଏ ।୮)

 ବାଣ୍ଟି ଦେଇଥାଏ ତା' ଜ୍ଞାନ ମହକ

     ବୁଲି ଯାଏ ସ୍ଥାନ ସ୍ଥାନ

ସେହି ଜ୍ଞାନ ବଳେ ଆତ୍ମ ତୃପ୍ତି ସଦା

    ଲଭିଥାଏ ବିଜ୍ଞ ଜନ।୯)

ଜ୍ଞାନର ସୀମା ତ ସିମିତ ନୁହଁଇ

   ଧନର ସୀମା ପରାଏ

ଯେତେବେଳେ ହେଲେ ମନରେ ଥାଏରେ

   ସର୍ବଦା ଆଲୋକ ଦେଖାଏ ।୧୦)

Post a Comment

0 Comments