ଆସୁଛି ଫଗୁଣ

 

ବଉଳ କହେ ବଉଳ ଆସୁଛି ଫଗୁଣ

ରଙ୍ଗ ରେ ରଙ୍ଗ ଲଗାଇ ସୁବେଶ ହୋଇଣ

ବସନ୍ତକୁ ଘେନି ସଙ୍ଗେ ବାସନ୍ତୀ ସାଜିଣ

ସାଥିରେ ସାଥୀଙ୍କୁ ଘେନି କରି ଆମନ୍ତ୍ରଣ ।୧।

ବସନ୍ତ ପଞ୍ଚମୀ ଡାକେ ଆସ ତୁ ବହନ

ଶୀତ ମାଉସୀର ମୁଖ ପଡ଼ିଲା ମଳିନ

ଅଗ୍ନି ପୁରୁ ବାହାରିଲେ ସଧିରେ ତପନ 

ଧରଣୀ ରାଣୀର ମନ ହେଲା ଛନଛନ ।୨।

ଧୀରେ ଧୀରେ ବହୁଥିବ ମଳୟ ପବନ

କୂହୁ କୁହୁ ଶୁଭୁ ଥିବ କୋକିଳ କୂଜନ

ଖିଲି ଖିଲି ହସୁଥିବ ଅମ୍ବ୍ର କୁଞ୍ଜ ବନ 

 ଥିରି ଥିରି ନାଚୁଥିବ ନଳୀନେ ନଳୀନ।୩।

ପଲ୍ଲବରେ ପଲ୍ଲବିତ ସର୍ବ ବୃକ୍ଷ ମାନ 

ସୁବେଶ ହୋଇବ ହରଷରେ କୁଞ୍ଜବନ 

ନାନା ଦେଶରୁ ଆସିବେ ନାନା ପକ୍ଷୀଗଣ 

ବୃକ୍ଷ ଡ଼ାଳରେ ଲାଗିବ ବିହଙ୍ଗ ମେଳଣ 

ବନେ ଉପବନେ ମୁଖ ଦେଖାଇ ସୁମନ 

ନୃତ୍ୟ କରୁଥିବେ ତହିଁ ପ୍ରଜାପତି ଗଣ ।୪।

ସୁରଭି ସିଞ୍ଚନ କରୁ ଥିବ ଆମ୍ବ୍ର ବନ  

ଦଶ ଦିଗ ମହ ମହ ବାସିବ ବହନ 

ଭ୍ରମରେ ଭ୍ରମଣ କରୁଥିବେ ବନୁ ବନ

ବୀଣା ର ଝଙ୍କାର ଜିଣା ତାହାଙ୍କ ଗୁଞ୍ଜନ ।୫।


ମଧୂମାଖି ମାନେ ମଧୁ କରୁଥିବେ ପାନ

ଏ ସବୁ ସମ୍ଭାର ଘେନି ଆସିବ ଫଗୁଣ ।

                  ***

          ଉମା ବଲ୍ଲଭ ଷଡ଼ଙ୍ଗୀ 

             ବିନିକା ,ସୁବର୍ଣ୍ଣପୁର 

Post a Comment

0 Comments