ଶ୍ରୀରାମ ନବମୀ(ଶ୍ରୀ ବନମାଳୀ ବେହେରା

 🌻ଶ୍ରୀରାମ ନବମୀ🌻

  (ରାଗ:-ବଙ୍ଗଳାଶ୍ରୀ)

ହେଉ ଅର୍ଦ୍ଧପଥ ,ଅଟକିଲା ରଥ

     କଟକେ ପଡ଼ିଲା ହୁରି।

ନୋହିଛି ଗ୍ରୀଷମ, ଅସମ ଉଷୁମ

      ସହିବକି ବସୁନ୍ଧରୀ।୧।

ଅଶାନ୍ତ ବସନ୍ତ, ସଇନ ସାମନ୍ତ

      ଘେନି ଆସନ୍ତି ବାହାରି।

ଅବଧ ଗଗନ , ବିବିଧ ବରନ

       ପ୍ରକୃତି ଆକୃତି ଧରି।୨।

ଶଙ୍ଖମଲ ତଳ,ମଖମଲ ଚେଳ

     କୁସୁମ କୋମଳ କରି।

ସୁଗନ୍ଧି ସେଚନ,ଦୁର୍ଗନ୍ଧି ମୋଚନ

      କାରଣକୁ ସହଚରୀ।୩।

ତିନି ପାଟରାଣୀ,ବିଜେ କଲେ ପୁଣି

     ନିଜ ନିଜର ମନ୍ଦିରେ।

କନକ ଦୀପାଳି, ଦେଇଛନ୍ତି ଜାଳି

    ଅନ୍ଧାର ଅଛି ବନ୍ଦିରେ।୪।

ସୁନ୍ଦର ପ୍ରସୂତି, ମନ୍ଦିର ପ୍ରସ୍ତୁତି

    ପ୍ରଶ°ସୀ ପଟ୍ଟମହିଷୀ।

ବିଭୁପଦେ ଧ୍ଯାଇ,ଗର୍ଭ ଭାର ବହି

  ବିହିତ ବେଶରେ ରସି।୫।

ବସାଇ ରସାଇ,ଧାଈଏ ବଧାଇ

    ଆଶ୍ବାସି ଭାଷି ମଧୁର।

ଶୂଳ ତିନି ତିନି, କୁଳ ସୀମନ୍ଥିନୀ

    ସହିବା ସହଜ କର।୬।

କାର୍ପାସ ମୁଚୂଳି, କଟି ପୃଷ୍ଠେ ଢାଳି

   ଉଦର ଦେଲେ ସାଉଁଳି।

ଚାପି ଦନ୍ତ ପାଟି, ମୁକୁଳାଇ ଶାଟୀ

    ନେତ୍ର ଲୋତକ ଉଛୁଳି।୭।

ଛଳ ଭାଷେ ଧାଈ, କୁଳ ରକ୍ଷା ପାଇଁ

     ପୂତ ଜଳେ ତୃଷା ନାଶି।

ଉର୍ଦ୍ଧ୍ବୋଦରେ ଦାସୀ, ପଣତେ ଆକର୍ଷି

    ଭୂଇଁ ଛୁଇଁ କୁଆଁ ଘୋଷି।୮।

ଉଦେ ହେଉ ସ୍ବର, ଜ୍ଯୋତିଷ ଉତ୍ତର

    ମଧୁ ମଧ୍ଯାହ୍ନ ନବମୀ।

ଧବଳ ପକ୍ଷରେ ,ଧରଣୀ ବକ୍ଷରେ

   ମିତ୍ର କୁଳ କୁଳମଣି।୯।

ଶୁଭେ ନାଭି ଛେଦି, ସାରି ଶୌଚ ବିଧି

     କୋଳେ ଘେନି ନବ ବାଳ।

ଥନ ଭାଙ୍ଗି କ୍ଷୀର, ଦିଅନ୍ତେ କୁମର

     ଅଯୋଧ୍ଯା ପୁର ଗହଳ।୧୦।

କୁଳ ନନ୍ଦନକୁ, କୋଳାଇ ନେବାକୁ

    ବଳାଉ ମାନସ ହ°ସ।

ବାରିଲେ ସାରଥୀ, ବିଳମ୍ବିତ ଗତି

     ମେଷ ବୃଷ ଦୁଇ ମାସ।୧୧।

କଉଶଲ୍ଯା ରାଣୀ, କୋଳରେ ଜନମି

     ଶ୍ରୀରାମ ଜ୍ଯେଷ୍ଠ‌ ନନ୍ଦନ।

କୈକୟୀ ଭରତ,ସୁମିତ୍ରାଙ୍କ ସୁତ

    ଲକ୍ଷ୍ମଣ ଯେ ଶତ୍ରୁଘନ।୧୨।

ରାଜା ଦଶରଥ,ପୂର୍ଣ୍ଣ ମନୋରଥ

    କୋଳେ ଘେନି ଚାରି ପୁତ୍ର।

ଧନ୍ଯ ପୁଣ୍ଯ ଭୂମି, ଶ୍ରୀରାମ ନବମୀ

      ବ୍ରତ ପାଳୁଛି ଭାରତ।୧୩।

            ••••••••••••

🌻ବନମାଳୀ ବେହେରା,ନୟାଗଡ଼🌻

   (ଦୂରଭାଷ:-୯୭୭୭୨୦୧୩୫୯)

               --------

Post a Comment

0 Comments