ଭକତ ପ୍ରବର (ଶ୍ରୀମତୀ ସବିତା ହୋତା , ସୁବର୍ଣ୍ଣପୁର)

 ଭକତ ପ୍ରବର

ଦିନେ ଶ୍ରୀକୃଷ୍ଣ କହନ୍ତି ନାରଦଙ୍କୁ ଚାହିଁ

ସବୁଠୁ ବଡ ଭକତ ଖୋଜ ମର୍ତ୍ତ୍ଯେ ଯାଇ।

 ଶୁଣି ନାରଦ କହନ୍ତି ଆହେ ନାରାୟଣ! 

ମୋଠାରୁ ବଡ ଭକତ ନାହିଁ ତ୍ରିଭୁବନ। 

କୃଷ୍ଣ କହନ୍ତି ମହର୍ଷି କହିଲ ଉଚିତ

ତଥାପି ମର୍ତ୍ତ୍ଯରେ ଖୋଜି ଆସ ମୋ ଭକତ। 

ଶୁଣି ଋଷି ମର୍ତ୍ତ୍ଯେ ଗଲେ ସାଧୁ ବେଶ ଧରି

ପଥେ ଦେଖିଲେ ଜଣେକ ଡାକେ ହରିହରି। 

ଖଣ୍ଡାଟିଏ ହସ୍ତେ କିନ୍ତୁ ଧରିଥାଏ ସିଏ

ବିସ୍ମୟରେ ନାରଦ ପୁଛ୍ଛନ୍ତି ତୁମେ କିଏ? 

ମୁଖରେ ଉଚ୍ଚାର ହରିହରି ଘନଘନ

ହସ୍ତରେ ଏ ଖଣ୍ଡାଟିକୁ ଧର କି କାରଣ ? 

ଏହାଶୁଣି ସେ ମହାତ୍ମା ବିହିଲା ଉତ୍ତର

ନାହିଁ ମୋର ନାମ ଗ୍ରାମ ନାହିଁ ମୋର ଘର।

 ମୋର ପ୍ରଭୁଙ୍କର ରହିଛନ୍ତି ଶତ୍ରୁ ଚାରି

ସଂହାରିବା ପାଇଁ ତାଙ୍କୁ ଖଣ୍ଡା ଅଛି ଧରି। 

ଋଷି ପୁଛ୍ଛି କିଏ କିଏ ଶତ୍ରୁ ହରିଙ୍କର

ହରି ତୁଲେ ଶତ୍ରୁ ଭାବ କେମନ୍ତ ପ୍ରକାର? 

ସାଧୁ ବେଶୀ ନାରଦଙ୍କୁ କରିଣ ପ୍ରଣାମ

କହେ ଶତ୍ରୁ ମଧ୍ଯେ ସିନା ଦ୍ରୌପଦୀ ପ୍ରଥମ। 

ବେଳ ଅବେଳ ନ ବୁଝି ଡାକିନିଏ ହରି

ତା' ପାଇଁ ମୋ ପ୍ରଭୁ କ୍ଷୁଧା ନିଦ୍ରା ପରିହରି।

ହରିଙ୍କି ଲୋଡଇ ତା'ର ଥାଇ ପତି ପାଞ୍ଚ

ବସ୍ତ୍ର ଦେଇ ନିବାରିଲେ ଲଜ୍ଜା କୁରୁମଞ୍ଚ।

 ଏ ରୂପେ ଶତ୍ରୁ ଅଟଇ ହରିଙ୍କ ଦ୍ରୌପଦୀ

ଭେଟିଲେ ତାକୁ ମୁଁ ପକାଇବି ଶିରଛ୍ଛେଦୀ। 

ହରିଙ୍କର ଶତ୍ରୁ ପ୍ରହଲ୍ଲାଦ ଦ୍ବିତୀୟରେ

ଡାକିବାରୁ ରକ୍ଷା କଲେ ପଶି ଅନଳରେ। 

ହାତୀପାଦେ ଦଳାହୋଇ ଉଦ୍ଧରିଲେ ତାକୁ

ଧରିଅଛି ଖଣ୍ଡା ତେଣୁ ତାକୁ ମାରିବାକୁ। 

ମୀରା ଅଟଇ ତୃତୀୟ ଶତ୍ରୁ ହରିଙ୍କର

ସ୍ବାମୀକୁ କହି ତିଆରି କଲା ସେ ମନ୍ଦିର। 

ମୁଣ୍ଡିଆ ମାରି ମନ୍ଦିରେ ଘରକୁ ନ ଫେରେ

ତା' ସଂସାର ଛାଡି ପଡେ ହରିଙ୍କ ପଛରେ। 

ତା' ପାଇଁ ମୋ ହରି କେତେ ବଦନାମ ପାଇ 

ତେଣୁ ତାକୁ ମାରିବାକୁ ଖଣ୍ତା ଧରିଛଇଁ। 

ଚତୁର୍ଥ ଶତ୍ରୁର ନାମ କହ ନରବର

 ଶୁଣିବାକୁ ଉତ୍ସୁକତା ବଢେ ମୋ ଅନ୍ତର। 

ଚତୁର୍ଥ ଶତ୍ରୁ ନାରଦ କହନ୍ତେ ସେ ନର

ଶୁଣି ଚମକି ଦି ପାଦ ଘୁଞ୍ଚି ଋଷିବର। 

ହରିଙ୍କର ଶତ୍ରୁ ଋଷି କିପରି ହୋଇଲେ

ହେ ନରପୁଙ୍ଗବ ଏହା ବୁଝ ମୋତେ ଭଲେ।

ନାରାୟଣ ନାରାୟଣ ଯତି ଡାକି ସଦା

ଭୋଜନେ ଶୟନେ ମୋ ପ୍ରଭୁଙ୍କୁ ଦିଏ ବାଧା। 

ନାରଦ କହନ୍ତେ ଶୂନ୍ଯବାଣୀ କଂସମାମୁଁ

ହରିଙ୍କୁ ମାରିବା ପାଇଁ କରେ ଯଜ୍ଞ ଧନୁ। 

ଏ ରୂପେ ଶତ୍ରୁ ହରିଙ୍କ କଳିହା ନାରଦ

ଦେଖିଲେ ତାକୁ ପ୍ରଥମେ କରନ୍ତି ମୁଁ ବଧ। 

ଏମନ୍ତ ଶୁଣି ନାରଦ ଚିନ୍ତା କଲେ ମନେ

ମୁଁ ସିନା ଡାକଇ ହରି ନିଜ ପ୍ରୟୋଜନେ। 

ପ୍ରଭୁଙ୍କ ସୁଖ ସୁବିଧା ଲୋଡେ ଏ ଭକତ

ଜଗତରେ ଏହି ସିନା ଭକତ ପ୍ରକୃତ। 

ନାରଦଙ୍କ ମନୁ ଅହଂକାର ଗଲା ଦୂରେ

ସବିତା ଭଣେ ପ୍ରଣମି ଭକତ ପୟରେ। 

🙏ରାଧେ ରାଧେ🙏

ଶ୍ରୀମତୀ ସବିତା ହୋତା ସୁବର୍ଣ୍ଣପୁର

ଦୂରଭାଷ-୭୮୪୭୮୨୨୭୬୨

Post a Comment

0 Comments