ଗଢିବା ସାମର୍ଥ୍ୟ ନାହିଁ ମୋର ପ୍ରଭୁ
ଭାଙ୍ଗିବି କିପରି କୁହ ,
ଖୁସି ଆଣିପାରୁନାହିଁ ଜୀବନେ ଯାହାର
କିପରି ଦେବି ମୁଁ ଲୁହ ।।
କ୍ଷମା କରିବାର ଦକ୍ଷତା ନ ଥାଇ
ଶାସ୍ତି କିପରି ଦେବି ,
ବଦାନ୍ୟ ନୁହେଁ ମୁଁ ସ୍ବୟଂ ପରା ପ୍ରଭୂ
କୃପଣ କିପରି କହିବି ।।
ହସର ଜୁଆର ଖେଳାଇ ପାରୁନି
କିପରି ଦେବି କନ୍ଦାଇ,
ସୃଷ୍ଟି କରିନାହିଁ କ୍ଷୁଦ୍ର ଜୀବଟିଏ
ଧ୍ବଂସ କି କରି ପାରଇ। ।
କର୍ତ୍ତବ୍ୟ କରୁନି ସଚ୍ଚୋଟରେ ଯଦି
ଅଧିକାର କିଆଁ ମାଗିବି ,
ପ୍ରେମ ବାଣ୍ଟିନାହିଁ ସହୃଦୟେ ଯେବେ
ଘୃଣା କିପରି କରିବି ।।
ପ୍ରସଂଶା କରିନି ପାଟି କେବେ କାହା
ନିନ୍ଦା କରିବି କିପରି,
ବିପଦେ ସମୀପେ ଛିଡା ହୋଇନାହିଁ
ସଂପଦେ ପାଦ ବଢଇ। ।
ବିଚିତ୍ର ଦୁନିଆଁ ରୀତି
ତେଲିଆ ମୁଣ୍ଡରେ ତେଲ ଲାଗେ ଏଠି
ଝିଣ୍ଟିକା ମାରି, ବଣି ପୋଷଇ ।।
***
ଚନ୍ଦ୍ରକାନ୍ତି ମିଶ୍ର। ।



0 Comments