ଓଁ ନମଃ ବୁଦ୍ଧାୟ (ନରେଶ ଚନ୍ଦ୍ର)

 ଓଁ ନମଃ ବୁଦ୍ଧାୟ

୨୩/୦୫/୨୦୨୪,ମଙ୍ଗଳବାର 


କପିଳାବସ୍ତୁର ଲୁମ୍ବିନୀ ବନରେ 

ବୈଶାଖ ପୂର୍ଣ୍ଣିମା ଶୁଭ ମୁହୂର୍ତ୍ତରେ 

ମାୟାଦେବୀଙ୍କ କୋଳରେ ଜନ୍ମ ନେଲ ହେ 

ଶାନ୍ତିର ଦୂତ।

ଯେଉଁଦିନ ଆପଣ ରାଜପୁତ୍ର ହୋଇ ଶରବିଦ୍ଧ ହଂସର ସେବା କରୁଥିଲ ସେଦିନଠୁ ଆପଣଙ୍କ ଅହିଂସା ଓ ପ୍ରେମ ବାରି ହୋଇପଡ଼ୁଥିଲା।

ଜ୍ଞାନର ପିପାସାରେ ରାଜପ୍ରାସାଦର ମୋହମାୟା ବିଳାସବ୍ୟସନକୁ ତ୍ୟାଗ କରି ସନ୍ନ୍ୟାସର ବ୍ରତ ଆବୋରି ନେଲ।

ଜୀବନକୁ ପାଣି ଛଡ଼ାଇ କଠୋରରୁ କଠୋର ତପସ୍ଯାରେ ନିମଗ୍ନ ହେଲ।

ଶେଷରେ ନିରଞ୍ଜନା ନଦୀ ତଟରେ ବୋଧିବୃକ୍ଷମୂଳେ ଜ୍ଞାନର ଆଲୋକରେ ଅଭିମନ୍ତ୍ରିତ ହେଲ।

ଲବ୍ଧ ଜ୍ଞାନକୁ ଅସହାୟ ଅବହେଳିତ ଦୁଽଖୀ ଦରିଦ୍ର ଜରା ଅସୁସ୍ଥ ମଣିଷକୁ ଦାନକରି ମୁହଁରେ ଶାନ୍ତିର ହସ ଫୁଟାଇବାପାଇଁ ଶପଥ ନେଲ।

ସତ୍ୟ,ଅହିଂସା, ଶାନ୍ତି ଓ ସମାନତାର ବାର୍ତ୍ତା ଆଣି 

ଶିକ୍ଷା,ଜ୍ଞାନ,ପ୍ରେମ ଓ ମୋକ୍ଷର ମଞ୍ଜି ବୁଣିଦେଲ।

ଘୃଣାକୁ ପ୍ରେମ ମାଧ୍ଯମରେ,ଯୁଦ୍ଧକୁ ଶାନ୍ତି ମାଧ୍ଯମରେ ଅଜ୍ଞତାକୁ ଜ୍ଞାନ ମାଧ୍ଯମରେ ଜୟ କରାଯାଏ ବୋଲି 

ସ୍ୱର୍ଗୀୟ ବାର୍ତ୍ତା ବିଞ୍ଚିଦେଲ।

ଉତ୍ତମ ମଣିଷହେବାର ଯେଉଁ ମାର୍ଗ ସୃଷ୍ଟି କଲ ତାହା ଅଦ୍ଭୁତପୂର୍ବ ଥିଲା।

ସାଧାରଣ ମଣିଷର ବହୁ ନିକଟତର ହେଲ।

ଶହ ଶହ ପୁରୁଷ ଓ ମହିଳା ଆପଣଙ୍କର ଅନୁଗାମୀ ହେଲେ।

କ୍ରୋଧୀ,ଅଜ୍ଞାନୀ ଗର୍ବୀ ପାପୀ ମଣିଷର ହୃଦୟ ପରିବର୍ତ୍ତନ କଲ।

ଯୁଦ୍ଧ ହତ୍ଯା ରକ୍ତପାତରୁ ମଣିଷ ନିବୃତ୍ତ ରହିଲା।

ଜୀବ ପ୍ରେମ ମାନବ ପ୍ରେମର ମନ୍ତ୍ର ଚତୁଽପାର୍ଶ୍ୱରେ ସିଞ୍ଚନ କଲ।

ପୁଷ୍ପିତ ପୁଷ୍ପର ସୁଗନ୍ଧ ଦିଗ୍‌ ବିଦିଗ୍‌କୁ ଛୁଟି ଚାଲିଲା।

ବୁଦ୍ଧ ନାମ ଶ୍ରବଣେ ଚଣ୍ଡାଶୋକ ବି ଧର୍ମାଶୋକରେ ପରିଣତ ହେଲେ।

ଭାରତବର୍ଷର ଅନେକ ବୀର ସମ୍ରାଟ ତୁମ ଧର୍ମଆଗରେ ମଥାନତ କଲେ।

ଏ ମାନବ ଧର୍ମ ଦେଶାନ୍ତର ହେଲା।

ଚୀନ୍‌,ଶ୍ରୀଲଙ୍କା,କାମ୍ବୋଡ଼ିଆ,ଭୁଟାନ୍,ବର୍ମା,ଥାଇଲାଣ୍ଡ,କୋରିଆ ଆଦି ଦେଶରେ ଲୋକପ୍ରିୟ ହେଲା।

ସାରା ପୃଥିବୀ ତୁମକୁ ନମନ କଲା।

ସତରେ ପୃଥିବୀର ସର୍ବଶ୍ରେଷ୍ଠ ମଣିଷ ଆପଣ।

ଯୁଗ ଯୁଗ ପାଇଁ ସଂସାର ମଥାନତ ଆପଣଙ୍କ ଆଗରେ।

ଧ୍ୟାନ ମୁଦ୍ରାରେ ମଣିଷ ଆଜି ଡାକେ 

ବୁଦ୍ଧମ୍‌ ଶରଣମ୍‌ ଗଚ୍ଛାମି।

ସଂଘମ୍‌ ଶରଣମ୍‌ ଗଚ୍ଛାମି।।

ଧର୍ମଂ ଶରଣମ୍‌ ଗଚ୍ଛାମି।।।।

Post a Comment

0 Comments