ମାତୃ ବନ୍ଦନା(ଶ୍ରଦ୍ଧାଞ୍ଜଳୀ ତ୍ରିପାଠୀ, ଖଜୁରଟିକ୍ରା,ବରଗଡ଼)

         


         " ମାତୃ ବନ୍ଦନା "      

   

                  ମାଁ !

କେଉଁ ଲେଖନୀରେ ଲେଖିବି ତୋ ପାଇଁ 

      ନୁହେଁ କେବଳ ଏ ଶବ୍ଦ

ମାଁ ଅଟେ ସୃଷ୍ଟି , ପାଳନକାରୀ ଯେ,

     ଏହା ମଧ୍ୟେ ସାରା ଜଗତ ।

କେଉଁ ଶବ୍ଦ କୋଷୁ ଶବ୍ଦ ଆଣିବି ଗୋ

      କି ସଂଜ୍ଞା ଦେବି ମୁଁ ତୋତେ

ତୋହରି ଅଗ୍ରତେ ସବୁ ନାମ ଯାକ

      ଫିକା ପଡ଼ିବ ଗୋ ସତେ ।

କା' ସଙ୍ଗେ ତୋତେ ତୁଳନା କରିବି

      ତୁହି ଅଟୁ ସର୍ବୋପରି,

ତୁହି ପିତାଗୃହେ ଲକ୍ଷ୍ମୀ,ମା ଶାରଦା 

       ତୁହି ଅଟୁ ମାଁ ଧରିତ୍ରୀ ।

ତୁହି ଅଟୁ ଗଙ୍ଗା,ବାତ୍ସଲ୍ୟ ରେ ଭରା

ବୁହାଉଛୁ ପ୍ରେମ, ଅମୃତର ଧାରା ,

ପ୍ରତି ଅଙ୍ଗ ତୋର ସମର୍ପଣ କରି

      ଦେଇ ତୋ ସର୍ବସ୍ବ ପରା ।

ତୋ ପଣତ ଯେ ଶ୍ରୀକ୍ଷେତ୍ରର ନେତ

ଧୂଳି ଝାଡି କେତେ କରୁ ତୁ ଆଦର

ଅଟେ ତୋର ଗାଳି, ଦାଣ୍ଡର ଧୂଳି

ମାଆ ଡାକ ତୋର କେଡେ଼ ମଧୁର ।

କେଉଁ ସାଗରରୁ ଜଳ ଆଣିବି ଗୋ

       କରିବି ତୋ ପଦ ଧୌତ

ତୁହି ଅଟୁ ପ୍ରେମ,ବାତ୍ସଲ୍ୟ ,ମମତା

       କରୁଣାର ଝରା ସ୍ରୋତ।

ମାତୃ ସୁଖ ପାଇଁ ସ୍ଵୟଂ ନାରାୟଣ

       ଧରା ପୃଷ୍ଠେ ଅବତରିଲେ

ମାଆର ବାତ୍ସଲ୍ୟ ମମତା ଧୂଳିରେ

 ବୋଳି ହୋଇ ଧନ୍ୟ ହୋଇଲେ ।

କେଉଁ ତୀର୍ଥସ୍ଥଳ କରିବି ଭ୍ରମଣ

      ଗାଁ'ମାଟି ମୋ ଶୀରିକ୍ଷେତର 

ଷଠୀ ଘର ମୋର ଶ୍ରୀମନ୍ଦିର ହେଲେ

      ତୋ କୋଳ ମୋ ସ୍ୱର୍ଗପୁର ।

ତୋ ବାହୁ ବନ୍ଧନେ କୋଳେଇଲେ 

       ଆନନ୍ଦାଶ୍ରୁ ଯାଏ ବହି ,

ତୁ ହାତେ ଆଉଁସି ଦେଉ ଯେବେ ମାଁ

       ସ୍ୱର୍ଗସୁଖ ମୁଁ ଯାଏ ପାଇ ।

କି ପ୍ରସାଦ ଭୋଗ ଦେବି ତୋତେ

       ତୁହି ସ୍ଵୟଂ ଅନ୍ନପୂର୍ଣ୍ଣା

ଖୁଆଇଛୁ ସାରା ସଂସାର ବ୍ୟଞ୍ଜନ

     ନିଜ ପେଟ କରି ଊଣା।

ରୋଗରେ ପଡ଼ି ଦୂରରେ ଥାଇ ବି

     କେମିତି ଜାଣୁ ଗୋ ତୁହି?

ଭଲ ହେବି ବୋଲି ପ୍ରଭୁଙ୍କୁ ମନାସୁ

      ନିଜେ ଦୁଃଖ କଷ୍ଟ ସହି ।

କେଉଁ ଗୀତରେ ମୁଁ ବନ୍ଦନା କରିବି

     ସବୁ ଜଣାଣ ତ ଲାଗଇ ତୁଚ୍ଛ

ସଂସାରରେ ତୁହି ଫୁଲଗୁଚ୍ଛ ହେଲେ

      ଦୁନିଆଁଟା ଲାଗେ ମିଛ ।

କେ କରି ପାରିବ ମାଆର ବର୍ଣ୍ଣନା

ଯେତେ ଗାଇଲେ ଉଣା ହେବ ସିନା

     ଯିଏ ଅଟେ ସାରା ସଂସାର ,

ସଂସାରର ଯେତେ ମାଁ ମାନଙ୍କୁ

     ପ୍ରଣାମ ମୋ ବାରମ୍ବାର ।

ଜନ୍ମଦାତ୍ରୀ , ଷଠୀ,ଗାଁ ,ମାତୃଭୂମି

ଗୋମାତା,ଗଙ୍ଗା,ବସୁନ୍ଧରା ପୁଣି

ତାଙ୍କ ପାଦେ ଲୋଟୁ ମୋର ଶିର

    ଚିରୠଣୀ ହୋଇ ଏମାନଙ୍କୁ

      ଭଜିବି ମୁଁ ନିରନ୍ତର ,

      ଭଜିବି ମୁଁ ନିରନ୍ତର ।

       ।ବନ୍ଦେ ମାତରଂ।

              ***

      ଶ୍ରଦ୍ଧାଞ୍ଜଳି ତ୍ରିପାଠୀ 

    ଖଜୁର ଟିକ୍ରା (ବରଗଡ଼)

   ମୋ -୭୯୭୮୨୬୦୬୯୩

Post a Comment

0 Comments