କେଶବ ଚଉତିଶା( ଶ୍ରୀ ସମ୍ବିତ କୁମାର ନନ୍ଦ)

 



   🙏 #କେଶବ_ଚଉତିଶା 🙏

          "ରାଗ-ଗୁଜ୍ଜରୀ"

( ଚଉତିଶା: "କ" ଠୁ "କ୍ଷ" ଯାଏଁ )

 *କେଶବ କେଶବ କେଶବ, 

  ବନ୍ଦୀଗୃହରେ ଦେଲେ ରାବ।(୧)

*ଖେଳାଇ ହର୍ଷ ମାତା ମନେ,

  ଦେବକୀ ଚାହାନ୍ତି ପ୍ରସନ୍ନେ। (୨)

*ଗର୍ଭେ ରହିଲେ ଦଶ ମାସ,

  ତହୁଁ ଜନ୍ମିଲେ ପୀତବାସ। (୩)

*ଘେନି ମଥାରେ ବାସୁଦେବ,

  ନନ୍ଦଙ୍କ ଘର କଲେ ଠାବ। (୪)

*ଉର୍ଦ୍ଧ୍ବ ରୁ ଓହ୍ଲାଇ କାହ୍ନାଙ୍କୁ,

  ରଖିଲେ ଯଶୋଦା କୋଳକୁ (୫)

*ଚନ୍ଦ୍ର-ବଦନ ପୁତ୍ର ଥୋଇ,

ଫେରିଲେ ହସ୍ତେ କନ୍ୟା ନେଇ(୬)

*ଛାୟା ଯେସନ ତନୁ ଆଶେ,

  ଯଶୋଦା ଥାନ୍ତି କୃଷ୍ଣ ପାଶେ।(୭)

*ଜହର-କ୍ଷୀର କରି ପାନ,

  ହରିଲେ ପୂତନା ଜୀବନ। (୮)

*ଝରିଲା ବାଲ୍ୟ-ରସ ସୁଧା,

  ଦେଖି ପୂରଇ ମାତୃ-କ୍ଷୁଧା। (୯)

*ନିର୍ଭୟ ସାଜିଲେ ଗୋସାଇଁ,

 ମାଟି ଭକ୍ଷିଲେ ମାତୃ ଚାହିଁ। (୧୦)

*ଟାଣି ବାନ୍ଧିଲେ ହସ୍ତ ଦୁଇ,

ଯଶୋଦା କ୍ରୋଧେ ମତ୍ତ ହୋଇ୧୧

*ଠେଙ୍ଗା ଦେଖିଣ ମାତା ହସ୍ତେ,

 ମୁଖ ଖୋଲିଲେ ଜଗନ୍ନାଥେ। ୧୨

*ଡୋଳା ରେ ଏ'କି ଦୃଶ୍ୟ ହେଲା,

  ଚଉଦ ବ୍ରହ୍ମାଣ୍ଡ ଦିଶିଲା। ୧୩

*ଢ଼ାଳନ୍ତି ସୁମନ ଦେବତା,

 ଦେଖି ଚକିତ ଯଶୋମାତା। ୧୪

 *ଅରୁଣ ଶଶି ଦେଖି ଯହିଁ,

 ମୂର୍ଚ୍ଛିତ ହେଲେ ମାତା ତହିଁ। ୧୫

*ତନୟ ମୁଖ ଚାହିଁ ମାତା,

ହେଜିଲେ ଏ'ନିଶ୍ଚେ ଦେବତା। ୧୬

*ଥରକୁ ଥର ଯେ ଅସୁର,

ପ୍ରେଲିଲା ମାମୁଁ କଂସାସୁର। ୧୭

*ଦୁଃଖ ହରତା ଜଗନ୍ନାଥ,

  ସର୍ବ ଦାନବେ କଲେ ହତ। ୧୮

*ଧରି ହସ୍ତ ରେ ସୁଦର୍ଶନ,

 କରିଲେ ନାନା ଲୀଳା ମାନ। ୧୯

*ନାଶାର ନିମ୍ନେ ବଂଶୀ ଯୋଖି,

  ଗୋପୀଙ୍କ ମନ କୁ ପରଖି। ୨୦

*ପ୍ରୀତି ରସ ରେ ଦେଲେ ବାନ୍ଧି,

  ଗୋପୀ ରହିଲେ ତହିଁ ଛନ୍ଦି। ୨୧

*ଫୁଲକୁ ସୁବାସ ଯେସନ,

ମାଧବ ହେଲେ ଗୋପୀପ୍ରାଣ। ୨୨

*ବୈଭବ କାଞ୍ଚନ ଏଡାଇ,

କେଶବ ପଛେ ଥିଲେ ଧାଇଁ। ୨୩

*ଭଜିକି ଅଇଲା ଅକ୍ରୁର,

 ନେବାକୁ ମାମୁଁ-ଘର ପୁର। ୨୪

*ମାତୁଳ କଂସ ଡାକିଛନ୍ତି,

 ଭଣଞ୍ଜା ବେନି ନିଜ କତି। ୨୫

*ଯିବାକୁ ବାହାରି ପଡିଲେ,

ଅକ୍ରୁର ରଥେ ବିଜେ ହେଲେ। ୨୬

*ରଥ ପଛରେ ସର୍ବେ ଧାଇଁ,

ଵ୍ୟାକୁଳେ ଡାକନ୍ତି ଗୋସାଇଁ। ୨୭

*ଲଳିତ ରାଗେ ମନ ହରି,

 କାହିଁ ଯାଉଛ ଆହେ ହରି। ୨୮

*ବୁଦ୍ଧି-ଶୁଦ୍ଧି ଯେ ଯାଏ ହଜି,

  ବଞ୍ଚି କି' ପାରୁ ହରି ତେଜି। ୨୯

*ଶ୍ରୀମୁଖେ ହସି ଦେଲେ ଚାହିଁ,

 ଫେରି ଆସିବୁ ଦେଲେ କହି। ୩୦

*ଷୋଳ-କଳା ଯେ ଚକ୍ରପାଣି,

 ଭକ୍ତ ପ୍ରେମରେ ଯାନ୍ତି ଟାଣି। ୩୧

*ସଧିରେ ମଥୁରା ଗମନ,।

  ହରିଲେ କୁବୁଜା କଷଣ। ୩୨

*ହରିଲେ ମାତୁଳ ପରାଣ,

  ସର୍ବେ ଭଜିଲେ ରାଈ-ପ୍ରାଣ। ୩୩

*କ୍ଷମିବ ଥିଲେ ଦୋଷାଦୋଷ,

  ଦ୍ୱିଜ ସମ୍ବିତ କରେ ଆଶ। ୩୪


 କେଶବ ଚରଣେ ଶରଣମ୍। 🙏


ଇତି...ଦ୍ୱିଜ ସମ୍ବିତ ରଚିତ *କେଶବ ଚଉତିଶା* ସଂପୂର୍ଣ୍ଣମ୍। 🙏

Post a Comment

0 Comments