ଶିବ ଦର୍ଶନ (ନରସିଂହ ମହାରଣା,ସମ୍ବଲପୁର)

 --ଶିବ ଦର୍ଶନ --


ସୋମବାର ବୋଲି ଶୁଭ ଦିନ ଆଜି,

ଶିବ ମନ୍ଦିରକୁ ଗଲି।

ଯାହା ଥିଲା ମନେ ମୋ ମନ ବେଦନା, 

ଶମ୍ଭୁ ଆଗେ ଜଣାଇଲି।।


ଶିବ ବସିଥିଲେ ଗମ୍ଭୀରା ଭିତରେ,

ଆଗେ ଲିଙ୍ଗରାଜ ଥାଇ।

ନନ୍ଦୀ ରହିଥିଲେ‌ ଅଳ୍ପ କିଛି ଦୂରେ,

ଶିବଙ୍କ ଆଡ଼େ ମୁହାଁଇ।।

ନନ୍ଦୀ କାନରେ ମୁଁ କହିଲି ମୋ କଥା,

ସକଳ ଶୁଭ ମନାସି।

ସାହା ହେଇଥିବ ପ୍ରଭୁ ନନ୍ଦୀଦେବ,

ବିପଦେ ଆପଦେ ଆସି।।

ପଞ୍ଚ ନଦୀ ଜଳ ପଞ୍ଚାମୃତ ଧାର,

ଅରଖ ଦୁଦୁରା ଫୁଲ।

ଚମ୍ପକ ଗୟଶ ଫୁଲ ହାର ସଙ୍ଗେ,

ପତର ତ୍ରିଶାଖା ବେଲ।।

ଘୃତର ଦୀପାଳି ଅରୁଆ ଚାଉଳ, 

ସୁଗନ୍ଧିତ ଧୂପକାଠି।

ଶ୍ରୀଫଳ କଦଳୀ ସଙ୍ଗେ ନାନା ଦ୍ରବ୍ୟ,

ବାଢି ଦେଲି ନୈବୈଦ୍ୟଟି।।

ସମର୍ପି ଦେଲି ମୁଁ ଶିବଙ୍କ ନିକଟେ,

ଯେଝା ଉପଚାର ମତେ।

ଶିବ ପଞ୍ଚାକ୍ଷରୀ ମନ୍ତ୍ର ଜପି ଜପି,

ନାଚିଲି ଆନନ୍ଦ ଚିତ୍ତେ।।

ଓମ୍ ନମୋ ଶିବାୟ ଆହେ ଗଙ୍ଗାଧର,

ତ୍ରିଶୂଳ ଧାରୀ ଧୂର୍ଜଟୀ।

କୈଳାସ ବି‌ହାରି ଶୁଣ ମୋ ଗୁହାରି,

ଦିଅ ଆଶିଷ ଝଟତି।।

ହେ ଚନ୍ଦ୍ରଶେଖର ଫଣୀ ଗଳାହାର,

ସଂହାର କର୍ତ୍ତା ମୂରତୀ।

ଆହେ ଆଶୁତୋଷ ହୁଅ ବାରେ ତୋଷ,

ପାଦେ କରୁଛି ମିନତି।।

ବାରେ ଦରଶନ ଦିଅ ହେ ଈଶାନ,

ଦେଖିବି ପାପୀ ନୟନେ।

ତବ ଯଶ ଗୁଣ କୀରତି ପ୍ରମାଣ,

ଘୋଷୁଥିବି ଅନୁକ୍ଷଣେ।।


ନରସିଂହ ମହାରଣା, ଗଣେଶ ନଗର, ରେଙ୍ଗାଲି, ସମ୍ବଲପୁର।

Post a Comment

0 Comments