++++ପ୍ରଶ୍ନପତ୍ର++++
ସତରେ ମୁଁ କଣ ଏତେ ଖରାପ,
ସମୟ ଦେଉନି ସାଥି,
ଅଶୁଭ ଘଟୁଛି ପ୍ରତିଟି ବେଳାରେ,
ତିରସ୍କାର ହୁଏ ରଥୀ ।।
ସତରେ ମୁଁ କଣ ଏତେ ଖରାପ,
ସଂପର୍କ ସାତପରରେ,
ନାନା ବିଷୟ କଟୁ ଅଗ୍ନିବର୍ଧକ ,
ମୁହୁର୍ତ ଶଙ୍କା ଦ୍ଵାରରେ ।।
ସତରେ ମୁଁ କ'ଣ ଏତେ ଖରାପ,
ବିପଦ ଘେରରେ ରହି,
କୁଳକୁ ଛୁଇଁବା ସପନ ହୋଇଛି,
ନିର୍ଯ୍ୟାତନା ସୁଅ ବହି ।।
ସତରେ ମୁଁ କ'ଣ ଏତେ ଖରାପ,
ମୃତ୍ୟୁ ନିଜର କରୁନି,
ନିର୍ବାଣ କାମନା କରି ବସିଅଛି,
ଯମ ପାଖକୁ ଆସୁନି ।।
ସତରେ ମୁଁ କଣ ଏତେ ଖରାପ,
ସମୁଦ୍ର ବୁଡ ଧରୁନି,
ପାପର ଭାର ଗତଜନ୍ମର ବୋଧେ,
କୂଳରେ ଜମା ଲାଗୁନି ।।
ସତରେ ମୁଁ କଣ ଏତେ ଖରାପ,
ନିଆଁରେ ଜମା ଜଳୁନି,
ଚିତା ଭସ୍ମୀଭୂତ ପୋଡ଼ି ପାଉଁଶ,
ଅଗ୍ନି ସ୍ବୀକାର କରୁନି ।।
ସତରେ ମୁଁ କଣ ଏତେ ଖରାପ,
ପ୍ରଶଂସନୀୟ ହେଉନି,
ନିନ୍ଦାର କିରଟି ପିନ୍ଧିବା ସହଜ,
ସାବାସ ପଦେ ମିଳୁନି ।।
ସତରେ ମୁଁ କଣ ଏତେ ଖରାପ,
ପ୍ରଶ୍ନର ଉତ୍ତର ନାହିଁ,
ବାୟା ବଣା ହୋଇ ବିଷୟ ସାଗରେ,
ବଞ୍ଚିବା ଆଶ୍ରୟ କାହିଁ ।।
***
ମଧୁସ୍ମିତା ସାହୁ, ବ୍ରହ୍ମା ନଗର ପ୍ରଥମ ଗଳି,
ବ୍ରହ୍ମପୁର, ଜିଲ୍ଲା-ଗଞ୍ଜାମ ,ଓଡ଼ିଶା
ମୋ-୯୩୪୮୨୮୫୪୧୬




0 Comments