ଓଡ଼ିଆ ଭାଗବତରେ ମହାମାୟା
ଆଲେଖ୍ୟ-ବାବାଜୀ ଚରଣ ଦାସ
ଦେବକୀଙ୍କ ଗର୍ଭରେ ପ୍ରଭୁ ଅନନ୍ତ ରହିବାରୁ ଦିନକୁ ଦିନ ଗର୍ଭ ଭାରି ହୋଇ କଷ୍ଟ ବଢ଼ିବାରେ ଲାଗିଲା।କଷ୍ଟ ଲାଘବ ପାଇଁ ଦେବକୀ ପ୍ରଭୁ ଭଗବାନଙ୍କୁ ଅହର୍ନିଶି ଡାକିବାକୁ ଲାଗିଲେ। ଭଗବାନ ଦେବକୀ ଙ୍କର ମନ କଥା ଜାଣି ଦୁର୍ଗାଙ୍କୁ ନିକଟରେ ବସାଇ କହିଥିବା କଥାକୁ ଓଡ଼ିଆ ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ ଲେଖିଲେ,
"ଅମ୍ବିକା ଶୁଣ ମୋ ଉତ୍ତର।
ବହନ ଯାଅ ମଞ୍ଚପୁର।।
ମଥୁରା କଂସ ବନ୍ଦୀଘରେ।
ମିଳିବୁ ପ୍ରଥମ ପ୍ରହରେ।।
ବନ୍ଦୀ କରିଛି କଂସରାୟେ।
ଏକ ଶାଙ୍କୋଳି ବେନି ପ୍ରାୟେ।
ବସୁଦେବଙ୍କୁ ଯେତେବେଳେ।
ଧରି ଆଣିଲା କଂସ ବଳେ।।
ତାହାର ପତ୍ନୀ ନନ୍ଦଘରେ।
ଯାଇ ଲୁଚିଲା କଂସ ଡରେ।।
ରୋହିଣୀ ନାମ ବିଦ୍ୟମାନ।
ତାହାର ଗର୍ଭ ଅଛି ଶୂନ୍ୟ।।
ଦେବକୀ ଦେବୀ ନିଦ୍ରା କାଳେ।
ଗର୍ଭ ହରିବୁ ଯୋଗବଳେ।।
ମିଳିବୁ ନନ୍ଦଘରେ ଯାଇ।
ରୋହିଣୀ ଗର୍ଭେ ତାହା ଥୋଇ।।
ଜନ୍ମିବୁ ଯଶୋଦା ଉଦରେ।
ମୁଁ ପୁଣି ଯିବି ମଞ୍ଚପୁରେ।।
ଦେବକୀ ଗର୍ଭେ ହେବି ଜାତ।
ମୋତେ ଘେନିଣ ଯିବେ ତାତ।।
ତୋତେ ଆଣିବେ ମୋତେ ଥୋଇ।
ଏକଥା ନଜାଣବେ କେହି।।
ଏମନ୍ତ କଂସର ମରଣ।
ହସି କହନ୍ତି ନାରାୟଣ।।
ମଞ୍ଚେ ହୋଇବୁ ତୁ ଯେ ଜାତ।
ଜଗତେ ହୋଇବୁ ବିଖ୍ୟାତ।।
ଲୋକେ କରିବେ ତୋତେ ପୂଜା।
ଅନେକ ଦେବେ ବଳିଭୋଜା।।
ଭକତେ ହୋଇବୁ ପ୍ରସନ୍ନ।
ଅନେକ ହେବ ତୋର ନାମ।।
ଜୟା ବିଜୟା ଭଦ୍ରକାଳୀ।
ମଙ୍ଗଳା ଚଣ୍ଡିକା କଙ୍କାଳୀ।।
କନ୍ଯକା କୃଷ୍ଣା ଯେ ମାଧବୀ।
ଇଶାନୀ ଶାରଦା ବୈଷ୍ଣବୀ।।
ଦୁର୍ଗା ଅମ୍ବିକା ନାରାୟଣୀ।
ଏକୁ ଅନେକ ନାମ ଭଣି।।
ଗ୍ରାମ ଗ୍ରାମକେ କରି ସ୍ଥାନ।
ପୂଜନ୍ତେ ହୋଇବୁ ପ୍ରସନ୍ନ।।
ଅନେକ ନାମ ତୋ ଜଗତେ।
ଅନ୍ତ ମୁଁ କରିବଇଁ କେତେ।।
ପୂଜା କରିବେ ସର୍ବସ୍ଥାନେ।
ରାଜା ପରଜା ଭକ୍ତ ମାନେ।।
ସ୍ତୁତି ପଠନ ମନ୍ତ୍ର ଧ୍ୟାନ।
ଷୋଡ଼ଶ ଉପଚାର ମାନ।।
ଶୁଣ ବଚନ ଆଦିମାତା।
ଫେଡ ଦେବକୀ ମନ ଚିନ୍ତା।।
ଦେବକୀ ଗର୍ଭୁ ତା ଆଣିବୁ।
ରୋହିଣୀ ଗର୍ଭରେ ଥୋଇବୁ।।
ତାହାଙ୍କ ନାମ ଶଙ୍କର୍ଷଣ।
ଲୋକରେ ହୋଇବେ ପ୍ରମାଣ।
ନାମ ହୋଇବ ବଳରାମ।
ବଳେ ନୋହିବେ କେହି ସମ।।
ଶୁଣି ଆନନ୍ଦମନା ହୋଇ।
ମଞ୍ଚେ ଚଳିଲେ ମହାମାୟୀ।।
ହରି ଆଦେଶ ଘେନି ଶିରେ।
ମିଳିଲେ ମଥୁରା ନଗରେ।।
କଂସ ରାଜାର ବନ୍ଦୀଘରେ।
ମିଳିଲେ ପ୍ରଥମ ପ୍ରହରେ।।
ରାତ୍ରେ ଦେବକୀ ନିଦ୍ରା କାଳେ।
ଗର୍ଭ ହରିଲେ ଯୋଗବଳେ।।
ଅନନ୍ତ ଘେନି ମାୟା ଦମ୍ଭେ।
ଥୋଇଲେ ରୋହିଣୀର ଗର୍ଭେ।।
ଗର୍ଭ ସଂଯୋଗ ଦେବୀ କରି।
ଦିନକୁ ଦିନ ଗର୍ଭ ଭାରି।।
ସିଂହ ପୌର୍ଣ୍ଣମୀ ଦିନ ସାର।
ରୋହିଣୀ ପ୍ରସବେ କୁମର।।
ଧବଳ ଜ୍ଯୋତି ରୂପ ପୁଣି।
ଶିରେ ଶୋହଇ ସପ୍ତଫଣୀ।।"
ଯାହା ସେ ଦଇବ ନିର୍ମିତ।
ଦୁର୍ଗା ହୋଇଲେ ଗର୍ଭଗତ।।
ମିଳିଲେ ନନ୍ଦଘରେ ଯାଇ।
କୃଷ୍ଣ ଜନ୍ମିବା ବାଟ ଚାହିଁ।।"
ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ନିଶି ଅର୍ଦ୍ଧ ଭାଗରେ ଭଗବାନ ଶ୍ରୀକୃଷ୍ଣଙ୍କର ଧରାବତରଣ ହେଲା। ଭଗବାନ ଶ୍ରୀକୃଷ୍ଣଙ୍କର ଇଚ୍ଛା ମତେ ବସୁଦେବ ଗୋପପୁର ନନ୍ଦଙ୍କ ଗୃହକୁ ଯାଇ ଦେଖିଲେ ନନ୍ଦରାଣୀ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇ ଚେତାଶୂନ୍ଯ ହୋଇ ଶୋଇଛନ୍ତି। ଓଡ଼ିଆ ସାହିତ୍ୟର ରକ୍ଷାକର୍ତ୍ତା ଅତିବଡ଼ି ଜଗନ୍ନାଥ ଦାସ ଭାଗବତରେ ଲେଖିଲେ,
"ଚଳିଲା ନଦୀ ପାର ହୋଇ।
କୃଷ୍ଣଙ୍କୁ ହୃଦରେ ଲଗାଇ।।
ମିଳିଲା ଯାଇ ଗୋପପୁରେ।
ତକ୍ଷଣେ ନନ୍ଦର ମନ୍ଦିରେ।।
ନିଦ୍ରା ମୋହିତ ସର୍ବଜନ।
ଭୟେ ଚାହାଁଇ ଛନଛନ।।
ଅମ୍ବିକା ହୋଇଅଛି ଜାତ।
ଜଗତ ନିଦ୍ରାରେ ମୋହିତ।।
ଯଶୋଦା କୋଳେ କୃଷ୍ଣ ଥୋଇ।
କନ୍ଯା ଆଣିଲା ପାଲଟାଇ।।"
ବସୁଦେବ କୃଷ୍ଣଙ୍କୁ ଯଶୋଦା କୋଳରେ ଶୁଆଇ ଦେଇ ଅମ୍ବିକା ଙ୍କୁ ଆଣି କଂସ ବନ୍ଦୀଘରେ ପହଞ୍ଚିଲେ। ଏହି ସମୟରେ ଶିଶୁ କୁମାରୀ ଅମ୍ବିକା କୁଆଁ କୁଆଁ ରାବ କଲେ।ଆମ ଓଡ଼ିଆ ସାହିତ୍ୟର ମଉଡମଣୀ ଅତିବଡ଼ି ଜଗନ୍ନାଥ ଦାସ ଭାଗବତରେ ଲେଖିଲେ,
"ଶୁଣ ପରୀକ୍ଷ ଦଣ୍ଡଧାରୀ।
ଶିଶୁ କୁମାରୀ ରାବ କରି।।
ଶୁଣି ପ୍ରହରୀ ବେଗେ ଗଲେ।
କଂସ ଛାମୁରେ ଜଣାଇଲେ।।"
ଏକଥା ଶୁଣି କଂସ ଅତି ତରବରରେ ଆସି ପହଞ୍ଚି, ଶିଶୁ କୁମାରୀଙ୍କୁ ନେବାକୁ ଉଦ୍ୟତ ହେଲା। ଦେବକୀ ବହୁତ ଅନୁନୟ ବିନୟ ହୋଇ କହିଲେ," ଭାଇ,ଏ ତୋହର ଶତ୍ରୁ ନୁହେଁ। ଏହି କନ୍ଯା ତୋର କିଛି କ୍ଷତି କରିବ ନାହିଁ।"
କଂସ କିଛି ଶୁଣିଲା ନାହିଁ।ସେ କହିଲା, ନାରୀ ରୂପରେ ଜନ୍ମ ଗ୍ରହଣ କରି କେତେ ଅସୁରମାନଙ୍କୁ ସଂହାର କରିଛନ୍ତି। କଂସର କଥାକୁ, ଅତିବଡ଼ି ଜଗନ୍ନାଥ ଦାସ ଭାଗବତରେ ଲେଖିଲେ,
"ବଇଲୋଚନ ବୀର ଥିଲା।
ଭାରିଜା ରୂପେଣ ମାଇଲା।।
ସ୍ତିରୀ ମୂରତି ଧରି ଚଣ୍ଡୀ।
ଅନେକ ଦୈତ୍ୟ ଶିର ଖଣ୍ଡି।।
ମହିଷ ମାରି ଦୁର୍ଗା ହୋଇ।
ତା ମାୟା ନଜାଣୁ ଲୋ ତୁହି।।
ରକତ ବୀର୍ଯ୍ୟ ଚଣ୍ଡମୁଣ୍ଡ
ଘୋଟନ୍ତି ମହୀ ନବଖଣ୍ଡ।।
ଦୁର୍ଗାର ହସ୍ତେ ପ୍ରାଣ ଦେଲେ।
ଆବର ଯେତେ ଦୈତ୍ୟ ଥିଲେ।।
ଛ ପୁତ୍ର ଦେଇ ମୁରୁଛିଲୁ।
ଏବେ ତୁ ଦୁହିତା ଇଚ୍ଛିଲୁ।।"
ଏଭଳି କହି ନୃଶଂସ କଂସ ଦେବକୀ ଙ୍କ କୋଳରୁ ଅମ୍ବିକା ଙ୍କୁ ଛଡ଼ାଇ ଆଣି ଶିଳାରେ କଚାଡି ଦେଲେ।ମା ଅମ୍ବିକା ଦୂର୍ଗା, କଂସ ହାତରୁ ଖସିଯାଇ ଆକାଶ ମାର୍ଗକୁ ବିଜୁଳି ପରି ଉଠିଗଲେ। ଓଡ଼ିଆ ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ ଲେଖିଲେ,
"ଯେ ଦେବୀ ଜଗତ ସଂହାରେ।
କାହାର ବଳ ତାକୁ ମାରେ।।
କଂସର ହସ୍ତରୁ ଉଚ୍ଛୁଳି।
ଆକାଶେ ଯେସନେ ବିଜୁଳି।
ତେଜେ ଦଶଦିଗ ବିରାଜେ।
ବେନି ଚରଣ ଅଷ୍ଟଭୂଜେ।।
କେ କହୁ ଦେବୀ ଆଭରଣ।
ଅଙ୍ଗଦ ନୂପୁର କିଙ୍କଣ।।
ଗନ୍ଧ ଚନ୍ଦନ -ପୁଷ୍ପମାଳୀ
ତେତିଶ କୋଟି ଦେବେ ମିଳି।।
ସ୍ତୁତି କରନ୍ତି ସୁରମୁନି।
କଂସକୁ ବୋଲନ୍ତି ଭବାନୀ।।
ରେ କଂସ ଶୁଣ ମୋ ଉତ୍ତର।
ତୋର ବଇରୀ ଚକ୍ରଧର।।
ସେ ତୋତେ କରିବେ ସଂହାର।
ଆବର ଯେତେକ ଅସୁର।।
ତୋହର ପାଇଁ ଦେହ ବହି।
ଜାତ ହୋଇଲେ ଯହିଁ ତହିଁ।।
ତୁ ମୋତେ ନ ଜାଣି କଚାଡୁ।
ନିୟତ ପଥ କି କେ ହୁଡୁ।।
ସେ ହରି ତୋହର ବଇରୀ।
ତୋର ମରଣେ ଅବତରି।।
ସେ ଶୂନ୍ୟ ପୁରୁଷ ଗୋସାଇଁ।
ତାହା ଭେଟିବୁ ଅବା କାହିଁ।।
ଏବେ ତୁ ଶୁଣ କଂସ ବୀର।
ଏ ତୋର ବହେଣୀ ସୋଦର।।
ଏହାଙ୍କୁ ବନ୍ଦୀଘରୁ ଫେଡ।
ବେନି ଚରଣ ତଳେ ପଡ।।
ତୋଷିଣ ନିଅ ନିଜପୁର।
ତୋର ବଇରୀ ପିତାମ୍ବର।।
କହି ଚଳିଲେ ନିଜ ସ୍ଥାନ।
ଉଚ୍ଚାଟ କରି କଂସ ମନ।।
ଯାହା କହିଲେ ଜଗନ୍ମାତ।
ଜଗତେ ହୋଇଲା ବିଖ୍ୟାତ।।"
ଆମ ଓଡ଼ିଆ ସାହିତ୍ୟରେ ମା ମହାମାୟାଙ୍କ ପୂଜାର୍ଚ୍ଚନା ସମ୍ବନ୍ଧୀୟ ଅନେକ ଲୋକବାଣୀ ଓ ପୁସ୍ତକ ରହିଛି। ଆଦ୍ୟାଶକ୍ତି ସିଂହବାହିନୀ ମହାମାୟାଙ୍କ ବିଜୁଳି କନ୍ୟା ରୂପରେ ଜନ୍ମ ଗ୍ରହଣ ଅତ୍ୟନ୍ତ ମନୋମୁଗ୍ଧକର ଭାବେ ଅତିବଡ଼ି ଜଗନ୍ନାଥ ଦାସ ଭାଗବତରେ ବର୍ଣ୍ଣନା କରିଛନ୍ତି।
କୃଷ୍ଣ ଜନ୍ମ ଦିନ ଓ ମହାମାୟାଙ୍କ ଜନ୍ମ ଏକ ଦିନରେ। ସେମାନେ ସମ୍ପର୍କରେ ଭାଇ ଭଉଣୀ। ଅତିବଡ଼ି ଜଗନ୍ନାଥ ଦାସଙ୍କ ପରେ ଓଡ଼ିଆ ସାହିତ୍ୟର ଅନେକ କବି କବୟିତ୍ରୀ କୃଷ୍ଣ ଜନ୍ମ ଓ ମା ମହାମାୟାଙ୍କ ଜନ୍ମ ତଥା ବିଜୁଳି କନ୍ୟା ରୂପରେ ଶୂନ୍ୟବାଣୀ,କାବ୍ୟ କବିତା ଆକାରରେ ପ୍ରକାଶ କରିଛନ୍ତି।
କୋକିଳା ଗ୍ରୀନ ଆପାର୍ଟମେଣ୍ଟ, ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୧୯।
ମୋବାଇଲ୍-୮୮୯୫୪୮୪୨୨୩।




0 Comments