ଜନ୍ମାଷ୍ଟମୀ( ବାବାଜୀ ଚରଣ ଦାସ)

         


            ଜନ୍ମାଷ୍ଟମୀ

        ବାବାଜୀ ଚରଣ ଦାସ 

ସମଗ୍ର ଭାରତବର୍ଷରେ ଭକ୍ତିମୟ ପରିବେଶରେ ଜନ୍ମାଷ୍ଟମୀ ପାଳିତ ହୁଏ।ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଧରାପୃଷ୍ଠକୁ ଅବତରଣ କରିଥିଲେ ଭଗବାନ ବିଷ୍ଣୁ, କୃଷ୍ଣଙ୍କ ରୂପରେ ଦେବକୀ ଓ ବସୁଦେବ ଙ୍କ ପୁତ୍ର ଭାବରେ। ଉତ୍ତର ପ୍ରଦେଶର ମଥୁରା, ଗୋକୁଳ ଓ ବୃନ୍ଦାବନରେ ଏହି ଉତ୍ସବ ସାତ ଦିନ ବ୍ୟାପୀ ପାଳିତ ହୁଏ। ଗୁଜରାଟର ଦ୍ଵାରକାଧିଶ ମନ୍ଦିରରେ ଏହି ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୁଏ।କୃଷ୍ଣଙ୍କର ଜନ୍ମ ତିଥି ବିଭିନ୍ନ ନାମରେ ପରିଚିତ। ଏହା ଜନ୍ମାଷ୍ଟମୀ,ଗୋକୁଳାଷ୍ଟମୀ, କୃଷ୍ଣାଷ୍ଟମୀ, ଅଷ୍ଟମୀ ରୋହିଣୀ, ଶ୍ରୀକୃଷ୍ଣ ଜୟନ୍ତୀ ଆଦି ନାମରେ ନାମିତ। ଜନ୍ମାଷ୍ଟମୀ ସବୁଠାରୁ ଅଧିକ ପ୍ରଚଳିତ ଓ ସର୍ବଜନ ବିଦିତ ନାମ। ଓଡ଼ିଶାରେ ଏହି ଦିନ ଲୋକେ ଉପବାସ ରଖନ୍ତି ଓ ରାତି ୧୨ଟାରେ କୃଷ୍ଣ ଜନ୍ମ ଉତ୍ସବ ପାଳନ କରିଥାନ୍ତି। ଜନ୍ମାଷ୍ଟମୀ ଦିନ ଗାଁ ମାନଙ୍କରେ କେତେକ ଘର,ମଠ ମନ୍ଦିର କିମ୍ବା ଭାଗବତ ଟୁଙ୍ଗି ମାନଙ୍କରେ ହରିବଂଶ ପୁରାଣ ପାଠ ହୋଇଥାଏ। ମହାରାଷ୍ଟ୍ରରେ ଦହି ହାଣ୍ଡି ଭଙ୍ଗା ପ୍ରତିଯୋଗିତା ହୁଏ।

କେବଳ ବୃନ୍ଦାବନର ରାଧାଦାମୋଦର ମନ୍ଦିର ଓ ରାଧାରମଣ ମନ୍ଦିରରେ କୃଷ୍ଣଙ୍କ ଜନ୍ମବିଧି ଦିନରେ ପାଳିତ ହୁଏ। ଅନ୍ଯ ସର୍ବତ୍ର ଜନ୍ମାଷ୍ଟମୀ ମଧ୍ୟରାତ୍ରରେ ପାଳନ କରାଯାଏ। ଶ୍ରୀକ୍ଷେତ୍ରରେ ସ୍ଵତନ୍ତ୍ର ଭାବରେ ପାଳିତ ହୁଏ।

 ଭୋଜବଂଶରେ ଶୂରସେନ ନାମକ ଜଣେ ପ୍ରତାପୀ ରାଜା ଥିଲେ।ସେ ଅନେକ ନୃପତିଙ୍କୁ ଜୟ କରି ମଥୁରା କଟକରେ ନିଜର ଆଧିପତ୍ୟ ବିସ୍ତାର କଲେ। ସେହି ବିଷ୍ଣୁଭକ୍ତ ରାଜା ଙ୍କର ପୁତ୍ର ହେଉଛନ୍ତି ଉଗ୍ରସେନ।ଦେବକ ହେଉଛନ୍ତି ତାଙ୍କର ଭାଇ।ଦେବକ ଙ୍କର କନ୍ୟା ହେଉଛନ୍ତି ଦେବକୀ।ଦେବକ ତାଙ୍କ ଅପରୂପା ସୁନ୍ଦରୀ କନ୍ୟା ଦେବକୀ ଙ୍କୁ ନାନାଦି ଆଡ଼ମ୍ବର ସହକାରେ ବସୁଦେବଙ୍କ ସହିତ ବିବାହ କରାଇଲା।ଉଗ୍ରସେନଙ୍କ ପୁତ୍ର କଂସ ଅତ୍ୟନ୍ତ ଉଦ୍ଧତ ଓ ଅତ୍ୟାଚାରୀ ଥିଲା। ତା'ର ଚାଲିରେ ବସୁଧା ଥରୁଥିଲା।

କଂସର ଅତ୍ୟାଚାର ଓ ଅରାଜକତା ସୀମା ଟପି ସାରିଥିଲା। ଶୂନ୍ୟବାଣୀ ଶୁଣି କଂସ ନିଜ ଭଉଣୀ ଦେବକୀ ଓ ଭିଣୋଇ ବସୁଦେବଙ୍କୁ ବନ୍ଦୀ କରି ରଖିଲା। ଉଗ୍ରସେନଙ୍କୁ ସେ ରାତ୍ର ଜଗୁଆଳ ଦାୟିତ୍ଵ ଦେଇ ଅସମ୍ମାନ କଲା।କଂସର ଅତ୍ୟାଚାରରେ ଅତିଷ୍ଠ ହୋଇ ମା ଧରଣୀ ବ୍ରହ୍ମାଙ୍କ ଆଗରେ ଦୁଃଖ ଜଣାଇଲେ। ରସକଲ୍ଲୋଳର କବି ଦୀନକୃଷ୍ଣଙ୍କ ଲେଖନୀରେ,

"କଉଣପକୁଳେ ଭାରୀ ହୋଇ ଧରଣୀ ସୁନ୍ଦରୀ

ବିନୟ ହୋଇ ବ୍ରହ୍ମାଙ୍କ ଆଗେ କହିଲା।

କଂସ ପ୍ରତାପରେ ଦେହ ହୋଇଲା ଅତି ଦୁଃସହ

କି କରିବି ଏବେ କହ ବୋଲି ବୋଇଲା।

କୁଶକେତୁ ଶୁଣି ଏ କଥା

କହିଲେ ଜଗନ୍ନାଥଙ୍କୁ ଅବନୀ ବ୍ୟଥା।

କମଳମୁଖୀ-କମଳା- କଣ୍ଠ- ମରକତ-ମାଳା

ଆଜ୍ଞା ଦେଲେ କରୁଣା କଟାକ୍ଷେ ଅନାଇ।

କିଛି ନବିଚାର ତୁମ୍ଭେ ଯଦୁକୁଳେ ଯାଇ ଆମ୍ଭେ

ଜାତ ହେବୁଁ କଂସପ୍ରାଣ ଘେନିମା ପାଇଁ।

କର ଏବେ ତୁମ୍ଭେ ଗମନ

କରିବାକୁ ଗୋପକେଳି ଆମ୍ଭର ମନ।

କୃପାସିନ୍ଧୁ ଆଜ୍ଞା ପାଇ ପରମ ଆନନ୍ଦ ହୋଇ

ପଦ୍ମଯୋନି ପରବେଶ ହୋଇଲେ ପୁରେ

କିଛି ଦିନ ଅନ୍ତେ ହରି କୋଟି-କାମରୂପ ଧରି

ରହିଲେ ଯାଇ ଦେବକୀ ଦେବୀ ଗର୍ଭରେ।

କେତେ ଦିନେ ହୋଇଲେ ଜାତ

କେ ଅବା କହିବ ତାହାଙ୍କର ଚରିତ।"

ଓଡ଼ିଆ ଭାଗବତରେ,

"ବ୍ରହ୍ମା ବୋଇଲେ ଦେବେ ଶୁଣ।

ଯାହା କହିଲେ ନାରାୟଣ।।

+++

ହରିର କଳାରେ ଅନନ୍ତ।

ଆଗେ ହୋଇବେ ଗର୍ଭଗତ।।

ମାୟାର ଯୋଗବଳେ କରି

ଦେବକୀ ଗର୍ଭୁ ତାହା ହରି।।

ରୋହିଣୀ ଗର୍ଭେ ତାହା ଥୋଇ।

ଦାସବତ୍ସଳ ଭାବଗ୍ରାହୀ।।

ଆପଣେ ପ୍ରଭୁ ଜଗନ୍ନାଥ।

ଦେବକୀ ଗର୍ଭେ ହେବେ ଜାତ।।

ଦୁର୍ଗାଙ୍କୁ ଯଶୋଦାର କୋଳେ।

ଜାତ କରିବେ ଯୋଗବଳେ।।

କୃଷ୍ଣଙ୍କୁ ବସୁଦେବ ନେଇ।

ଆସିବ ନନ୍ଦଘରେ ଥୋଇ।।"

ଓଡ଼ିଆ ସାହିତ୍ୟର ମଉଡମଣୀ ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ପୁଣି ଲେଖିଛନ୍ତି,

"ଶୁଣ ହୋ ଗୋବିନ୍ଦର ଜନ୍ମ।

ଯେଣେ ଛାଡ଼ିବ ମତିଭ୍ରମ।।

ସୂର୍ଯ୍ୟର ତହୁଁ ଷଡ଼ଋତୁ।

ପ୍ରକାଶ ହୋଇ ଜନହେତୁ।।

ଋତୁଙ୍କ ମଧ୍ୟେ ଶ୍ରେଷ୍ଠ ବଳ।

ସମ୍ପୁର୍ଣ୍ଣ ବରଷାର କାଳ।।

ଭାଦ୍ରବ ମାସ କୃଷ୍ଣପକ୍ଷେ

ସକଳ ଗ୍ରହ ଛନ୍ତି ଉଚ୍ଚେ।

ଅଷ୍ଟମୀ ନିଶି ଅର୍ଦ୍ଧ ଭାଗେ।

ରୋହିଣୀ ବୃଷ ଆଦି ଲାଗେ।।

ବୃଷ ରାଶିରେ ନିଶାକର।

ନକ୍ଷତ୍ର ଗ୍ରହେ ବଳିଆର।।"

"ଆନନ୍ଦ ହେଉଅଛି ମହୀ

କୃଷ୍ଣ ଜନ୍ମିବେ ଦେହବହି।।

ବଥାଇ ଦେବକୀ ଉଦର।

ସ୍ଵାମୀକି ବୋଲଇ ଉତ୍ତର।।

ଭୋନାଥ ଚିନ୍ତ ନାରାୟଣ।

କେ ସହୁ ଗର୍ଭର କଷଣ।।

ଶୁଣି ବସୁଦେବ ଉଠିଲା।

ଦେବକୀ କଙ୍କାଳ ଧଇଲା।।

ଆବୋରି ଗୋବିନ୍ଦ ସୁମରି।

ଭୟେ ଚିନ୍ତଇ ନରହରି।।

ଆକାଶେ ଉଦେ ନିଶାକର।

ଗୋବିନ୍ଦ ଉଦରୁ ବାହାର।।

ନୀଳ ଜୀମୂତ ଦେହକାନ୍ତି।

ବଳୟ ମଣି ଝଟକନ୍ତି।।

ପୀତ ବସନ କଟୀ ଶୋହେ।

ରୂପେ କୋଟିୟେ କାମ ମୋହେ।।

କଟି ମେଖଳା ସୁନାସୂତା।

ଉତୁରୀ ସୁବର୍ଣ୍ଣ ପଇତା।।

କିରୀଟ କୁଣ୍ଡଳ କଙ୍କଣ।

ପାଦେ ନୂପୁର ରୁଣଝୁଣ।।

ଦିଶଇ ଶଙ୍ଖ ଚକ୍ର ତେଜ।

ମର୍କତ ସ୍ତମ୍ଭ ଚାରିଭୁଜ।।

ଗଦା କମଳ ଶଙ୍ଖ ଚକ୍ର।

ଅଧର ଓଷ୍ଠ ରଙ୍ଗରେଖ।।

ଶ୍ରୀବତ୍ସ ଚିହ୍ନ ହୃଦେ ଶୋହେ।

ରତ୍ନ ପାଦୁକା ବେନି ପ୍ରାୟେ।।

ଅପୂର୍ବ ରୂପ ଯୋଗେଶ୍ଵର।

ଦେବେ ମାନବେ ଅଗୋଚର।।

ଦେବକୀ ପ୍ରସବିଣ ସୁତ।

ଶ୍ରମେ ହୋଇଲା ମୋହଗତ।।

ପଛେ ଯେ ବସୁଦେବ ଥିଲା।

କୃଷ୍ଣ ରୂପକୁ ଅନାଇଲା।।

ଧୀରେ ଚାହିଁଲା ବସୁଦେବ।

ଦେଖିଲା ଅନାଦି ମାଧବ।।"

କବି ଦୀନକୃଷ୍ଣ ଦାସ, ରସକଲ୍ଲୋଳର ଲେଖିଲେ କୃଷ୍ଣ ଜନ୍ମ କଥା 

"କରେ ଶଙ୍ଖ ଚକ୍ର ଧରି କଂସ ଠାରେ କ୍ରୋଧ କରି

ବାଳକାଳୁ ବୀରବେଶ କଲେ ପ୍ରକାଶ।

କଣ୍ଠେ କଉସ୍ତୁଭମଣି କୋଟି ଶଶଧର ଜିଣି

କିରଣ ପ୍ରକାଶ ପାପ-ଅନ୍ଧାର ନାଶ।

କଟିତଟେ ପୀତବସନ,

କଳାମେଘ କୋଳରେ ବିଜୁଳି ଯେସନ।

କର୍ଣ୍ଣେ ମକର କୁଣ୍ଡଳ ଝଟକେ ଗଣ୍ଡ ମଣ୍ଡଳ

ମସ୍ତକରେ ମଣିମୟ ମୁକୁଟ ଶୋହେ।

କଳିତ ଲଳିତ ହୃଦ- ଦେଶରେ ଶ୍ରୀବତ୍ସ ପଦ

ଭାବଗ୍ରାହୀ ନାଥ ଭକ୍ତି ଭାବରେ କହେ।

କୋଟି କାମ ନିନ୍ଦେ ଶ୍ରୀଅଙ୍ଗ,

କରେ କଙ୍କଣ, ଚରଣେ ନୁପୁର ସଙ୍ଗ।।"

ବସୁଦେବ ପୁତ୍ରରୂପେ କୃଷ୍ଣଙ୍କୁ ଦେଖି ବିଚଳିତ ହୋଇ ସେହି ଭଗବାନଙ୍କ ବିରାଟତାକୁ ବର୍ଣ୍ଣନା କରି ତାଙ୍କ ଶରଣାପନ୍ନ ହେଲେ।ଆମ ଓଡ଼ିଆ ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ ଲେଖିଲେ,

"କ୍ଷଣେ ରହିଲା ସ୍ଥିର ହୋଇ।

କୃଷ୍ଣଙ୍କୁ ଦେଖି ବିଚାରଇ।।

ପୁଣି ହରିଲେ ହରି ଜ୍ଞାନ।

ଚକିତେ ବିଚାରଇ ମନ।।"

ମା ଯୋଗମାୟା ଙ୍କ ମାୟାରେ ବିମୋହିତ ବସୁଦେବ ପୁଣି ମନୁଷ୍ୟର ସ୍ଥୂଳ ଦୈହିକ ଚେତନାରେ ବିବଶ ହୋଇ ଭୟରେ ଥରିବାକୁ ଲାଗିଲେ , କିନ୍ତୁ ଅନ୍ତଃ ଚେତନାରେ ଭଗବାନ କୃଷ୍ଣଙ୍କୁ ସେ ଚିହ୍ନି ପାରିଥିଲେ। ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ ଲେଖିଲେ,

"ଭୟେ କମ୍ପଇ ତା ଶରୀର।

ୟେତ ଅନାଦି ଚକ୍ରଧର।।

ମୋ ଛାର ମନୁଷ୍ୟ ଜୀବନ।

କିମ୍ପାଇ ହୋଇଲ ପ୍ରସନ୍ନ।।

କି ବୁଦ୍ଧି କରିବଇ ମୁହିଁ।

କଂସକୁ ଡର ଯେ ହୁଅଇ।।

କୃଷ୍ଣ ଚରଣେ ଦେଇ ଶିର।

ସଧୀରେ ବୋଲଇ ଉତ୍ତର।।"

"ତୋହୋର ଆଦି ଅନ୍ତ ନାହିଁ।

ପ୍ରକୃତି ତୋତେ ନଜାଣଇ।।"

ଭଗବାନ କୃଷ୍ଣ ନିଜର ପରିଚୟ ଓ ଜନ୍ମ ହେବାର ଉଦ୍ଦେଶ୍ୟ କହିଛନ୍ତି ବସୁଦେବଙ୍କୁ।ଆମ ଓଡ଼ିଆ ଭାଗବତରେ,

"ମୋହୋର ନାମ ଭାବଗ୍ରାହୀ।

ଜନ୍ମିଲି ନିଜ ଦେହ ବହି।।

ପୁତ୍ର ଲାଳସେ ପାଳି ମୋତେ।

ପଶିବ ମୋର ଦେହେ ଅନ୍ତେ।।

ଦେବଙ୍କ ବଚନେ ମୁଁ ଜାତ।

ଅସୁର କରିବି ନିପାତ।।

ୟେବେ କହିତ ନାହିଁ ବେଳ।

ମୋତେ ଘେନିଣ ବେଗେ ଚଳ।।

ନନ୍ଦର ଘରେ ମୋତେ ଥୋଇ।

କନ୍ୟାକୁ ଆଣ ପାଲଟାଇ।।

ଏମନ୍ତ କହି ନରହରି।

ନରବାଳୁତ ରୂପ ଧରି।।"

ରସକଲ୍ଲୋଳରେ କବି ଦୀନକୃଷ୍ଣ ଦାସ ଭଗବାନ କୃଷ୍ଣଙ୍କ ଜନ୍ମ ଓ ଯୋଗମାୟା ଙ୍କ ମାୟା ବଳରେ ଜଡ କେମିତି ଚେତନ ଓ ଚେତନ କେମିତି ଜଡ ପାଲଟିଥିଲା, ସେ କଥାର ସୁନ୍ଦର ବର୍ଣ୍ଣନା କରି ଲେଖିଲେ,

"କରି ଏ ରୂପ ଦର୍ଶନ କଲେ ସ୍ତୁତି ନିବେଦନ

ଜନକ ଜନନୀ ଅତି ଆଶ୍ଚର୍ଯ୍ୟ ହୋଇ।

କହୁଁ କହୁଁ ମାୟା କରି ସେ ରୂପ ସଂହରି ହରି

ବାଳ-ମୁକୁନ୍ଦ-ମୂରତି ହେଲେ ଗୋସାଇଁ।

କଂସର ଯେତେକ ପହରୀ

କାଳନିଦ୍ରାରେ ଚେତନା ନାହିଁ କାହାରି।

କରେ ଧରି ସୁତ ଧୀରେ ଗମନ କରନ୍ତି ଖରେ

ଉଗ୍ରସେନ ଆସି ଓଗାଳିଲା ଆଗରେ।

କରେ ଶଙ୍ଖ ଚକ୍ର ଧରି ଦରଶନ ଦେଇ ହରି

ପ୍ରବେଶ ହୋଇଲେ ଗୋପେ ନନ୍ଦ ମନ୍ଦିରେ।

କି କି ହୋଇ ଦଇବ ଯୋଗେ,

କୁମାରୀ ହୋଇଛି ନନ୍ଦଙ୍କର ସେ ଲାଗେ।"

ଆମ ଓଡ଼ିଆ ଭାଷା ସାହିତ୍ୟର ରକ୍ଷାକର୍ତ୍ତା ଅତିବଡ଼ି ଜଗନ୍ନାଥ ଦାସ ଭାଗବତରେ ଭଗବାନ କୃଷ୍ଣଙ୍କ ଜନ୍ମ ସମୟରେ ଯୋଗମାୟା ଙ୍କ ମାୟା ବଳରେ ନିଦ୍ରାରେ କେମିତି କଂସର ପ୍ରହରୀ ମାନେ ଅଚେତନ ହେଲେ,ଜଡ କେମିତି ଚେତନ ଓ ଚେତନ କେମିତି ଜଡ ପାଲଟିଥିଲା, ସେ ସମ୍ବନ୍ଧରେ ଲେଖିଲେ,

"ଗୋବିନ୍ଦ ଆଜ୍ଞା ଘେନି ଶିରେ।

କୋଳେ ଘେନିଲା ଚକ୍ରଧରେ।।

ଫିଟିଲା ପାଦର ଶାଙ୍କୁଳି।

ପଥ କଢ଼ାଇଲା ବିଜୁଳି।।

କୋଳେ ଘେନନ୍ତେ ନାରାୟଣ

କପାଟ ଫିଟିଲା ତକ୍ଷଣ।।

ନିଦ୍ରାୟେ ମୋହିତ ସକଳ।

ବୃଷ୍ଟି କରନ୍ତି ମେଘମାଳ।।

ତିନ୍ତିବା ଦେଖି ଜଗନ୍ନାଥ।

ଫଣିୟେ ଢାଙ୍କିଲା ଅନନ୍ତ।

ଯାନ୍ତେଣ କୃଷ୍ଣକଇ ଘେନି।

ପଥ ଓଗାଳେ ଉଗ୍ରସେନି।।

ବୋଲଇ କାହିଁର ରେ ଚୋର।

ନିଶାରେ ହୋଇଲୁ ବାହାର।।

ଶୁଣି କମ୍ପଇ ବସୁଦେବ।

ବିପତ୍ତି କଲୁ ହୋ ଦଇବ।।

ହା କୃଷ୍ଣ ବୋଲିଣ ବିକଳ।

ନୟନୁ ବହେ ଅଶ୍ରୁଜଳ।।"

ପିତା ବସୁଦେବ ଙ୍କର ବିକଳ ଦେଖି ପ୍ରଭୁ ଶ୍ରୀକୃଷ୍ଣ ଉଗ୍ରସେନଙ୍କୁ ନିଜ ନାରାୟଣ ରୂପ ଦେଖାଇଲେ। ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ ଲେଖିଲେ,

"ପିତାର ବିକଳ ଦେଖିଣ।

ବୋଲନ୍ତି ପ୍ରଭୁ ନାରାୟଣ।।

ୟେ କଥା ପ୍ରଘଟ ନ କର।

ଆମ୍ଭେ ହୋ ଯିବୁ ଗୋପପୁର।।

ତୁ କି ନଜାଣୁ ଉଗ୍ରସେନ।

ଆମ୍ଭେ ସେ ଦେବ ଭଗବାନ।।

ଭାରା ଯେ ନ ସହିଲା ମହୀ।

ୟେହା ଯେ ବିନାଶିବି ମୁହିଁ।

ଶୁଣି ବୋଲଇ ଉଗ୍ରସେନ।

ଦେଖାଅ ଶଙ୍ଖ ଚକ୍ର ଚିହ୍ନ।।"

ଦୟାସାଗର ଚକ୍ରପାଣି ଭକ୍ତ ପ୍ରତି ସଦୟ ହୋଇ ନିଜ ସ୍ଵରୂପ ଦେଖାଇଲେ।ଆମ ଭାଗବତରେ,

"ଭକ୍ତକୁ ଦୟା ଭାବଗ୍ରାହୀ।

ଶଙ୍ଖ ଚକ୍ର ଚିହ୍ନ ଦେଖାଇ।।

ସ୍ତୁତି କରଇ ଉଗ୍ରସେନ।

ଚରଣେ କଲାକ ପ୍ରଣାମ।।

ଶ୍ରୀମୁଖେ ଆଜ୍ଞା ତାକୁ ଦିଲେ।

ନୃପତି ହୋଇବୁ ବୋଇଲେ।।

ତହୁଁ ଚଲିଲା ବସୁଦେବ।

ପଥେ ନରହି ୟେକ ଲବ।।

ନଦୀର ତୀରେ ଯାଇ ମିଳି।

ଦେଖିଲା ଯମୁନା ଉଚ୍ଛୁଳି।

ଯମର ବହେଣୀ ଯୁଗତେ।

ଗଭୀର କେ କରିବ ଅନ୍ତେ।।

ବହଇ ଅତି ପରଖର।

ଫେନରେ ଦିଶେ ଭୟଙ୍କର।

ନଦୀରେ ପଶିଲା ବହନ।

କାତରେ ମହା ଭୟ ମନ।।

ନାଶାରେ ପଶନ୍ତେଣ ପାଣି।

ଶିରେ ବସାଇ ଚକ୍ରପାଣି।।

ବୁଡିଣ ଯାଇ ବସୁଦେବ।

ହୃଦେ ଚିନ୍ତଇ ପଦ୍ମନାଭ।।

ହରିଙ୍କି ଦେଖି ଭୟ କଲା।

ବାଲି ବନ୍ଧରେ ବାଟ ଦିଲା।।

ଚଳିଲା ନଦୀ ପାର ହୋଇ।

କୃଷ୍ଣଙ୍କୁ ହୃଦରେ ଲଗାଇ।।

ମିଳିଲା ଯାଇ ଗୋପପୁରେ।

ତକ୍ଷଣେ ନନ୍ଦର ମନ୍ଦିରେ।।

ନିଦ୍ରା ମୋହିତ ସର୍ବଜନ।

ଭୟେ ଚାହାଁଇ ଛନଛନ।।

ଅମ୍ବିକା ହୋଇଅଛି ଜାତ।

ଜଗତ ନିଦ୍ରାରେ ମୋହିତ।"

ଯୋଗମାୟା ଙ୍କ ମାୟାରେ ସମସ୍ତେ 

ନିଦ୍ରାରେ ମୋହିତ ଥାନ୍ତି।

"ଯଶୋଦା କୋଳେ କୃଷ୍ଣ ଥୋଇ।

କନ୍ଯା ଆଣିଲା ପାଲଟାଇ।।"

କବି ଦୀନକୃଷ୍ଣ ଦାସଙ୍କ ରସକଲ୍ଲୋଳରେ,

"କରି ତାହା ପ୍ରତିଦାନ ସତ୍ଵରେ କରି ଗମନ

ପ୍ରବେଶ ହୋଇଲେ ବସୁଦେବ ମନ୍ଦିରେ।

କୁହାଁ କୁହାଁ ବାଣୀ ଶୁଣି ଉଠିଲେ ରକ୍ଷକ ଶ୍ରେଣୀ

କହିଲେ କଂସକୁ ଯାଇ ନିଶି ଶେଷରେ।"

ଏକଥା ଶୁଣି କଂସ ଅତି ତରବରରେ ଆସି ପହଁଚିଲା। ଦେବକୀ ହସ୍ତରୁ ଅମ୍ବିକା ଙ୍କୁ ଛଡ଼ାଇ ଆଣି ଶିଳାରେ କଚାଡି ଦେଲା। କଂସର ହସ୍ତରୁ ଉଚ୍ଛୁଳି ଆକାଶ ମାର୍ଗରୁ ଜଗତଜନନୀ ମା ଦୁର୍ଗା ବିଜୁଳି କନ୍ୟା ରୂପରେ ଶୂନ୍ୟବାଣୀ କଲେ।ଆମ ଓଡ଼ିଆ ସାହିତ୍ୟର ଅତିବଡ଼ି ଜଗନ୍ନାଥ ଦାସ ଭାଗବତରେ ଲେଖିଲେ,

"ଯେ ଦେବୀ ଜଗତ ସଂହାରେ।

କାହାର ବଳ ତାକୁ ମାରେ।।

କଂସରୁ ହସ୍ତରୁ ଉଚ୍ଛୁଳି।

ଆକାଶେ ଯେସନେ ବିଜୁଳି।।

ତେଜେ ଦଶଦିଗ ବିରାଜେ।

ବେନି ଚରଣ ଅଷ୍ଟଭୂଜେ।।

କେ କହୁ ଦେବୀ ଆଭରଣ।

ଅଙ୍ଗଦ ନୂପୁର କିଙ୍କଣ।।

ଗନ୍ଧ ଚନ୍ଦନ -ପୁଷ୍ପମାଳୀ।

ତେତିଶ କୋଟି ଦେବେ ମିଳି।।

ସ୍ତୁତି କରନ୍ତି ସୁରମୁନି।

କଂସକୁ ବୋଲନ୍ତି ଭବାନୀ।।

ରେ କଂସ ଶୁଣ ମୋ ଉତ୍ତର।

ତୋର ବଇରୀ ଚକ୍ରଧର।।

ସେ ତୋତେ କରିବେ ସଂହାର।

ଆବର ଯେତେକ ଅସୁର।।

ତୋହର ପାଇଁ ଦେହ ବହି।

ଜାତ ହୋଇଲେ ଯହିଁ ତହିଁ।।

ତୁ ମୋତେ ନ ଜାଣି କଚାଡୁ।

ନିୟତ ପଥ କି କେ ହୁଡୁ।।"

"ସେ ହରି ତୋହର ବଇରୀ।

ତୋର ମରଣେ ଅବତରି।।

ସେ ଶୂନ୍ୟ ପୁରୁଷ ଗୋସାଇଁ।

ତାହା ଭେଟିବୁ ଅବା କାହିଁ।।

ଏବେ ତୁ ଶୁଣ କଂସ ବୀର।

ଏ ତୋର ବହେଣୀ ସୋହର।।

ଏହାଙ୍କୁ ବନ୍ଦୀଘରୁ ଫେଡ।

ବେନି ଚରଣ ତଳେ ପଡ।।

ତୋଷିଣ ନିଅ ନିଜପୁର।

ତୋର ବଇରୀ ପିତାମ୍ବର।।

କହି ଚଳିଲେ ନିଜ ସ୍ଥାନ।

ଉଚ୍ଚାଟ କରି କଂସ ମନ।।

ଯାହା କହିଲେ ଜଗନ୍ମାତ।

ଜଗତେ ହୋଇଲା ବିଖ୍ୟାତ।।

ଭଗବାନ କୃଷ୍ଣଙ୍କ ଜନ୍ମ ପାଇଁ ନନ୍ଦପୁରରେ ନାନାପ୍ରକାର ଆନନ୍ଦ ଉଲ୍ଲାସର ବାତାବରଣ ଲାଗି ରହିଲା। ରସକଲ୍ଲୋଳରେ କବି ଦୀନକୃଷ୍ଣ ଦାସ ଲେଖିଲେ,

"କମଳ ନୟନ ହରି ନନ୍ଦପୁରେ ବିଜେ କରି

କଲେ ନାନା ଉତ୍ସବ ଆନନ୍ଦ ଭିଆଣ।

କେଉଁଠାରେ କେତେ ଗୀତ କେତେ ରୂପେ ହୋଏ ନୃତ୍ୟ

କହିବାକୁ ବଚନେ କେ ଅବା ସିହାଣ।

କଲେ ସୁତଗୃହ ବିଧାନ,

କି କହିବା ନନ୍ଦ ଦେଲେ ଯେତେକ ଦାନ।"

ଓଡ଼ିଆ ଭାଗବତରେ,

ହରି ଚରିତ ସୁଧାବାଣୀ।

ଶୁଣି ନିର୍ମଳ ହୁଅ ପ୍ରାଣୀ।।

ଶ୍ରୀକୃଷ୍ଣ ଜନ୍ମ ରସଭରା କଥା ଅତ୍ୟନ୍ତ ସୁନ୍ଦର ଓ ମନମୁଗ୍ଧକର।

କୋକିଳା ଗ୍ରୀନ ଆପାର୍ଟମେଣ୍ଟ,

ପଞ୍ଚସଖା ନଗର ଡୁମୁଡୁମା ଭୁବନେଶ୍ବର-୧୯।

ବର୍ତ୍ତମାନ ନୋଇଡା ରେ।

Post a Comment

0 Comments