।। ହୃଦୟ ଦିବସେ।।
ହୃଦୟ ଦିବସେ ଜାଳି ପୋଡ଼ି ଦେଲ
ଫୁଲରୁ କୋମଳ ହୃଦ,
ନିଷ୍ଠୁରତା କେତେ ବଳି ଗଲା ତୁମ
ନାହିଁ ଟିକେ ହେଲେ ଖେଦ।।୧।।
ପ୍ରଥମ ଦେଖାରୁ ଦ୍ୱାହି ଦେଇ ଥିଲ
ହୃଦ କେବେ ଭାଙ୍ଗିବିନି,
ଏଡ଼େ ସହଳରେ ଭୁଲିଗଲ ସବୁ
ମନେ କିଛି ରହିଲାନି।।୨।।
ଅସରନ୍ତି ସେଇ କୋହର ଉଚ୍ଛ୍ୱାସ
ପ୍ରତିଧ୍ଵନି ତୋଳେ କର୍ଣ୍ଣେ,
ବିବଶ ଛାତିଟା ଦୀର୍ଘ ଶ୍ଵାସ ଛାଡେ
ଲିଭେନାହିଁ କେବେ ମନେ।।୩।।
କଥା ଦେଇ କଥା ରଖି ଜାଣ ନାହିଁ
ପିଲା ଖେଳ ତୁମପାଇଁ,
ସାଗର ଢେ଼ଉତ ଭସାଇ ନେଇଛି
ବାଲିଘର ଭାବି ଯହିଁ।।୪।।
ପଦ ଚିହ୍ନ ସବୁ ଲିଭିଯାଇଅଛି
ବେଳାଭୂମି ପରେ ନାହିଁ,
ପାନ୍ଥଶାଳାବି ଗୁମୁରି କାନ୍ଦୁଛି
ଜ୍ୟୋତ୍ସ୍ନା ଝରା ରାତି କାହିଁ।।୫।।
ଝରା ଶେଫାଳୀର ମହକ ଟିକକ
ଭାସି ଆସେ ଟିକେ ଦୂରୁ,
ସ୍ମୃତିକୁ ଉଖାରି ଚେତାଇ ଦିଏସେ
ପୋଛି ପକା ମିଛେ ଝୁରୁ।।୬।।
।। ଚିତ୍ରା ରାଣୀ ପାତ୍ର।।
।।ବାଲେଶ୍ବର।।




0 Comments