।। ଶ୍ୟାମଳ ବନାନୀ।।
ଶ୍ୟାମଳ ବନାନୀ ହସୁଛି ମୁରୁକି
ବରଷା ପରଶ ପାଇ,
ଥିଲା ସନ୍ତାପିତ ପ୍ରଚଣ୍ଡ ନିଦାଘେ
ଜ୍ଵଳନକୁ ତାର ସହି।।୧।।
କି ସୁନ୍ଦର ଏଇ ଧରା ହସିଉଠେ
ଆସିଲେ ବରଷା କାଳ,
ସବୁଜ ପାଟରେ ଅପରୂପା ସାଜେ
ପ୍ରକୃତି ରାଣୀର କୋଳ।।୨।।
ବରଷା ଛିଟାବି ଭାରି ଭଲ ଲାଗେ
ଛୁଇଁଗଲେ ତନୁ ମନ,
ଶତ କଦମ୍ବର ରୋମାଞ୍ଚ ଖେଳଇ
ମଧୁ ଲାଗେ ମଧୁବନ।।୩।।
ମାଟିର ମହକ ବାରି ହୋଇପଡେ
ଗିରି ବନ ଭୂଇଁ ହସେ,
ସବୁଜ ଲତିକା ପ୍ରଣୟ ଫାସରେ
ମହାଦ୍ରୁମ ସାଥେ ରସେ।।୪।।
ସବୁଜ ଘାସରେ ସାଧବ ବୋହୂର
ନାଲି ପାଟ ଶୋଭା ଦିଶେ,
ସବୁ ସୋନ୍ଦର୍ଯ୍ୟର ପସରା ମେଲାଇ
ଧରାରାଣୀ ନବବେଶେ।।୫।।
ରିମଝିମ ତାନେ ଛମ ଛମ ହୋଇ
ବରଷା ବିନ୍ଦୁ ପଡ଼ିଲେ,
କବି ମନ ମୋର ହୁଏ ଆନମନା
ଲେଖନୀ ସଧିରେ ଚାଲେ।।୬।।
।। ଚିତ୍ରା ରାଣୀ ପାତ୍ର।।
।। ବାଲେଶ୍ଵର।।




0 Comments