ନିଶିଥ ଲଗ୍ନେ ମୁଠାଏ ମହକ______
ତୁମେ ଆସ ନିତି ନିଶିଥ ଲଗନେ,
ମୁଠାଏ ମହକ ହୋଇ,
ବାସ୍ନାୟିତ କରି ଫେରିଯାଅ ପୁଣି,
କିଛି ଛାପ ଛାଡ଼ିଦେଇ।।
ସଶରୀରେ କେବେ ଦେଖିନି ତୁମକୁ
ଦେଖେ ଖାଲି ଗୋଟେ ଛାଇ,
ତଥାପି ଛାଇକୁ ପ୍ରତୀକ୍ଷା କରେ ମୁଁ
ଆକୁଳ ଆବେଗ ନେଇ।।
ନିର୍ଜନ ରାତ୍ରିର ନିସ୍ତବ୍ଧ ପ୍ରହର
ମୁଖରିତ ହୁଏ କ୍ଷଣେ,
କିଏ ତୁମେ ଆସ ପ୍ରହେଳିକା ପରି,
ଜାଣିବାକୁ ଦିଅ ମନେ।।
ତୁମେ ତ ଯାଇଛ ଅନେକ ଦିନରୁ
ଅଜଣା ଇଲାକା ମୋର,
ଏବେବି ଗରମ ନିଃଶ୍ୱାସରେ ତୁମେ
କରିଦିଅ ହରବର।।
ମହକ ଟିକକ ଧରି ରଖିବାକୁ
ଚେଷ୍ଟା କରେ ମୁହିଁ ଯେତେ,
ବିଞ୍ଚି ହୋଇଯାଏ ଚାରିପଟେ ମୋର
ଖସିଯାଏ ମୋର ହାତେ।।
ଶୁଭ୍ର ଆଲୋକେ ଦେଖିବାକୁ ଟିକେ
ଶେଷ ଇଚ୍ଛା ଅଛି ମୋର,
ନିଶିଥ ବିଜନ ରଜନୀରେ ଆଉ
ଦେଖିବିନି ବାର ବାର।।
***
ଚିତ୍ରା ରାଣୀ ପାତ୍ର। ବାଲେଶ୍ଵର।




0 Comments