ଶ୍ରୀୟାର ଆତ୍ମଲିପି( ଚିତ୍ରାରାଣୀ ପାତ୍ର)




 ।।ଶ୍ରୀୟାର ଆତ୍ମଲିପି।।  (କ୍ଷୁଦ୍ରଗଳ୍ପ।)


ଶ୍ରୀୟା ମୁକୁଳା କେଶରେ ବିଛଣା ଉପରେ ପେଟେଇ ପଡ଼ି ଲେଖୁଥିଲା ତା ' ଜୀବନର ଆତ୍ମଳିପି। ସେ ନିଜେବି ଜାଣେନି ଏକଥା ଲେଖିବାର ଉଦ୍ଦେଶ୍ୟ।

               ସମଗ୍ର କକ୍ଷ ଭାରାକ୍ରାନ୍ତ ହେଉଥିଲା ସତେ ଯେପରି ତା' କାରୁଣ୍ୟ ଭରା ଆଲେଖ୍ୟାରେ, କିଛିଟା ମିଶି ଯାଉଥିଲା ଖୋଲା ଝରକା ବାଟେ ତରଙ୍ଗରେ। ଖୁବ୍ ଛୋଟ ବୟସରୁ ପିତୃହରା ହୋଇ ଯାଇଥିଲା। ସେତେବେଳକୁ ପଞ୍ଚମ ଶ୍ରେଣୀର ଛାତ୍ରୀ ଥିଲା। ଉପରେ ବଡ଼ ଭାଇର ସପ୍ତମ ଶ୍ରେଣୀ। କିଛି ବର୍ଷ ବ୍ୟବଧାନରେ ଆସିଥିଲା ସାନ ଭଉଣୀଟିଏ। ମାଆ ତାର ପିତାଙ୍କ ମୃତ୍ୟୁ ପରେ କରିଥିଲେ ଦ୍ଵିତୀୟ ବିବାହ। ତାପରେ ଭଉଣୀ ରୀୟା ଆସିଥିଲା ଘରକୁ। ସାନ ଝିଅ ବୋଲି ଖୁବ୍ ଗେହ୍ଲା ମାଆ ଆଉ ସାବତ ବାପାର।

                     ଏବେ ସେ କଲେଜ୍ ପଢୁଆ ତରୁଣୀ। ଏଇ ଭିତରେ 

ଅନେକ ଫଗୁଣ ଛୁଇଁ ଯାଇଛି ସିନା, ମାତ୍ର ସବୁ ଫଗୁଣ ଫିକା ଓ ରଙ୍ଗହୀନ। ବାପା ଖୁସିରେ ନାମ ଦେଇଥିଲେ ଶ୍ରୀୟା, ଶୁକ୍ଳ ପକ୍ଷ ଗୁରୁବାର ଦିନ ଜନ୍ମ ଲାଭ କରି ଥିଲା ବୋଲି। ଏବେ ନିଜକୁ ଭାବେ ଅଲକ୍ଷଣୀ । କାହିକିଁ ଏତେ ଦୁଃଖ ଯାତନା ପାଏ ସାବତ ବାପା ଠାରୁ?, ମାଆବି ସାନ ଭଉଣୀକୁ ଅଧିକ ଭଲ ପାଏ। ସେ କେବଳ ଗାଳି ଶୁଣେ ସବୁ କଥାରେ, କାଳେ ଅପଦାର୍ଥ ଝିଅ ଟିଏ ବୋଲି ସାବତ ବାପାର ଗଞ୍ଜଣା। କେମିତି ସହିବ ଦେହ ଖରାପ କଥା ସହ ଗାଳିର ବର୍ଷଣ ବିନା କାରଣରେ। ପାଠ ପଢା ନେଇ ଅନେକ ସମସ୍ୟା ଦେଖାଦେଇଥିଲା ବୋଲି ଵାପାର  ମନ୍ତବ୍ୟ। ଏତେ ଖର୍ଚ୍ଚ ଉଠାଇବା ସହଜ ନୁହେଁ ବୋଲି ବିରକ୍ତ। ଭାଇ ମ୍ୟାଟ୍ରିକ ପାସ୍ ପରେ ପାଠ ପଢାରେ ଡୋରି ବାନ୍ଧିଲା। ଏବେ ଟ୍ରକ୍ ଚଲାଏ ଓ ଘରକୁ କିଛି ଟଙ୍କା ଦିଏ। ସାବତ ବାପା ନିତି ମଦ ପିଇ ଡେରି ରାତିରେ ଘରକୁ ଫେରେ। କଳି କଜିଆ ବାପା ମାଆର ଶୁଣି ଶୁଣି କାନ ବଧିରା ହୋଇ ଗଲାଣି।

                     ଆଉ ବର୍ଷେ ପରେ    ବି ଏ ପାସ୍ କରିଲା ପରେ ତାକୁ ବାହା କରାଇ ଦେବେ ଯୋଜନା ହେଇଛି। ଖୁବ୍ ଭଲ ପାଠ ପଢିଲେ ବି ବୁଝିବ କିଏ?, ଓଃ କି ଦୁଃଖ ସହ ଲେଖୁଛି ସେହିଁ ଜାଣେ।

ତାର ଘରୁ ବାହାରି ଯିବାର ସାହାସ ନାହିଁ, କାହିକିଁ ନା ମାଆ ବାହା ହେଲା ପରେ ସବୁଦିନ ପାଇଁ ମାମୁଁ ଘର ଦୁଆର ବନ୍ଦ ହୋଇଗଲା। ସାନ ମାଉସୀ ଲୁଚାଇ ଯାହା ଟିକିଏ ସମ୍ପର୍କ ରଖିଥିଲା। କେତେବେଳେ ଘରକୁ ଆସିଲେ ନୂଆ ପୋଷାକ ଚୁଡ଼ି ଆଦି ଆଣିଥାଏ। ସେ ଖୁସି ଅଳ୍ପ ସମୟ ଭିତରେ ଶେଷ ହୁଏ। କାରଣ ବାପାର ଖରାପ ନଜର ମାଉସୀ ଉପରେ। ସେ ଜମାରୁ ଭଲ ଚରିତ୍ର ଲୋକ ନୁହେଁ। ମାଆ କାହିଁକି ବାହା ହେଉଥିଲା ଓ ସର୍ବନାଶକୁ ଡାକି ଆଣିଥିଲା ବୁଝି ପାରେନି।

                   ଆଜି ଘରେ କେହି ନାହିଁ ବୋଲି ଲେଖୁଛି ମନର କଥା। ବାପା, ସାନ ଭଉଣୀ ଓ ମାଆକୁ ଧରି ତିନି ଦିନ ପାଇଁ ବାହାରକୁ ଯାଇଛି। ଶାନ୍ତିରେ ନିଶ୍ୱାସ ନେବ କଣ ଲୁହରେ ଭିଜୁଛି ପଛ କଥା ମନେ ପକାଇ। ବାପାର ଅଫିସ ଫେରନ୍ତା ସ୍ନେହ ଆଦର ମନେ ପଡି ଅସ୍ତ ବ୍ୟସ୍ତ ଲାଗୁଛି। ଝିଅକୁ ଆଗ ଖୋଜୁଥିଲେ ବାପା, ପରେ ଭାଇକୁ। କିଛି ନା କିଛି ଜଳଖିଆ ପୁଡିଆ ହାତରେ ଥାଏ ପିଲାଙ୍କପାଇଁ। କେତେ ଆଦର ଯତ୍ନରେ କୋଳରେ ବସାଇ ଖୁଆଉ ଥିଲେ। ବାପା ଗଲା ପରେ, ଆଉ କୋଳ କଣ ଭୁଲି ଯାଇଛି। କେଉଁ କ୍ଷଣରେ ଜନ୍ମ ହୋଇଥିଲା ଭାବୁଛି। ଆଉ ସତ କଥା ଯାହା ତା' ଉପରେ ଘଟିଛି ଲେଖିବ କିମିତି ଭାବୁଛି। ପେଟରେ ଅସଂଖ୍ୟ ସିଗାରେଟ୍ ଚେଙ୍କା, ଗାଲରେ ବି। ସବୁ ତା ବାପାର କାଣ୍ଡ। ମାଆ ପ୍ରତିରୋଧ କରି ଗୋଇଠା ମାଡ଼ ଖାଇଛି। ଲୁଚାଇ ଲୁଚାଇ ବାରିପଟେ କାନ୍ଦେ, ମାତ୍ର ମୁକୁଳି ପାରୁନି କରିଥିବା ଭୁଲରୁ।

                      ସାନ ଝିଅ ସର୍ବେ ସର୍ବା। ସବୁ ଭଲ ଜିନିଷ ସେ ଖାଇବ, ପିନ୍ଧିବ ଓ ବୁଲିଯିବ। ଭାଇ ଭଉଣୀ ଘର କୋଣରେ ମୂକ ହୋଇ ବସି ତାମସା ଦେଖି ନୀରବ ରହିବେ। ରାବଣ ଭଳି ଚେହେରା ସାଙ୍ଗକୁ ରଙ୍ଗ ଆଖି ଦେଖିଲେ ଡର ଲାଗେ। କବାଟ କିଳି ପାଠ ପଢ଼େ ବାପା ଥିଲେ। ବାପା ବୋଲି ଡାକେନି କେବେ। ଅସନା ଲୋକ ପ୍ରତି ଭକ୍ତି ଭାବ ଆସେନି। ନିଜ ବାପା କେବେ ସିଗାରେଟ୍ ଟାଣିବା କି ମଦ ପିଇବା ଦେଖିନି। ସତେକି ରାକ୍ଷସଟିଏ। ମନରେ ମାଆ ଉପରେ ରାଗ ଆସେ। କାହିକିଁ ତଣ୍ଟି ଚିପି ମାରି ଦେଲାନି, ଆଜି ଏତେ ଯାତନା ପାଉ ନଥାନ୍ତା। ବୟସ ହେଇଛି ସବୁ କିଛି ବୁଝିବା ପାଇଁ।

                    କେବେ ଏ ମରଣ ଜନ୍ତାରୁ ବାହାରିବ ଓ ନୂଆ ଦୁନିଆଁ ର ଆଲୋକ ଦେଖିବ ଭାବେ। ହଟାତ କବାଟ ଠକ୍ ଠକ୍ ଶବ୍ଦ ଶୁଣି ଅଧା ଲେଖା ଖାତାକୁ ଲୁଚାଇ ଖୋଲିବାକୁ ଦଉଡ଼ି ଗଲା। ଏ କଣ?

ଭାଇ ଆସିଛି ଅନେକ ଦିନ ପରେ ଘରକୁ। ସେ ଘର ଛାଡ଼ି ଦେଇଛି ଅନେକ ଦିନରୁ। ବାହାରେ ବଖୁରିକିଆ ଘର ନେଇ ଅଛି ବୋଲି କହେ। ଘରେ କେହି ନାହାନ୍ତି  କି?, ପଚାରି ବୁଝି ନେଲା ବାହାରକୁ ଯାଇଛନ୍ତି ଜାଣି ଖୁସି ହେଲା।ଦୁଇପଟ ସୁନା ଚୁଡ଼ି ଭଉଣୀ ପାଇଁ ଧରି ଆସିଥିଲା। ସଞ୍ଚି ଥିବା ଟଙ୍କାରେ। ରାକ୍ଷୀ ଆଗକୁ ଅଛି, ପୁଣି ଆସିବ ସେ ଦିନ। ତାର ହାତରେ ପିନ୍ଧାଇ ଦେଇ କହିଲା,ମୁଁ ସବୁ ଜାଣେ ଶିରୀ, ହେଲେ କଣ କରିବି କହ? ମୋତେ ଏ ଘର ନର୍କ ପରି ଲାଗିଲା ବୋଲି ବାହାରେ ରହିଲି। ଭାଇ ଭଉଣୀ ଦୁଃଖ ସୁଖ ହେଲେ ଚା'  କରି ଆଣିଲା ଭାଇ ପାଇଁ। କହିଲା ରହ ମୁଁ କଣ ଭଜା ଭଜି କରିଦେଲେ ପଖାଳ ଖାଇବୁ। ଶାଗ ଭଲ ପାଉ, ଅଛି। ଚୁଡ଼ି କିଛି ସମୟ ପିନ୍ଧି, କାଢି ଲୁଚାଇ ଦେବ। ମନ ଭରି ତା' ବାପା ଆଗରେ ପିନ୍ଧି ପାରିବନି। ଛଡାଇ ନେବ ଓ ବିକି ମଦ ପିଇ ଦେବ। ଏଇ କଥା କହି କାନ୍ଦି ପକେଇଲା।

                      ବିଚାରୀଟା କହି ଭାଇ ଲୁହ ପୋଛି ଦେଲା ଓ ବୋଧ ଦେଉଥିଲା ରହ ରହ ସେ ବେଶି ଦିନ ଆଉ କିଛି କରି ପାରିବ ନାହିଁ। ଭାଇ ତୋର ଟଙ୍କା ରୋଜଗାର କରୁଛି। ଭଲ ବର ପାତ୍ର ଖୋଜି ବାହାଘର କରି ଦେଇ ପାରିବ। ସେ ବାପା କିଛିବି କରି ପାରିବନି। ତୁ ଲକ୍ଷ୍ମୀ ପ୍ରତିମା ଭଉଣୀ ମୋର। ଭଲରେ ରହିବୁ। ଦୁଃଖର ଦିନ ସରି ଆସୁଛି। ବ୍ୟସ୍ତ ହେବୁନି। ମୁଁ ବଞ୍ଚିଛି। ତୋ' ଦାୟୀତ୍ଵ ମୁଁ ନେବି ବୋଲି ମାଆକୁ ଜଣାଇ ଦେବି। କଥା ଭିତରେ 

ଭଜା ଶାଗ ଲଙ୍କା ପିଆଜ ଓ ପଖାଳ କଂସା ଧରି ଆସନ ପାରି ଦେଲା। ଭାଇ ଯା ହାତ ଗୋଡ ଧୋଇ ଖାଇ ପକା ଶୀଘ୍ର। ଭୋକ କରୁଥିବ। ସତରେ ଅନେକ ଦିନ ପରେ ପଖାଳ କଂସା ଦେଖି ଭୋକ ବଢ଼ିଗଲା। ହାଉଁ ହାଉଁ କରି ଖାଇ ସାରି ଯିବାକୁ ବାହାରିଲା।

                     ଭାଇ ବିଦାୟ ନେଇ ଚାଲିଗଲା ଓ କହିଲ ଘରେ ମୋ ଆସିବା କଥା କହିବୁନି। ସେମାନେ ନାହାଁନ୍ତି ଭଲ ହେଲା ଆଜି ମୁଁ ଆସି ଦେଇ ପାରିଲି ତୋତେ। କେମିତି ଦେବି ବାଟରେ ଭାବୁଥିଲି। ଅନ୍ୟ କିଏ ନ ଜାଣିଲେ ଭଲ।

                  ତାର ଯିବା ବାଟକୁ ଘଡ଼ିଏ ଚାହିଁ, କବାଟ କିଳିଲା। ସୁନା ଚୁଡ଼ିକୁ ନିରିଖେଇ ଦେଖିଲା ସିନା ଭୟ ଲାଗୁଥିଲା ପିନ୍ଧିବାକୁ। ତାକୁ ବାକ୍ସରେ ଲୁଚାଇ ରଖିଦେଲା। ହେ ପ୍ରଭୂ ମୋ ଭାଇକୁ ଭଲରେ ରଖ ଏମିତି ଗୁଣ ଗୁଣ କରି କରି କହୁଥିଲା। ଖାତା ବାହାର କରି ଲେଖିବାକୁ ଆଉ ହାତ ଚାଲିଲାନି। ନିଦ ଲାଗୁଥିଲା ସଞ୍ଜ ହେଉ ହେଉ। ମାଆ କାମ ବାଲିକୁ କହି ଯାଇଛି, ଘରେ ଆସି ଶୋଇବ। ଏକୁଟିଆ ରହି ପାରିବନି ବୋଲି। ଭାଇ ଯାହା ହେଉ ଚାଲି ଯାଇଛି ସେ ଆସିବା ଆଗରୁ।

               ପୁଣି କବାଟ ଠକ୍ ଠକ୍। ଖୋଲିଲା ବେଳକୁ ଜଗିବାକୁ ଆସି ଯାଇଛି ବୁଢ଼ୀ ମାଉସୀ। ସେ କଣ ଟିକିଏ ଖାଇ ଦେଲା। ତଳେ ସପ ପାରିଦେଇ, ତକିଆ ଓ ଚାଦର ବଢ଼ାଇ ଦେଇ ଶୋଇଯା କହିଲା। ନିଜେବି ପାଠ ପଢି ବନି ଆଜି ଭାବି ଶୋଇବାକୁ ଗଲା। ଅନ୍ଧାର ଭିତରେ ଅତୀତ ଖୋଜୁଥିଲା।। ଫ୍ରକ୍ ପିନ୍ଧା ଛୋଟ ଝିଅ, ଦୁଇଟି ବେଣୀରେ ନାଲି ରିବନ୍ ଫୁଲ ଦିଶୁଥିଲା। ଗାଲରେ ହାତ ଦେଇ ଝରକା ବାଟେ ଦେଖୁଥିଲା ବର୍ଷା। ଗୀତ ଗାଉଥିଲା ଖୁସିରେ। କାଗଜ ଡଙ୍ଗା ଭସାଇ ନାଚି ଯାଉଥିବା ଝିଅ ଠିଆ ହୋଇ ଡାକୁଥିଲା ତାକୁ। ଓଃ ଦୀର୍ଘ ଶ୍ୱାସରେ ଗଛର ପତ୍ର ସବୁ ଦୋହଲି ଯାଉଥିଲା ସତେକି।

            ।। ସମାପ୍ତ।।

       

         ।। ଚିତ୍ରା ରାଣୀ ପାତ୍ର।।

          ।। ବାଲେଶ୍ଵର।।

Post a Comment

0 Comments