।। ଚକା ଡୋଳା।।
ତୋ 'ଚକା ଡୋଳାକୁ ଯେତେ ନିରେଖୁଛି
ସମାହିତ ସେତେ ହେଉଛି ମୁହିଁ,
ଦେଖିନି ଆଖିରେ ବିଶ୍ବ ରୂପକୁ ମୁଁ
ଆଖି ଦୁଇ ସବୁ ଦେଉଛି କହି।।
ତୋ' ଚକା ଆଖିରେ ସମଗ୍ର ବିଶ୍ବକୁ
ଦେଖି ହୁଏ ସ୍ତମ୍ଭୀଭୂତଯେ କେତେ,
କେମିତି ଆକର୍ଷି ଧରିଛୁ ସଭିଙ୍କୁ
ସେ ଲୀଳାକୁ ବୁଝି ପାରୁନି ଏତେ।।
କାହାର ଡାକରେ ତରଳି ଯାଉଛୁ
ହାତେ ଧରିନେଉ ନଡ଼ିଆ ଫଳ,
ପୁଣି କାହା ଡାକେ ନିଜେ ଦେଇଆସୁ
ସୁଆଦିଆ ଖାଦ୍ୟ ସଜାଇ ଥାଳ।।
ବନ୍ଧୁ ସଖା ପଣେ ନାହିଁ ପଟାନ୍ତର
ତହିଁକି ବାତ୍ସଲ୍ୟ ମମତା ବଳେ,
ମାଧୁର୍ଯ୍ୟ ରସରେ ବୁଡିଯାଉ ଯେବେ
କେତେ ରାସ ରଚୁ ଯମୁନା କୂଳେ।।
ଦାସ୍ୟ ପଣେ ସଦା ବନ୍ଧା ରହିଥାଉ
ମହିମା ତୋହର ଗାଇବି କେତେ,
ମୋ'ଆଶା ନଉକା ବାହିନେଇ ଥରେ
ପାରିକି କରିବୁ ଭବରୁ ମୋତେ?।
***
।। ଚିତ୍ରା ରାଣୀ ପାତ୍ର।। ବାଲେଶ୍ଵର।।




0 Comments