।। ବରଷା ବଧୂ।।
ଓଦା ସର ସର ବରଷା ବଧୂଟି
ଆସୁଛି ଧୀର ପଦରେ,
ଲୋତକ ଝରାଇ ଖସି ପଡୁଅଛି
ମାଟିର ଛାତି ଉପରେ।।୧।।
ଆଲିଙ୍ଗନ କରି ବସୁଧା ମାଆଟି
ତିନ୍ତାଇ ଦେଉଛି କୋଳ,
ବରଷା ରାଣୀର ପାଟ ଶାଢ଼ୀ ଭିଜି
ଦେଖାଉଛି ରଙ୍ଗ ଖେଳ।।୨।।
ସବୁଜିମା ସାଜି ବନଲତା ଆଜି
ଦିଶେ ପ୍ରଣୟିନୀ ପରି,
ନଦୀ ନାଳ ସବୁ ଉଛୁଳି ପଡୁଛି
ସରୋବର ଯାଏ ପୁରି।।୩।।
କମଳିନୀ ଜଳେ ଫୁଟିଅଛି କେତେ
ଭଅଁର ଚକ୍କର କାଟେ,
ମଧୁଶୋଷିନିଏ କେଡ଼େ ଛଟକରେ
ପାଖୁଡ଼ତା' ମୁଦେ କେତେ।।।୪।।
ସୁକୁମାରୀ ଯେତେ ପ୍ରେମିକା ଲତିକା
ମହାଦ୍ରୁମ ସାଥେ ମାତି,
ଲଟାଇ ହେଉଛି ପୀରତି ବଶରେ
କୋଳେଇ ନିଏତା ସାଥି।।୫।।
ଯୁଆଡ଼େ ଚାହିଁଲେ ଶ୍ୟାମଳିମା କ୍ଷେତ
ଆଖିକୁ ଦିଏ ପଖାଳି,
ଅସୁମାରୀ ସ୍ବପ୍ନ ସାକାର ହେଉଛି
ବରଷା ଆସିଛି ବୋଲି।।୬।।
ରୁମୁ ଝୁମୁ ତାର ପାଦର ପାଉଁଜି
ଛମ୍ ଛମ ତାନେ ବାଜି,
ମେଘ ଗରଜନ ବିଜୁଳୀ ସାଥିରେ
ଖେଳୁଛି ଆତସ ବାଜି।।୭।
***
।। ଚିତ୍ରା ରାଣୀ ପାତ୍ର।।
।। ବାଲେଶ୍ବର।।




0 Comments