ବେଶି ମୁଁ ମାଗିନି କାଳିଆ (ଚିତ୍ରାରାଣୀ ପାତ୍ର)

  


  ।। ବେଶି ମାଗିନିମୁଁ କାଳିଆ।।


ମୋ ନୟନେ ଯେତେ ଅଞ୍ଜନ ବୋଳେ

ତୋହରି ନୟନୁ ଆଣି,

ମୋ ' ଅଧରେ ଯେତେ ଲାଲିମା ଭରିଛି

ତୋହରି ଅଧରୁ ପୁଣି।।


ମୋ ଦେହ ପାଟର ନିଳୀମା ରଙ୍ଗଯେ

ତୋ ଦେହଟା ନୀଳ ବୋଲି,

ମୋ ପାଦ ନୂପୁର ଝଙ୍କାର ତୋଳେ

ମୂରଲୀ ବଜାଉ ବୋଲି।।


ତୋ'ର ମୋର ଭାବ ଅନନ୍ତ ଯୁଗର

ନାହିଁ ରାଧା ମୀରା ଏଠି,

ମୋ ଭାବରେ ତୋତେ ନିତି ଦେଖୁଥାଏ

ମୋର ଚିତ୍ତ ନେଉ ଲୁଟି।।


ତୁହିକି କାଳିଆ ଅଟୁ ଯାଦୁଗର

ତୋ ଯାଦୁରେ ଯାଏ ଘାରି,

ସଂସାର ଯାକର ସୁନ୍ଦର ଜିନିଷ

ତୋହଠାରେ ଅଛି ଭରି।।


ଦେବଦାସୀ ପ୍ରଥା ବିଲୁପ୍ତ ହୋଇଛି

 ନିଶାର୍ଦ୍ଧେ  ନାଚେ ତଥାପି,

ତୋହରି ଆଖିରେ ଦେଖିଛି ପ୍ରୀତିର

କେତେ ରଙ୍ଗ ମୁହିଁ ମାଖି।।


ଶୟନେ ସପନେ କିବା ଜାଗରଣେ

ଛବି ତୋର ଆଙ୍କୁଥାଏ,

ରହିଥିବି ଯେତେ ଦିନ ଏ ମହୀରେ

ତୋର ଭାବେ ବୁଡ଼ୁଥାଏ।।


ଏତିକି କରୁଣା ପାଇବାକୁ ମୁହିଁ

ଅନାଇ ବସେ ସରାଗେ,

ଆଖି ବୁଜିଦେବି ଆନନ୍ଦ ମନରେ

ଅନୁରାଗ ଥିବ ଯେବେ।।

          ***

।। ଚିତ୍ରା ରାଣୀ ପାତ୍ର।।

     ।। ବାଲେଶ୍ଵର।।

Post a Comment

0 Comments