ଫଗୁଣ ଆସିଛି ବୋଲି(ଚିତ୍ରାରାଣୀ ପାତ୍ର)

 



  ।। ଫଗୁଣ ଆସିଛି ବୋଲି।।


ଗଳି ଉପଗଳି ଖୋଜୁଛି ତୁମକୁ

ଫଗୁଣ ଆସିଛି ବୋଲି, 

ଆମ୍ର କୁଞ୍ଜରେ ବକୁଳ ଚାମର

ଶୋଭାକୁ ଦେଇଛି ମେଲି।।୧।।


ପଞ୍ଚମ ତାନରେ ଗାଉଛି କୋଇଲି

ଚିତ୍ତ ହୃଦ ନିଏ ଲୁଟି,

ଫୁଲର ସାମ୍ରାଜ୍ୟ ଚତୁରପାର୍ଶ୍ୱେ ମୋର

ମହକିତ ହୁଏ ଫୁଟି।।୨।।

ସାତ ରଙ୍ଗେ ଭରି ସଜାଇଛି ଥାଳି

ଦେବି ତମ ଦେହେ ବୋଳି,

ଫୁଲର ପାଖୁଡ଼ା ବିଛାଇ ଦେଇଛି

ଆସିବ ସେପଥେ ଚଳି।।୩।।


ଛାତିର ସ୍ପନ୍ଦନ ବଢ଼ିମୋ ଚାଲିଛି

ତୁମ ଆଗମନପାଇଁ,

ମୋ ଓଠ ଧାରରୁ ହସ ଟିକେ ଦେବି

କେବେ କିଛି ଦେଇନାହିଁ।।୪।।


କଣ୍ଟା ବାଜିବନି ଦେହରେ ତୁମର

ସବୁମୁଁ ସାଉଁଟି ନେବି,

ଆଜିଯାଏଁ ଖାଲି ତୁମେହିଁ ଦେଇଛ

ମୁଁ ଭାବିଛି କିଛି ଦେବି।।୫।।


ଲୁହ ଶ୍ରାବଣକୁ ପଣତରେ ପୋଛି

ଉଷୁମ ପରଶ ଦେବି,

ପ୍ରୀତି ଫୁଲ ଯେତେ ସରାଗେ ବିଞ୍ଚାଡ଼ି

ପଛ କଥା ଭୁଲିଯିବି।।୬।।

           ***

    ।। ଚିତ୍ରା ରାଣୀ ପାତ୍ର।।

         ।। ବାଲେଶ୍ବର।।

Post a Comment

0 Comments