।।।ନିରୀମାଖି।।
ନୀଳ ସରୋବରେ ସ୍ନାନ ସାରି ବାଳା
କାଖେ ତାର କୁମ୍ଭ ଧରି,
ଫେରୁଥିଲା ଗୃହେ, ନୀଳ କୁନ୍ତଳ ତା'
ଉଡୁଥିଲା କେରି କେରି।।
ଦର ଢ଼ଙ୍କା ମୁହେଁ ଦିଶୁଥିଲା ତା'ର
ମନଲୋଭା ଚିତ୍ର ପଟ୍ଟ,
ଯେ କେହି ଦେଖିଲେ କ୍ଷଣେ ଅଟକିବ
ଭୁଲିଯିବ ସବୁବାଟ।।
ରାଜକୁମାରଯେ ଯାଉଥିଲେ ବାଟେ
ସଂଭାଷିଲେ ସ୍ନେହେ ଆସି,
କୁଶଳ ଜିଜ୍ଞାସା କରିଥିଲେ ତାକୁ
କୁହ କିଏ ହେ! ରୂପସୀ।।
ଅବନ୍ତୀ ନଗର ରାଜକୁମାର ମୁଁ
ଯାଉଛିଯେ ପାରିଧିକୁ,
ପଛରେ ମୋହର ଥାଟ ବାଟ ସବୁ
ଜଗିଛନ୍ତି ମୋ ପଥକୁ।।
ଦେଖି ତୁମ ରୂପ, ହେଉଛି ବିଭୋର
ରାଣୀ କରି ଘେନିଯିବି,
ତୁମ ମତାମତ କୁହ ଖୋଲିକରି
ଗ୍ରହଣ ମୁଁ କରିନେବି।।
ଲାଜେସେ ଲଳନା ପୋତିଲା ମଥାକୁ
ପାଦ ନଖେ କାଟେ ଗାର,
ଇଙ୍ଗିତ ପାଇସେ ରାଜକୁମାରଯେ
ଧରିନେଲେ ତା'ର କର।।
ଠିକଣା ନେଇସେ ଛୁଟିଗଲେ ବେଗେ
ରାଜାଙ୍କୁ କହିବେ ଯାଇ,
ଜାକଜମକରେ ଆସିବେ ଏଠାକୁ
ଉଆସକୁ ନେବାପାଇଁ।।
ଗାଁଟିଯାକରେ ପଡିଲା ଚହଳ
ରାଜକୁମାରଙ୍କ କଥା,
କେତେ ପୂଣ୍ୟ ଥିଲା ନିରୀମାଖିଟିର
ଖୋଲିଗଲା ଭାଗ୍ୟ ଯଥା।।
************ଚିତ୍ରା ରାଣୀ ପାତ୍ର।***********
*****ବାଲେଶ୍ୱର।*****




0 Comments