ଆଖିର ଇଶରା
-------------------
ଭଲ ପାଏ ବୋଲି ହୃଦୟ ମଧ୍ଯରୁ
ଜଣା ପଡିଯାଏ କୃଷ୍ଣ କେଶବ
ଖୋଜି ବୁଲୁଥାଏ ମନେ ମନେ ଭାବେ
ଇଶରା ରେ ମୋର କେବେ ଆସିବ॥
କାହାକୁ କିଏ ସେ କେତେ ଭଲ ପାଏ
ନିରୀହ ଆଖି ଟା କହେ ନୀରବେ
କାନି ଓଦା ହୁଏ ଦୁଇ ଓଠ ଧାରେ
ନିଗିଡି ପଡଇ ମନ ରେ ଭାବେ॥
ଭାବୁଥିଲି ବସି ପୋଡି ଗଲା ହାଣ୍ଡି
ପୋଡା ତିଅଣର ସୁଆଦ ଭିନ୍ନ
ଅନ୍ୟ ମନସ୍କରେ ପେଜ ରହିଗଲା
ଜାଉ ହୋଇଗଲା ଅରୁଆ ଅନ୍ନ॥
ଭଲ ପାଉ ଥିଲେ ଏମିତି ବି ହୁଏ
ଶକୁନ୍ତଳା କଥା ଦୁଷ୍ମନ୍ତ ଭାଳେ
ଶୋଷରେ ଦୁଷ୍ମନ୍ତ ଆଞ୍ଜୁଳିରେ ଜଳ
ଓଦା ନହୋଇଣ ପଡିଲା ତଳେ॥
ରାଧିକାର ସ୍ନେହ ଭୂତଳେ ବିରଳ
କଳା କାହ୍ନୁ ତାର ଅତି ନିଜର
ବାହାନା କରିଣ ମିଶେ ନିକାଞ୍ଚନେ
ମନ ଗହନରେ ହୁଏ ଅଧୀର॥
ଦେଖି ଆଚମ୍ବିତ ରାଧାକୃଷ୍ଣ ପ୍ରେମ
ଭକ୍ତବୃନ୍ଦ ବସ ହୋଇ ନିମଗ୍ନ
ବେନି ହସ୍ତ ଟେକି କିରିତନ କରି
ନାଚି ନାଚୁଛନ୍ତି ହୋଇ ମଗନ॥
ବସନ୍ତ କୁମାର ସାହୁ
ଦେଉଳି
ଖୋର୍ଦ୍ଧା




0 Comments