ମଶାଣି ଛାତି ( ଚିତ୍ରାରାଣୀ ପାତ୍ର)

 



    ।। ମଶାଣି ଛାତି।।


ଦେଖିଛକି କେବେ ମଶାଣି ଛାତିରେ 

ଜଳୁ ଥିବା ଜୁଇ ଜ୍ୟୋତି,

ସଦ୍ୟ ପତିହରା ନବ ବଧୂଟିର 

ଆଖିର ଲୁହର ତାତି?।।


ଆପଣେଇ ନେବା ହାତଟିଏ କେବେ 

ବଢ଼ି ଆସି ଲୁହ ପୋଛେ?,

କଟୁକ୍ତି ବ୍ୟଙ୍ଗରେ ଛାତି ଫାଟି ଯାଏ 

ଘର କୋଣେ ବସି କାନ୍ଦେ।।


ଫୁଙ୍ଗୁଳା ହାତରେ ଖାଲି କପାଳରେ 

ଭାଗ୍ୟ ଚୁପି ଚୁପି ହସେ,

ଆଉ କିଛି ଲୋକେ ଉପରେ ଦେଖାଇ 

ମିଛେ ମିଛେ କିଛି ଭାଷେ।।


ସଂସାର ଏମିତି ନିଷ୍ଠୁର ସାଜିଣ 

ଯାତନା ବଢ଼ାଇ ଦିଏ,

ଭୁଲିଯାଏ ବୋଧେ ସିଏବି ଦିନଟେ 

ମଶାଣି ଅତିଥି ହୁଏ।।


ସବୁ ନିୟମକୁ କଡାକଡି କରି 

ନବ ବଧୂ ପାଳୁଥାଏ,

ତା' ଭାଗ୍ୟେ ଯୁଟେନା ସହାନୁଭୂତିର 

କୋମଳ କଥା ପଦିଏ।।


କପାଳ ଲିଖନ ସତେ ବେଦ ବାଣ 

ସହିବ ଜୀବନ ସାରା,

ରହିବନି କେବେ ଶୁଭ କାମ ବେଳେ 

ସତେକି ଅଛୁଆଁ ପରା।।


ଅମଙ୍ଗଳି ନାରୀ ସବୁରି ବଇରୀ 

ସମାଜ ସଜାଇ କହେ,

ତିନିଗାର କାଟି ଲକ୍ଷଣ ରେଖାକୁ 

ଗାଢ଼ ରଙ୍ଗଦେଇ ଦିଏ।।


        ।। ଚିତ୍ରା ରାଣୀ ପାତ୍ର।।

        ।। ବାଲେଶ୍ଵର ।।

Post a Comment

0 Comments