ସାଇତା କ୍ଷତ (ଚିତ୍ରାରାଣୀ ପାତ୍ର)

          





।।ସାଇତା କ୍ଷତ।।।


ତାଜମହଲର ଚିତ୍ର ଆଙ୍କିଦେଇ

ନେଇଯାଇଥିଲ ମୋତେ,

ଅପଦସ୍ତ କଲ, ଭୋକିଲା ରଖିଲ

ଯନ୍ତ୍ରଣା ଦେଲ ଯେତେ।।


ହୃଦୟରୁ ମୋର ପଡୁଥିଲା ଝରି

ଗରମ ଲହୁର ଧାର,

ଅଙ୍ଗବସ୍ତ୍ର ମୋର ଭିଜି କରୁଥିଲା

ବୁକୁଫଟା ଚିତକାର।।


ଯେତେ ପ୍ରତିକାର କରିଲେବି ତୁମେ

ଫେରିକି ପାରିବ ସ୍ମୃତି,

ମଧୁର ନୁହେଁସେ ତିକ୍ତତାରେ ଭରା

ଅଭୁଲା କଥାଯେ ସାଥି।।


କେଉଁ ଅପରାଧେ ଦେଲ ମୋତେ ଦଣ୍ଡ

କହିଦିଅ ମନ ଖୋଲି,

ଯାତନା ମୋହର ସବୁ ସହିନେବି

ହସିଦେବି ପ୍ରାଣଖୋଲି।।


ଶତ ଚେଷ୍ଟା ସତ୍ତ୍ୱେ ଭରିକି ପାରିବ

ସେଦିନର ସେଇ କ୍ଷତ,

ସଂସାର ଯାକର ଦରବ ଦେଲେବି

ଭରଣା ହେବନି ସତ।।


ତିକ୍ତତାର ସେଇ ସ୍ମୃତିସବୁ ଯେତେ

ସଯତ୍ନେ ସାଇତି ଦେବି,

ହୃଦ ଫରୁଆର ଗମ୍ଭୀରା ଗୃହରେ

ମୁଦ ଦେଇ ସାଇତିବି।।


****************//ଚିତ୍ରା ରାଣୀ ପାତ୍ର।//************

                             //ବାଲେଶ୍ୱର//

Post a Comment

0 Comments