।।।ସେ କି ଅଟେ ମୋର ପ୍ରିୟା କି?।।।
ଶିଥିଳ କବରୀ ଫିଟି ପଡିଥିଲା
ଅଙ୍ଗବାସ ତା'ର ତଳେ ଲୋଟୁଥିଲା,
ଅସରା ଅଶ୍ରୁ ତା ଝରିପଡୁଥିଲା
ସେ କି ଅଟେ ମୋର ପ୍ରିୟା?।(୧)
ଚିବୁକେ ହାତସେ ଦେଇ ଭାବୁଥିଲା
କେଉଁ କଳ୍ପରାଜ୍ୟେ ବୁଡି ଯାଇଥିଲା,
ଉଦାସ ନୟନ କିଛି କହୁଥିଲା
ସେ କି ଅଟେ ମୋର ପ୍ରିୟା??।(୨)
ଅବ୍ୟକ୍ତ-ବେଦନା ହୃଦୁ ଝରୁଥିଲା
ଛାତିର ସ୍ପନ୍ଦନ ବଢି ଯାଇଥିଲା,
କଜଳ ଆଖିତା ଲୁହେ ଭିଜୁଥଲା
ସେ କି ଅଟେ ମୋର ପ୍ରିୟା??।(୩)
ପ୍ରିୟା ନୁହେଁ ଖାଲି ପ୍ରାଣପ୍ରିୟା ମୋର
ତା'ବେଦନା ମୋର ଅତି ଆପଣାର,
ତା'ଛାତି ସ୍ପନ୍ଦନ ମୋର ହୃଦୟର
ସେଇତ ମୋହର ମନ୍ଦାକିନୀ ଧାର।(୪)
ତାବିନା ଜୀବନ ଅଟେ ପାଣିଗାର
ତାଛବି ମନରୁ ନୁହେଁ ଲିଭିବାର,
ଭୁଲ ବୁଝାମଣା ଅଛି ବୋଧେ ତାର
ସେଇତ ଅଲେଖା ମୋର ହସ୍ତାକ୍ଷର (୫)
ତାବିନା ମାନେନା ମନଟି ମୋହର
ସେଇ ଏକା ମୋର ସୁନାର ସଂସାର,
ଆଙ୍କିଦେବି ଗଣ୍ଡେ ଦେଇ ଇସ୍ତାହାର
ପାଛୋଟି ଆଣିବି ଘରକୁ ମୋହର।(୬)
କରିଥିଲି ପରା ମୁହିଁ ଅଙ୍ଗୀକାର
ଜୀବନୁ ହେବିନି କେବେ ମୁହିଁ ଦୂର,
ତାଲୁହ-ତାକେଶ-ତାବେଶ ନିଥର
ହେବାକୁ ଦେବିନି ତାକୁ ମୁଁ ପଥର।(୭)
ସେଇ ଅଟେ ମୋର ଏକାନ୍ତ ନିଜର
ଯାହାପାଇଁ ଝୁରେ ହୃଦୟଟା ମୋର,
ସ୍ମୃତିଯେ ସାଇତା ପେଡିରେ ମୋହର
ମିଠା-ସ୍ମୃତି, ମିଠା- ଅନୁଭୂତି ତାର (୮)
ସେଇ ପ୍ରିୟା ସେଇ ପ୍ରିୟା ଅନ୍ତରର।।
*********ଚିତ୍ରା ରାଣୀ ପାତ୍ର।***********
*********ବାଲେଶ୍ୱର।*************




0 Comments