ଉମା ଶଙ୍କରୀ ମଙ୍ଗଳା (ନରସିଂହ ମହାରଣା)





 --ଉମା ଶଙ୍କରୀ ମଙ୍ଗଳା--


ଉମା ମାହେଶ୍ଵରୀ ମା ଗୋ

ଘେନ ମୋ ପ୍ରଣତି।

ଉଦ୍ଧାର ହେବି ଏ ଭବୁ

ଦିଅ ମା ଶକତି।।

ଊଶ୍ଵାସିଲ ମହୀ ଭାରା ଅସୁର ବିନାଶି।

ଊଣା ନୁହେଁ ତୋ କରୁଣା ବଳେ କା'ର କିଛି।।


ମାଆ ତୁହିଁ ଜଗତର ଜଗତ ଜନନୀ।

ମାତୃ ସ୍ନେହ ଦେଇ ମା ଗୋ ପାଳୁ ଏ ଧରଣୀ।।

ମାଆ ବୋଲି ଡାକ ଦେଲେ ଶୁଣୁ ମା ଦୟିନୀ।

ମମତା ଭରା ହୃଦୟ ଗୋ ବିଶ୍ଵ ଜନନୀ।।


ଶଙ୍କର ଘରଣୀ ତୁହିଁ ନାମ ତୋ ଶଙ୍କରୀ।

ସଂକଟ ନାଶିନୀ ମା ଗୋ ଅଟୁ ଶାକମ୍ବରୀ।।

ଶରଣାଗତ ଦୀନାର୍ତ୍ତେ ସିଞ୍ଚି କୃପା ବାରି।

ଶରଧା ଦେଇ ରଖିଛୁ ମା ଗୋ ସୁରେଶ୍ଵରୀ।।


କଣ୍ଠେ ତୋର ଶୋଭା ପାଏ ମୁକୁତାର ମାଳା।

କଙ୍କଣ କରେ ଶୋଭିତ କଟୀରେ ମେଖଳା।।

କମଳେ ବିମଳା ମା ଗୋ ଗୁନ୍ଥା ତୋର ମାଳା।

କର ଯୋଡ଼ି ଡାକୁଅଛି ଏ ଅଧମ ବଳା (ବାଳା)।।


ରିକ୍ତ ହସ୍ତେ ଫେରାଅନି ଅଧମେ ଭବାନୀ।

ରିପୁ ରିଷ୍ଟ ବିନାଶିନୀ ଗୋ ସିଂହ ବାହିନୀ।।

ରକ୍ତ ବର୍ଣ୍ଣ ବାସ ତୋର

ନାମ ରକ୍ତାମ୍ବରୀ।

ରକ୍ଷ କୁଳ କ୍ଷୟଙ୍କରୀ 

ଦେବ ଦର୍ପ ହାରୀ।।


ମଙ୍ଗଳ କାରିଣୀ ମା ଗୋ ନାମ ତୋ ମଙ୍ଗଳା।

ମଣ୍ଡିତ ଶୋଭିତ ଗଳେ ଶ୍ରୀ ମନ୍ଦାର ମାଳା।।

ମହିଷା ମର୍ଦ୍ଦିନୀ ଶୁମ୍ଭ ନିଶୁମ୍ଭ ନାଶିନୀ।

ମନ ଧ୍ୟାନ ଜାଣି ଫଳ ଦେଉ କାତ୍ୟାୟନୀ।।


ଗଙ୍ଗାଧର ମନୋହାରୀ ପାପ ବିଧ୍ଵଂସିନୀ।

ଗଉରୀ ତୁ ଗିରିଜା ମା ତ୍ରିପୁର ମୋହିନୀ।।

ଗରବ ଗଞ୍ଜନୀ ଯେଣୁ ନାମଟି ତୋହର।

ଗଉରବେ ଉଡ଼େ ତୋର ଧ୍ଵଜା ଫରଫର।।


ଲାସ୍ୟମୟୀ ହାସ୍ୟମୟୀ ଅରୂପା ସ୍ଵରୂପା।

ଲବେ ମାତ୍ର ଅକିଞ୍ଚନେ କର ମା ଗୋ କୃପା।।

ଲାଞ୍ଛିତ ବାଞ୍ଛିତ ହୃଦେ ପଶୁଛି ଶରଣ। 

ଲୋଡ଼ା ନାହିଁ ଭବ ସୁଖ କର ପରିତ୍ରାଣ।।


"ଓମ୍ ଦୁଂ ଦୁର୍ଗାୟୈ ନମଃ "


ନରସିଂହ ମହାରଣା, ଗଣେଶ ନଗର, ରେଙ୍ଗାଲି, ସମ୍ବଲପୁର।୯୩୩୭୦୪୯୭୨୨.

Post a Comment

0 Comments