ସଙ୍ଗିନୀ (ଚିତ୍ରାରାଣୀ ପାତ୍ର)

       


       ।।ସଙ୍ଗିନୀ।।।


କେତେକାଳ ଆଉ ରହିଥିବୁ ଶୋଇ

ଖୋଲିଦେରେ ଥରେ ଆଖିକୁ ସଖୀ,

ବାହାରେ କୋକେଇ ବନ୍ଧା ହୋଇଲାଣି

ନେଇଯିବେ ଏବେ ଜୁଇକୁ ବେଗି।


ସଂକୀର୍ତ୍ତନ ଏବେ ଚାଲିଛି ବାହାରେ

ଲୋକଭିଡ କେତେ ଲାଗିଛି ଘରେ,

ହୃଦୟ ମୋହର ଫାଟି ପଡ଼ୁଅଛି 

କିପରି ବଞ୍ଚିବି ମୁହିଁ ଏଠାରେ।।


ଏଡ଼େ ନିରିଦୟା ହୋଇ ଚାଲିଗଲୁ

ଜୀବନ ସନ୍ଧ୍ୟାରେ କରି ଏକାକୀ,

ଆଜୀବନ ମୁହିଁ ଢାଳୁଥିବି ଅଶ୍ରୁ

ଦେଖୁଥିବି ତୋତେ ଦୂରରୁ ସଖି।


ସମାଧି ଉପରେ ଦେବି ମୁଁ ଗୋଲାପ

ନିତି ଦେବି ଜାଳି ସଞ୍ଜ-ସଳିତା,

ପରବ ଆସିଲେ ଆଣିବି ତୋ'ପାଇଁ

ନୂଆଶାଢ଼ୀ ଆଉ ପାଦେ ଅଳତା।


ଅହି-ସୁଲକ୍ଷଣୀ ତୁ' ମୋର ଘରଣୀ

କେତେ ଭାଗ୍ୟ କରିଥିଲୁଲୋ ସତେ,

ଏକାପଛେ ହୁଏ ତୋ'ସୌଭାଗ୍ୟ ଦେଖି

ପାଇବି ଆନନ୍ଦ କହିବି କେତେ?।


ତୋ'ଛବି ଦେଖିଲେ ଅଶ୍ରୁଗୁଡା ମୋର

ମୁକ୍ତାବିନ୍ଦୁ ପରି ପାଲଟି ଯିବ,

ଦୀର୍ଘଶ୍ବାସ ଛାଡି ହଜମ କରିବି

ବିରହ ଗୀତିମୋ ତୁଣ୍ଡରେ ଥିବ।

                  **

      ।। ଚିତ୍ରା ରାଣୀ ପାତ୍ର।।।

            ।।ବାଲେଶ୍ୱର।।

Post a Comment

0 Comments