। ମୂରଲୀ।।
କହରେ ମୂରଲୀ ଏତେ ମିଠା ସୁର
କିଏ ଆସି ଭରି ଦେଲା,
କାହାର ପରଶେ ଏତେ ସୁମଧୁର
ରାଗିଣୀ ନିର୍ଗତ ହେଲା?।।୧।।
ନଟବର କାହ୍ନା ଛୁଇଁ ଦେଲା କିବା
ତୋର ଅଜାଣତେ ଆସି,
କଦମ୍ବ ମୂଳରୁ ସେ ମଧୁ ମୂର୍ଚ୍ଛନା
ପବନେ ଆସୁଛି ଭାସି।।୨।।
ଗଗନ ପବନ ମୁଖରିତ କରି
ମଧୁର ମୂରଲୀ ବାଜେ,
ରାଧିକା ପାଦର ଅଳତା ଗାରରେ
ଘୁଙ୍ଗୁରର ଧ୍ଵନି ସାଜେ।।୩।।
ବୃଷଭାନୁ ଜେମା ଲାଜରେ ଝାଉଁଳି
ଓଢଣାକୁ ଟାଣି ଦେଖେ,
ମୂରଲୀର ସ୍ୱର କୁହୁକ ମନ୍ତର
ତାକୁ ଶୁଭେ କାନ ପାଖେ।।
କି ଜୀବନ୍ତ ଧ୍ଵନି ନିର୍ଗତ ହୁଅଇ
ଶୁଖିଲା ବାଉଁଶ ଟିଏ,
ଗୁଣ ଭରିଯାଏ କାହାର ଛୁଆଁରେ
ପରଶ ମଣିସେ ହୁଏ।।୫।।
ମୂରଲୀ ଗୁମର ଅଟେ ରହସ୍ୟର
କାହ୍ନୁ ଏକା ସିନା ଜାଣେ,
ସବୁ ଗୋପୀଙ୍କର ନୟନର ମଣି
ସଭିଙ୍କ ମନକୁ କିଣେ।।୬।।
***
।। ଚିତ୍ରା ରାଣୀ ପାତ୍ର।।
।।ବାଲେଶ୍ଵର।।





0 Comments