................ଜୀଅନ୍ତା ଜୀବନ
ଇମିତି ଅଛି...............
ଇମିତିବି ଅଛି ଜୀଇଁକି ଜୀବନ
ଆୟୁଷ ସାରିବା ପାଇଁ
ବଂଚିବାଟା ଏକ ଅଭିନୟ ଖାଲି
ମଂଚର ଚରିତ୍ର ହୋଇ ।।
ସତ ଠାରୁ ଘୁଂଚି ରହିବା ସର୍ତ୍ତକୁ
ଆଗୁଆ ନେଇକି ମାନି
ସାଗୁଆ କରିକି ହସର ରଙ୍ଗକୁ
ଗାଢ଼ କରେ ଜାଣି ଜାଣି ।।
ଛାଇରେ ଯାଉଛି ପରିଚୟ ହଜି
ଆଲୁଏ ହଜୁଛି ବାଜି
ଅନ୍ଧାର ବାରିକି ରାତିକି ଅଚିହ୍ନା
ଠିକଣା ପଚାରେ ବୁଝି ।।
ଦିଗ ବଦଳାଏ ଅବୁଝା ପବନ
ସମୟ ଦିଏନା ଧରା
ବିଶ୍ଵାସ ବୁଲନ୍ତି ଫୁଙ୍ଗୁଳା ଦେହରେ
ପ୍ରତିଶୃତି କରି ମାରା ।।
ହାରିଯିବା ଲୋକ ଡରିବା ଛାଡୁଛି
ମାରିବାକୁ ଶେଷ ଦାନ
ବୁଡିଯିବା ଲୋକ ଦେଖିବା ଭୁଲୁଛି
କୂଳରେ ଲାଗିବା ସ୍ୱପ୍ନ ।।
ମହେନ୍ଦ୍ର ନନ୍ଦ
୮୨୪୯୪୧୧୩୬୭




0 Comments