ମାତୃ ବନ୍ଦନା (ଶ୍ରଦ୍ଧାଞ୍ଜଳି ତ୍ରିପାଠୀ ଦାଶ)

    

        ଶୀର୍ଷକ - ମାତୃ ବନ୍ଦନା

  **********************

କେଉଁ ଲେଖନୀରେ ଲେଖିବି ଏହାକୁ

      ନୁହେଁ କେବଳ ଏ ଶବ୍ଦ

ମାଆ ଅଟେ ସୃଷ୍ଟି ,ପାଳନକାରୀ ଯେ,

     ଏଥିରେ ସବୁ ନିହିତ ।୧।

କେଉଁ ଶବ୍ଦ କୋଷୁ ଶବ୍ଦ ଆଣିବି ଗୋ

    କି ସଂଜ୍ଞା ଦେବି ମୁଁ ତତେ ?

ତୋହରି ଅଗ୍ରତେ ସବୁ ନାମ ଯାକ 

    ଫିକା ପଡ଼ିବ ଗୋ ସତେ ।୨ ।

କାହା ସଙ୍ଗେ ତୋତେ ତୁଳନା କରିବି

     ତୁହି ଅଟୁ ସର୍ବୋପରି ,

ତୁହି ପିତା ଗୃହେ ଲକ୍ଷ୍ମୀ, ମାଁ ଶାରଦା 

    ତୁହି ଅଟୁ ମାଁ ଧରିତ୍ରୀ ।୩।

ତୁହି ଅଟୁ ଗଙ୍ଗା ବାତ୍ସଲ୍ୟରେ ଭରା 

    ବୁହାଇ ଅମୃତ ଧାରା 

ପ୍ରତି ଅଙ୍ଗ ତୋର ସମର୍ପଣ କରି

   ଦେଇଛୁ ସର୍ବସ୍ବ ପରା।୪।

କେଉଁ ସାଗରରୁ ଜଳ ଆଣିବି ଗୋ

   କରିବି ତୋ ପଦ ଧୌତ,

ତୁହି ଅଟୁ ପ୍ରେମ,ବାତ୍ସଲ୍ୟ ମମତା

    କରୁଣାର ଝରା ସ୍ରୋତ ।୫ ।

କେଉଁ ତୀର୍ଥସ୍ଥଳ କରିବି ଭ୍ରମଣ

     ଗାଁ ମାଟି ମୋ ଶିରୀ କ୍ଷେତ୍ର

ଷଠୀ ଘର ମୋର ଶ୍ରୀମନ୍ଦିର ହେଲେ

    ତୋ କୋଳ ମୋ ସ୍ୱର୍ଗପୁର । ୬ ।

ତୋ ବାହୁ ବନ୍ଧନେ କୋଳେଇ ଧରିଲେ 

     ଆନନ୍ଦାଶ୍ରୁ ଯାଏ ବହି ,

ତୋ ହାତେ ଆଉଁସି ଦେଉ ଯେବେ ମାଆ

       ସ୍ୱର୍ଗସୁଖ ଯାଏ ପାଇ ।୭ ।

କେଉଁ ପ୍ରସାଦ ମୁ ଭୋଗ ଦେବି ତୋତେ

       ତୁହି ସ୍ଵୟଂ ଅନ୍ନପୂର୍ଣ୍ଣା

ଖୁଆଇଛୁ ସାରା ସଂସାର ବ୍ୟଞ୍ଜନ

      ନିଜ ପେଟ କରି ଊଣା । ୮ ।

ରୋଗରେ ପଡ଼ିଲେ ଦୂରରେ ଥାଇ ବି

    କେମିତି ଜାଣୁ ଗୋ ତୁହି

ଭଲ ହେବି ବୋଲି ପ୍ରଭୁଙ୍କୁ ମନାସୁ 

     ନିଜେ ଦୁଃଖ କଷ୍ଟ ସହି ।୯।

କେଉଁ ଗୀତରେ ମୁଁ ବନ୍ଦନା କରିବି

   ସବୁଲାଗେ ପରା ତୁଚ୍ଛ ,

ସଂସାରରେ ତୁହି ଫୁଲଗୁଚ୍ଛ ହେଲେ

    ଦୁନିଆଁ ଟା ଲାଗେ ମିଛ ।୧୦ ।

ଅଟେ ତୋ ପଣତ ଶ୍ରୀକ୍ଷେତ୍ରର ନେତ 

     କାନିରେ କରୁ ଆଦର,

ତୋହର ଗାଳି ଯେ ଦାଣ୍ଡର ଧୂଳି

    ମାଁ ଡାକ କେଡେ ମଧୁର ।୧୧।

ମାତୃ ସୁଖ ପାଇଁ ସ୍ଵୟଂ ନାରାୟଣ

      ଧରାପୃଷ୍ଠକୁ ଆସିଲେ ,

ମାଆ ର ବାତ୍ସଲ୍ୟ ମମତା ଧୂଳିରେ

    ବୋଳିହୋଇ ଧନ୍ୟହେଲେ ।୧୨ ।

କେ କରି ପାରିବ ମାଆ ର ବର୍ଣ୍ଣନା

  ଯିଏ ଅଟେ ସାରା ସଂସାର ,

ଜଗତର ଯେତେ ମାଆ ମାନଙ୍କୁ ତ 

   ପ୍ରଣାମ ମୋ ବାରମ୍ବାର ।୧୩।

ଜନ୍ମଦାତ୍ରୀ,ଷଠୀ , ଗାଆଁ,ମାତୃଭୂମି

   ତାଙ୍କ ପାଦେ ଲୋଟୁ ଶିର 

ଚିରରୁଣୀ ହୋଇ ଏହିମାନଙ୍କୁ ମୁଁ 

    ଭଜୁଥିବି ନିରନ୍ତର ।

           ମୁଁ

    ଭଜୁଥିବି ନିରନ୍ତର ।୧୪।

****************

    ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ତ୍ରିପାଠୀ ଦାଶ 

     ଖଜୁର ଟିକ୍ରା,ବରଗଡ଼

    ନାଲିଆଖଣ୍ଡି ପଡ଼ା,ୱାର୍ଡ �

Post a Comment

0 Comments