ରାମାୟଣରେ ଭରତ ଚରିତ
ବାବାଜୀ ଚରଣ ଦାସ
ଭରତ କହିଲେ,"ଏଭଳି ପୂଣ୍ୟ ସ୍ଥଳରେ ଓ ସମାଜରେ ଯଦି ମୁଁ ଉତ୍ତର ନଦେଇ ମୌନ ରହିବି, ତେବେ ମୋତେ ମନ୍ଦମତି କୁହାଯିବ। ଯଦି କିଛି କହେ, ତେବେ ଛୋଟ ମୁହଁରେ ବଡ଼ କଥା ହୋଇ ଥିବାରୁ ବାତୁଳତା ହେବ।ସେବା ଧର୍ମ ବଡ଼ କଠିନ ହୋଇ ଥିବାରୁ ମୁଁ ଯାହା କହିଲେ ବି ଭୁଲ୍ ହେବାର ଆଶଙ୍କା ରହିଛି। ତେଣୁ ମୋତେ ନ ପଚାରି ପ୍ରଭୁ ଶ୍ରୀରାମଙ୍କ ରୁଚି, ଧର୍ମ,ବ୍ରତ ରକ୍ଷା କରି ସମସ୍ତଙ୍କର ମଙ୍ଗଳ ଓ କଲ୍ଯାଣ ହେବା ଭଳି କରନ୍ତୁ। ଏହା ଶୁଣି ଓ ଭରତଙ୍କର ସ୍ଵଭାବ ଦେଖି ମହାରାଜା ଜନକ ଓ ଉପସ୍ଥିତ ଅନ୍ଯ ସମସ୍ତେ ପ୍ରଶଂସା କଲେ। ମୁନିଶ୍ରେଷ୍ଠ ବଶିଷ୍ଠ ମହାରାଜ ଜନକ, ଭରତ ଓ ଅନ୍ଯ ସମସ୍ତଙ୍କୁ ସାଙ୍ଗରେ ନେଇ ଶ୍ରୀରାମ ଙ୍କ ନିକଟକୁ ଗଲେ। ବଶିଷ୍ଠ କହିଲେ," ହେ ଶ୍ରୀରାମ! ଆପଣ ଯେମିତି ଆଜ୍ଞା ଦେବେ, ସମସ୍ତେ ତାହା ପାଳନ କରିବେ।"ଶ୍ରୀରାମ କରଯୋଡି କହିଲେ,"ଆପଣ ଓ ମିଥିଳା ଅଧିପତି ମହାରାଜା ଜନକ ଉପସ୍ଥିତ ଥାଉଁ ଥାଉଁ ମୁଁ କିଛି କହିବା ଅନୁଚିତ। ଆପଣମାନେ ଯାହା ଆଜ୍ଞା ଦେବେ, ମୁଁ ଶପଥ କରି କହୁଛି, ସମସ୍ତେ ତାହା ଶିରୋଧାର୍ଯ୍ଯ କରିବେ।"
ଶ୍ରୀରାମ ଙ୍କ କଥା ଶୁଣି ସମସ୍ତେ ନୀରବ ରହିଲେ। ସେମାନେ କେବଳ ଭରତଙ୍କ ମୁହଁକୁ ଚାହିଁଲେ।ଭରତ ଅସୀମ ଧୈର୍ଯ୍ୟ ସହକାରେ ପ୍ରତିକୁଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ପ୍ରଣାମ କଲେ।ସେ ସୀତା ଓ ଶ୍ରୀରାମ ଙ୍କୁ ମନ ମଧ୍ୟରେ ଭକ୍ତିରେ ପୂଜା କରି କହିଲେ,"ହେ ପ୍ରଭୁ!ଆପଣ ମୋର ପିତା,ମାତା, ବନ୍ଧୁ, ଗୁରୁ, ସ୍ଵାମୀ, ପୂଜ୍ୟ, ପରମ ହିତକାରୀ, ଅନ୍ତର୍ଯ୍ୟାମୀ। ଆପଣ ସରଳ, ସର୍ବ ଗୁଣର ନିଧାନ,ସର୍ବଜ୍ଞ,ପରମ ଜ୍ଞାନୀ,ସର୍ବଶକ୍ତିମାନ, ଶରଣାଗତ ହିତୈଷୀ।ହେ ପ୍ରଭୁ! ଆପଣଙ୍କ ପରି ପ୍ରଭୁ ପାଖରେ ମୁଁ ହିଁ ଏକମାତ୍ର ପ୍ରଭୁ ଦ୍ରୋହୀ। ମୁଁ ମୋହ ବଶତଃ ଆପଣଙ୍କର ଓ ପିତାଙ୍କ ଆଜ୍ଞାକୁ ଅବଜ୍ଞା କରି ରାଜ୍ୟବାସୀଙ୍କୁ ସାଥିରେ ଧରି ଏଠାକୁ ଆସିଛି। ପୃଥିବୀରେ ଭଲ- ମନ୍ଦ, ଅମୃତ- ବିଷ ଆଦି ଯାହା କିଛି ଅଛି। କେହି କେବେ ଆପଣଙ୍କ ଆଜ୍ଞାକୁ ମନରେ ସୁଦ୍ଧା ଅବଜ୍ଞା କରିବା ଜାଣି ନାହିଁ କି ଶୁଣି ନାହିଁ। କେବଳ ମୁଁ ହିଁ ଆପଣଙ୍କ ଆଜ୍ଞାକୁ ଅବଜ୍ଞା କରିବାର ଧୃଷ୍ଟତା ଦେଖାଇଛି। କିନ୍ତୁ ମୋ ପ୍ରଭୁ ଏତେ ମହାନ୍ ଯେ ମୋ ଧୃଷ୍ଟତାକୁ ମୋର ସ୍ନେହ ଓ ସେବା ବୋଲି ଭାବି ଗ୍ରହଣ କରିଛନ୍ତି।ଭରତ ପ୍ରେମ ବିହ୍ୱଳ ହୋଇ ଶ୍ରୀରାମଙ୍କ ଚରଣ କମଳ ଧରି ପକାଇଲେ। କୃପାସିନ୍ଧୁ ଶ୍ରୀରାମ ମଧୁର ବଚନରେ ଭରତଙ୍କୁ ସମ୍ମାନିତ କରି ହାତ ଧରି ଉଠାଇ ନିଜ ପାଖରେ ବସାଇଲେ।
ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର।
ବର୍ତ୍ତମାନ ନୋଇଡା ରେ।




0 Comments