।।।ନୀଳକଣ୍ଠ।।।
ନୀଳକଣ୍ଠ ସାଜି ବିଷ ମୁଁ ପିଉଛି
ଅତୀତକୁ ଝୁରି ପ୍ରାଣେ,
ପ୍ରେମ ରାଇଜର ଆଦ୍ୟାକ୍ଷର ହୋଇ
ଆସିଥିଲ ମୋଜୀବନେ।।
ତୁମେ ଦେଇଥିଲ ପ୍ରୀତିର ପରଶ
ସାଇତା ଅଛିଯେ ହୃଦେ,
ଦଗ୍ଧ-ଫୁଲବନ ସାଜିମୁଁ ବସିଛି
ବିଷାଦ ଭରିଛି କେତେ।।
ଏବେବି ଭୁଲିନି ତୁମ ନୀଳ ଆଖି
ମନକଥା ପଢିପାରେ,
ଆରବ୍ୟ ରଜନୀ କାହାଣୀ ମାଳାର
ଚରିତ୍ର ତୁମେତ ଜଣେ।।
କାଉଁରୀ ମନ୍ତ୍ରରେ ବଶୀଭୂତ କଲ
ହୃୟୟକୁ କରି ଚୋରୀ,
ଅଲେଖା କାଗଜେ କଲ ଅଙ୍ଗୀକାର
ସପନରେ ବାନ୍ଧି ଡୋରି।।
ସେଇ ଡୋରିରେମୁଁ ବନ୍ଧା ହୋଇଗଲି
ହୋଇଲି ତୁମ ପୂଜାରୀ,
ଆଉଯେତେ ସବୁ ସମ୍ପର୍କୀୟମାନେ
ହୋଇଗଲେ ମୋବଇରି।।
ତୁମେଆଙ୍କିଥିଲ ଚିତ୍ରପଟ୍ଟ ତୁମ
ଇନ୍ଦ୍ରଧନୁ ରଙ୍ଗେ ଭରି,
କେତେଯେ ବିନିଦ୍ର ରଜନୀ ପାହିଛି
ପ୍ରେମାପ୍ଳୁତ ବକ୍ଷ ଚିରି।।
ସବୁଜ ଜୀବନ ଧୂସର ହୋଇଛି
ଚତୁର୍ଦ୍ଦିଗ ଅନ୍ଧକାର,
କେଉଁ ଅପରାଧେ ଦେଲ ଶାସ୍ତି ତୁମେ
ଭାବିବାକୁ ଲାଗେ ଡର।।
ଜୀବନ ଯମୁନା ଉଜାଣୀ ବୋହୁଛି
ସପନ ବଣିକ ଥିଲି,
ତୁମ ହୃଦ ରାଜ୍ୟେ କରୁଥିଲି ରାଜ
ପଥର ଭିକାରୀ ହେଲି।।
ଆଉ ବୋହିବନି ବସନ୍ତେ ମଳୟ
କୋଇଲିବି ଗାଇବନି,
ଫୁଟିବନି କେବେ ଚଇତି ମଲ୍ଲୀବି
ସୁବାସରେ ଭରିବନି।।
ପ୍ରତୀକ୍ଷା କରିବି ଶେଷ ଅଙ୍କଯାଏଁ
ଯବନିକା ଯିବ ପଡି,
ତୁମ ପଦ୍ମମୁଖ ଏବେବି ଦିଶୁଛି
ସ୍ମୃତିରେ ଭରିଛି ପେଡି।।
***
।।।ଚିତ୍ରା ରାଣୀ ପାତ୍ର।।।
।।।ବାଲେଶ୍ୱର।।।




0 Comments