।।ସୀମା ସରହଦ।।_,
ସୀମା ସରହଦ ଡେଇଁ ଯାଇ ନାହିଁ,
ତୁମ ଡାକରାରେ ମୁହିଁ,
ରହିଥିବି ସଦା ତୁମ ହୃଦ ରାଜ୍ୟେ,
ଆଜୀବନ ପଣ ନେଇ।।
ସମାଜ, ସମୟ ଯେଉଁଦିନ ଦେବ,
ସ୍ଵୀକୃତି ଆମକୁ ଆସି,
ତୋଳିଦେବ ଏକ ଛୋଟିଆ ଉଆସ,
ଆନନ୍ଦେ ରହିବି ହସି।।
ଖୋଲା ଝରକାର ଜହ୍ନ ଆଲୁଅରେ,
ଶେଯର ଉପରେ ବସି,
ଗାଉଥିବି ଗୀତ ବିଭୋର ମନରେ,
ସପନେ ଯିବି ମୁଁ ଭାସି।।
ବରଷାର ଛିଟା ଛୁଇଁ ଯାଉଥିବ,
ଗାଲ ପରେ ଆସି ଯେବେ,
ବିଜୁଳିକୁ ଦେଖି କବିତା ଲେଖିବି,
ଭାବନାରେ ବୁଡି ତେବେ।।
ସୁନେଲୀ କିରଣ ବୁଣି ଯାଉଥିବ,
ଅଗଣାର ଚାରି ଆଡେ଼,
ମୋ ହାତ ମୁରୁଜ ପଡି ହସୁଥିବ,
ତୁଳସୀ ଚଉରା ମୂଳେ।।
ସଂଜ ଦୀପ ନିତି ଜାଳି ଦେଉ ଥିବି,
ମଙ୍ଗଳ ମନାସି କେତେ,
ସରାଗେ ବିରାଗେ ଅବା ଅନୁରାଗେ,
ରହି ଥିବି ତୁମ ସାଥେ।।
।।ଚିତ୍ରା ରାଣୀ ପାତ୍ର। ।ବାଲେଶ୍ଵର।।




0 Comments