ସ୍ମୃତି ଯାହା ଖାଲି ଅକୁହା ବେଦନା (ଚିତ୍ରା ରାଣୀ ପାତ୍ର)

 

        


।। ସ୍ମୃତି ଯାହା ଖାଲି ଅକୁହା ବେଦନା।।


 ସ୍ମୃତି ଯାହା ଖାଲି ଅକୁହା ବେଦନା

ମରମେ ସାଇତା ଥାଏ,

ସ୍ମୃତି ଯାହା ଖାଲି ନୀରବ ଯନ୍ତ୍ରଣା

ନିଜେ ଖାଲି ସହି ହୁଏ।।


ଦେଖାଇ ହୁଏନା ଦରଦୀ ଛାତିଟା

ଆଉ କେଉଁ ଲୋକ ଆଗେ,

ଆପଣା ଲୋକଟି ପର ପାଲଟିଲେ

ମନଟି ଅଡ଼ୁଆ ଲାଗେ।।


ସବୁ ମିଠା ସ୍ମୃତି ଜହର ପାଲଟେ

ଅଜଣା ଶଙ୍କାରେ ଦିନେ,

ପାଇବାର ସୁଖ ଉଭେଇ ଯାଏ ଯେ

ନିମିଷକେ  କେଉଁ କ୍ଷଣେ।।


ତତଲା ଲୁହରେ ଭିଜି ଭିଜି ଯାଏ

ନରମ ମନଟା ସିନା,

ଗରମ ଲହୁରେ ଲେଖି ଯାଏ କିଛି

ଅବ୍ୟକ୍ତ ବେଦନା କିନା।।


କିଛି ସ୍ମୃତି ଯଦି ନଥାନ୍ତା ହୃଦୟେ

ଦୁଃଖକି ଆସନ୍ତା ପାଶେ?,

ଅରଜିଲା କର୍ମ ଗୋଡ଼ାଇ ଗୋଡ଼ାଇ

ଧରିନିଏ ନାଗ ଫାଶେ ।।


ମୁକୁଳି ହୁଏନା ଧରିବି ହୁଏନା

କେତେଯେ ସତାଏ ସତେ,

ଜୀବନଟା ଖାଲି ପ୍ରହେଳିକା ଲାଗେ

ଅଶାନ୍ତ ଢେଉରେ କେତେ।।

           ***

   ।। ଚିତ୍ରା ରାଣୀ ପାତ୍ର।

    ।। ବାଲେଶ୍ୱର।।

Post a Comment

0 Comments