।। ମଉନାବତୀ।।
ମଉନାବତୀର ଲାଜରେ ପ୍ରଣୟ
ଆଖିରେସେ କଥାକୁହେ ,
ଓଠର ପାଖୁଡ଼ା ଟିକିଏ ହଲିଲେ
ମଧୁଶାଳା ଖୋଲିଯାଏ।।
କଳାବଉଦର ଘନକେଶ ଯେବେ
ମୁକୁଳାସେ କରିଦିଏ,
ମେଘରାଣୀ ତାକୁ ଦେଖିକରି କ୍ଷଣେ
ଖୁସିରେ ବରଷି ଯାଏ।।
ରାଜହଂସୀ ପରି ଚାଲେ ଢଳି ଢଳି
ହସୁଥାଏ ଓଠ ଚାପି,
ଗାଲରେ ଭଉଁରୀ ଖେଳିଯାଏ ତାର
ଦେଖେମୁଁ ତାକୁ ନିରେଖି।।
ଚାନ୍ଦପରି ତାର ମୁହଁଟି ସୁଢଳ
କଳା ଭଅଁରତା ' ଆଖି,
ଧନୁପରି ତା' ର ଭୁରୁଟି ସୁନ୍ଦର
ନୟନ ଯାଏମୋ ଲାଖି।।
ଚିବୁକ ଉପରେ କଳାଜାଇଟିଏ
ଶୋଭାକୁ ବଢାଏ ତାର,
ଚମ୍ପା ରଙ୍ଗ ପରି ଦିହଟି ତାହାର
ଦିଶୁଥାଏ ଗର ଗର।।
କବିର ଲେଖନୀ ଥକିଯାଏ ମୋର
ଉପମାକୁ ପାଏ ନାହିଁ,
ଭାଷାସବୁ ମୋର ନୀରବ ପାଲଟେ
ହାର୍ ମାନିଯାଏ ମୁହିଁ।।
।। ଚିତ୍ରା ରାଣୀ ପାତ୍ର।।
।। ବାଲେଶ୍ଵର।।




0 Comments